ମେଘା ସେକ୍ଟରରେ ବ୍ୟକ୍ତିଗତ ଓ ଗୃହ ପରିଚ୍ଛନ୍ନତା ଦିବସ

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ଶୁକ୍ରବାର ରାଜନଗର ପଞ୍ଚାୟତ ଅନ୍ତର୍ଗତ ବନଖଣ୍ଡିଠାରେ ୧୧ମାସିକ ବିଶ୍ୱାସ କାର୍ଯ୍ୟକ୍ରମର ଅଂଶବିଶେଷ ବ୍ୟକ୍ତିଗତ ଓ ଗୃହ ପରିଚ୍ଛନ୍ନତା ଦିବସର ଉଦ୍‍ଯାପିତ ହୋଇଯାଇଛି। ମେଘା ସେକ୍ଟର ଅନ୍ତର୍ଗତ ୧୫ଗୋଟି ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ବିଭିନ୍ନ ଦିବସରେ ଏହି ବ୍ୟକ୍ତିଗତ ଓ ଗୃହ ପରିଚ୍ଛନ୍ନତା ଦିବସ ପାଳନ ଅବସରରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ବନଖଣ୍ଡିଠାରେ ଆୟୋଜିତ ଉଦ୍‍ଯାପନୀ କାର୍ଯ୍ୟକ୍ରମରେ ସଂଯୋଜନା କରି ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ପରିଷ୍କାର ପରିଚ୍ଛନ୍ନତାର ଅଭ୍ୟାସ ଆମମାନଙ୍କୁ ବିଭିନ୍ନ ରୋଗ ସଂକ୍ରମଣରୁ ରକ୍ଷା କରିଥାଏ ବୋଲି ପ୍ରକାଶ କରିଥିଲେ। ନିଜ ଶରୀରକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ସହିତ ପରିବାରର ଅନ୍ୟ ସଦସ୍ୟ ଏବଂ ଘରଦ୍ୱାର ଓ ବାଡିବଗିଚା ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ଧ୍ୟାନ ଦେବା ପାଇଁ ଶ୍ରୀ ଅସମଲ ପରାମର୍ଶ ଦେଇଥିଲେ।

ପରିଷ୍କାର ପରିଚ୍ଛନ୍ନତା ନରହିଲେ ଚର୍ମରୋଗଠାରୁ ଆରମ୍ଭ କରି ବିଭିନ୍ନ ରୋଗ ସଂକ୍ରମଣର ଭୟ ରହିଥିବାରୁ ଏଥିପ୍ରତି ଲୋକମାନେ ଯଥେଷ୍ଟ ସଚେତନ ରହିବା ଲାଗି ସେ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ନମିତା ପ୍ରତାପ, ଅମରେନ୍ଦ୍ର ପ୍ରଧାନ, ଅଙ୍ଗନବାଡି କର୍ମୀ ମଧୁସ୍ମିତା ପ୍ରଧାନ, ଆଶାକ୍ରମୀ ଅମିତା ସାହୁ ଓ ଗାଁ କଲ୍ୟାଣ ସମିତିର ସଦସ୍ୟବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ ଏକ ସଚେତନତା ଶୋଭାଯାତ୍ରାରେ ଗ୍ରମା ପରିକ୍ରମା କରିଥିଲେ।

Comments are closed.