ଘୋଡାଚଢା ତାଲିମ କେନ୍ଦ୍ରର ଭିତ୍ତିଭୂମି ପର୍ଯ୍ୟବେକ୍ଷଣ

ଆଠଗଡ: ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠର କ୍ଷୁଦ୍ର କ୍ରୀଡାଙ୍ଗନରେ ସ୍ଥାପିତ ହେବାକୁ ଥିବା ଘୋଡାଚଢା ତାଲିମ କେନ୍ଦ୍ର ପାଇଁ ଭିତ୍ତିଭୂମିର ଅନୁଧ୍ୟାନ କରିବା ପାଇଁ ଏକ ପ୍ରତିନିଧି ଦଳ ବୁଧବାର ପରିଦର୍ଶନ କରିଥିଲେ। ଭୁବନେଶ୍ୱରସ୍ଥିତ ଷ୍ଟାଲିଅନ କ୍ଲବ୍‍ର ଅନ୍ୟତମ ଉପଦେଷ୍ଟା ସମ୍ବିତ ପଟ୍ଟନାୟକ ବିଶ୍ୱନାଥ ବିଦ୍ୟାପୀଠର କ୍ଷୁଦ୍ର କ୍ରୀଡାଙ୍ଗନ (ମିନି ଷ୍ଟାଡିୟମ)ରେ କିପରି ଘୋଡାମାନଙ୍କ ପାଇଁ ଘୋଡାଶାଳ, ଘୋଡାଚଢା ତାଲିମଦାତାଙ୍କ ରହିବା କକ୍ଷ ଏବଂ ଘୋଡା ଦୌଡ ପାଇଁ ପଡିଆର ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରିବା ସହ ସ୍ଥାନୀୟ ପୂର୍ତ୍ତବିଭାଗ ଉପନିର୍ବାହୀ ଅଧିକାରୀ ଜୟନ୍ତ ପ୍ରସାଦ ନାୟକ, ମିଶନ ଜିରୋ ଏଫର ଜିଲ୍ଲା ସଂଯୋଜିକା ରଶ୍ମିତା ମିଶ୍ର ଓ ସ୍କୁଲର ପ୍ରଧାନଶିକ୍ଷକ ରୁଦ୍ରନାରାୟଣ ସାମଲଙ୍କ ସହ ଆଲୋଚନା କରିଥିଲେ।

ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏହି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବା ପରେ ତାର ଉନ୍ନତିକରଣ ଏକ ଅଂଶବିଶେଷ ସ୍ୱରୂପ ଘୋଡାଚଢା ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ଆସନ୍ତା ନଭେମ୍ବର ୧୪ମଧ୍ୟରେ ଘୋଡାଚଢା ତାଲିମ କେନ୍ଦ୍ରର ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ଏତେ କମ୍‍ ସମୟ ମଧ୍ୟରେ ଏହା ସମ୍ଭବ ହୋଇନପାରେ ବୋଲି ମତପ୍ରକାଶ ପାଉଛି। ସେହିପରି ବିଶ୍ୱନାଥ ବିଦ୍ୟାପୀଠ ପରିସରରେ ଏକ ସଂଗୀତ ଶିକ୍ଷା କେନ୍ଦ୍ର ସ୍ଥାପନ ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ଓ ଜିଲ୍ଲା କଳା ସଂସ୍କୃତି ସଂଘର କର୍ମକର୍ତ୍ତା ଜ୍ଞାନପ୍ରିୟ କାନୁନଗୋ ବିଦ୍ୟାଳୟକୁ ପରିଦର୍ଶନରେ ଆସି ଆନୁସଙ୍ଗିକ ଭିତ୍ତିଭୂମି ବିକାଶ ଲାଗି ଆବଶ୍ୟକୀୟ ପରାମର୍ଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ସ୍କୁଲ ପରିଚାଳନା ସମିତିର ସଭାପତି ବିଜୟ କୁମାର ସାହୁ, ସଦସ୍ୟ ତଥା ପୁରାତନ ଛାତ୍ରସଂସଦ ଉପଦେଷ୍ଟା କ୍ଷୀରୋଦ କୁମାର ମିଶ୍ର ଓ ସୁଧିରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ରହି ପ୍ରତିନିଧି ଦଳଙ୍କ ସହ ଆଲୋଚନା କରିଥିଲେ।

Comments are closed.