ବିଜେପିର ମନୋରମା ମହାପାତ୍ରଙ୍କ ସ୍ମୃତିଚାରଣ

ଆଠଗଡ: ଆଠଗଡ ଭାରତୀୟ ଜନତା ପାର୍ଟୀ ପକ୍ଷରୁ ବୁଧବାର ସନ୍ଧ୍ୟାରେ ବିଶିଷ୍ଟ ସାହିତ୍ୟିକା, କବୟିତ୍ରୀ, ବାଗ୍ମୀ, ସମାଜସେବୀ ତଥା ସମାଜର ପୂର୍ବତନ କାର୍ଯ୍ୟକାରୀ ସଂପାଦକ, ଅଧ୍ୟାପିକା ଡଃ ମନୋରମା ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ ପାଇବା ସହ ତାଙ୍କର ସ୍ମୃତିଚାରଣ କରାଯାଇଥିଲା। ଏହି ସ୍ମୃତିସଭାରେ ଅଧ୍ୟକ୍ଷତା କରି ଦଳର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରୀ କମିଟିର ସଭାପତି ବ୍ରଜେନ୍ଦ୍ର ରାୟ ଆଠଗଡ ମାଟି ତାର ଜଣେ ସୁଯୋଗ୍ୟା କନ୍ୟାଙ୍କୁ ହରାଇଲା ବୋଲି କହିବା ସହ ତାଙ୍କର ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ। ତାଙ୍କର ସୃଜନଶୀଳ ଲେଖା ଏବଂ ସାରସ୍ୱତ ସାଧନା ଅନନ୍ୟ ବୋଲି କହିବା ସହ ଶ୍ରୀ ରାୟ ସ୍ୱର୍ଗତ ଶ୍ରୀମତୀ ମହାପାତ୍ରଙ୍କ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ନଗର ମଣ୍ଡଳ ସଭାପତି ନଚିକେତା ପରମାଣିକ, ବରିଷ୍ଠ ନେତା ଜଗଦାନନ୍ଦ ତ୍ରିପାଠୀ, ହେମନ୍ତ କୁମାର ମହାନ୍ତି, ପ୍ରକାଶ ସେଠୀ, ବିଚିତ୍ରାନନ୍ଦ ଜେନା, ବିଜୟ କୁମାର ପରିଡାଙ୍କ ସମେତ ଅନ୍ୟମାନେ ମଧ୍ୟ ସ୍ୱର୍ଗତ ଶ୍ରୀମତୀ ମହାପାତ୍ରଙ୍କ ପ୍ରତିଭାଦୀପ୍ତ ପ୍ରଜ୍ଞା ଓ ସାରସ୍ୱତ କୃତି ଆଜିର ଦିନରେ ବିରଳ ବୋଲି କହିବା ସହ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶ୍ରୀ ରାୟ ଓ ଅନ୍ୟ ଦଳୀୟ ନେତାମାନେ ଶ୍ରୀମତୀ ମହାପାତ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ।

Comments are closed.