ଆଠଗଡ ବସଷ୍ଟାଣ୍ଡ ନବୀକରଣ କାର୍ଯ୍ୟ ସମୀକ୍ଷା କଲେ ସଡକ ପରିବହନ ନିଗମ ପରିଚାଳନା ନିର୍ଦ୍ଦେଶକ

ଆଠଗଡ: ରାଜ୍ୟ ସଡକ ପରିବହନ ନିଗମର ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ କାରାଗାର ଆଇଜି ଦିପ୍ତେଶ ପଟ୍ଟନାୟକ ଶୁକ୍ରବାର ସକାଳେ ଆଠଗଡ ଗସ୍ତକରି ଏଠାରେ ୪.୫୦କୋଟି ଟଙ୍କା ବ୍ୟୟରେ ନିର୍ମାଣାଧିନ ବସଷ୍ଟାଣ୍ଡ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ଶ୍ରୀ ପଟ୍ଟନାୟକଙ୍କ ସହିତ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ମଧ୍ୟ ଉପସ୍ଥିତ ରହି ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ସହ ଆସନ୍ତା ଡିସେମ୍ବର ମାସ ସୁଦ୍ଧା କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ପୂର୍ତ୍ତବିଭାଗୀୟ ଯନ୍ତ୍ରୀ ଏବଂ କାର୍ଯ୍ୟ ସଂପାଦନ କରୁଥିବା ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ।

ନବୀକରଣ କରାଯାଉଥିବା ଏହି ବସଷ୍ଟାଣ୍ଡରେ ଏକ ସମୟରେ ୭ଟି ବସ୍‍ ରହିବାର ବ୍ୟବସ୍ଥା, ୨ଟି କାର୍ଯ୍ୟାଳୟ କକ୍ଷ, ଗୋଟିଏ ପୁଲିସ ବିଟ୍‍ କକ୍ଷ, ୧୩ଟି ଦୋକାନ ଗୃହ, ୨ଟି ଏଟିଏମ କକ୍ଷ, ଗୋଟିଏ ହୋଟେଲ କକ୍ଷ, ଗୋଟିଏ ବସ୍‍ ଚାଳକଙ୍କ ବିଶ୍ରାମ କକ୍ଷ, ବସ୍‍ ମରାମତି ଓ ଧୋଇବା ପାଇଁ ବ୍ୟବସ୍ଥା, ଯାତ୍ରୀ ବିଶ୍ରାମ କକ୍ଷ ଓ ୩ଟି ମୁଖ୍ୟଫାଠକ ଆଦି ଦ୍ରୁତଗତିରେ ନିର୍ମାଣ ଚାଲିଛି ଏବଂ ଅନେକ କାର୍ଯ୍ୟ ପ୍ରାୟତଃ ସଂପୂର୍ଣ୍ଣ ହୋଇସାରିଥିବା ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି ଓ ଆଠଗଡ ଉପନିର୍ବାହୀ ଯନ୍ତ୍ରୀ ଜୟନ୍ତ କୁମାର ନାୟକ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ। ତେବେ ବସଷ୍ଟାଣ୍ଡ ପରିସରରୁ ଜଳନିଷ୍କାସନ ପାଇଁ ବ୍ୟବସ୍ଥା ନଥିବାରୁ ଓଏସଆରଟିସି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକ ଏଥିପାଇଁ ଅର୍ଥ ବ୍ୟବସ୍ଥା କରାଯିବ ଏବଂ ବସଷ୍ଟାଣ୍ଡ ମଧ୍ୟରୁ ଜଳନିଷ୍କାସନ ପାଇଁ ଚତୁଃପାର୍ଶ୍ବରେ ନାଳ ନିର୍ମାଣ କରିବା ପାଇଁ ପୂର୍ତ୍ତବିଭାଗୀୟ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକ ଓ ଜିଲ୍ଲାପାଳ ଶ୍ରୀ ଚୟନୀ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ପରେ ସନ୍ତୋଷ ପ୍ରକାଶ କରିଥିଲେ। ସଡକ ପରିବହନ ନିଗମ ପରିଚାଳନା ନିର୍ଦ୍ଦେଶକଙ୍କର ଏହି ଗସ୍ତ ସମୟରେ ଓଏସଆରଟିସିର ସ୍ୱତନ୍ତ୍ର ଅଧିକାରୀ ତଥା କ୍ରୁଟ୍‍ ବା ମୋ ବସ୍‍ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଦିପ୍ତୀ ମହାପାତ୍ର, ପ୍ରକଳ୍ପ ପରିଚାଳକ ସନ୍ଦିପ ପୃଷ୍ଟି, ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି, ତହସିଲଦାର ତପନ କୁମାର ଖୁଣ୍ଟିଆ, ଏନଏସି ନିର୍ବାହୀ ଅଧିକାରୀ ଆଶାଲତା ରଚମାଳା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.