ଜିଲ୍ଲାପାଳଙ୍କ ଦ୍ୱାରା ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟର ସମୀକ୍ଷା

ଆଠଗଡ: ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠରେ ୫-ଟି ବିଭାଗ ଦ୍ୱାରା ଚାଲିଥିବା ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସମୀକ୍ଷା କରି ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ। କଟକ ଜିଲ୍ଲାପାଳ ଶ୍ରୀ ଚୟନୀ ଏହି ବିଦ୍ୟାଳୟର ପୁରାତନ ଛାତ୍ର ଏବଂ ୧୯୭୯ମସିହାରେ ଏଠାରୁ ମାଟ୍ରିକ୍‍ ପରୀକ୍ଷା ଦେଇ ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରିଥିଲେ। ଶୁକ୍ରବାର ସକାଳେ ବିଦ୍ୟାଳୟ ରୂପାନ୍ତରିକରଣ ଏବଂ ମୋ ସ୍କୁଲ ଅଭିଯାନ ଯୋଜନାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବା ସହ କେତେକ ପରାମର୍ଶ ଦେଇଥିଲେ।

ବିଶ୍ୱନାଥ ବିଦ୍ୟାପୀଠରେ ବିଦ୍ୟାଳୟ ରୂପାନ୍ତରିକରଣ ଯୋଜନାରେ ୨ଟି ଆଦର୍ଶ ଶ୍ରେଣୀ କକ୍ଷ (ସ୍ମାର୍ଟ ଶ୍ରେଣୀ କକ୍ଷ), ଇ-ଗ୍ରନ୍ଥାଗାର, ବିଜ୍ଞାନାଗାର କାର୍ଯ ପ୍ରାୟତଃ ସଂପୂର୍ଣ୍ଣ ହୋଇଥିବାବେଳେ ଖେଳପଡିଆ, ସୌନ୍ଦର୍ଯ୍ୟପୂର୍ଣ୍ଣ ମୁଖ୍ୟପାଠକ, ବାସ୍କେଟ ବଲ ପଡିଆ, ସାଇକେଲ ଷ୍ଟାଣ୍ଡ, ଅତ୍ୟାଧୁନିକ ଶୌଚାଳୟ ଆଦିର କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ସେହିପରି ବିଶ୍ୱନାଥ ବିଦ୍ୟାପୀଠର ମହିଳା କଲେଜ ନିକଟରେ ଥିବା କ୍ଷୁଦ୍ର କ୍ରୀଡାଙ୍ଗନ(ମିନି ଷ୍ଟାଡିୟମ)ର ଉନ୍ନତିକରଣ କରାଯିବା ସହ ସେଠାରେ ହକି ଖେଳ ପାଇଁ ପଡିଆ ପ୍ରସ୍ତୁତି ଓ ପିଲାଙ୍କ ପାଇଁ ଘୋଡା ଚଢା ଶିକ୍ଷା ଓ ତାଲିମ ପାଇଁ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଚୟନୀ ପ୍ରକାଶ କରିଥିଲେ।

ବିଦ୍ୟାଳୟର ସର୍ବାଙ୍ଗିନ ଉନ୍ନତିକରଣ ଓ ଭିତ୍ତିଭୂମି ବିକାଶରେ ସମଗ୍ର ଆଠଗଡବାସୀ ବିଶେଷକରି ଆଠଗଡ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ୫୪ଟି ପଞ୍ଚାୟତର କିଛି ନା କିଛି ଯୋଗଦାନ ରହିବା ଆବଶ୍ୟକ ବୋଲି ଜିଲ୍ଲାପାଳ ମତପ୍ରକାଶ କରିଥିଲେ। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ପ୍ରଧାନଶିକ୍ଷକ ରୁଦ୍ରନାରାୟଣ ସାମଲ, ଜିଲ୍ଲା କ୍ରୀଡାଧିକାରୀ ରଶ୍ମିରଞ୍ଜନ ସାମନ୍ତରାୟ, ପୂର୍ତ୍ତବିଭାଗ ନିର୍ବାହୀଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, ଆଠଗଡ ଉପନିର୍ବାହୀ ଯନ୍ତ୍ରୀ ଜୟନ୍ତ କୁମାର ନାୟକ, ମିଶନ ଜିରୋ ଏଫର ସଂଯୋଜକ ରଶ୍ମିତା ମିଶ୍ର, ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି, ତହସିଲଦାର ତପନ କୁମାର ଖୁଣ୍ଟିଆ, ମଣ୍ଡଳ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସ, ଏନଏସି ନିର୍ବାହୀ ଅଧିକାରୀ ଆଶାଲତା ରଚମାଳା, ବିଦ୍ୟାଳୟ ପରିଚାଳନା କମିଟି ବିଜୟ କୁମାର ସାହୁ, ପୂରାତନ ଛାତ୍ର ସଂସଦ ଉପଦେଷ୍ଟା କ୍ଷୀରୋଦ ଚନ୍ଦ୍ର ମିଶ୍ର, ପ୍ରମୁଖ ଉପସ୍ଥିତ ରହି ନିର୍ମାଣ କାର୍ଯ୍ୟ ସଂପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶ ଉପସ୍ଥିତ ରହିଥିଲେ।

Comments are closed.