ନିରାଡମ୍ବରରେ ଗଜାନନଙ୍କ ଆବାହନ

ଆଠଗଡ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଆଠଗଡରେ ଅତ୍ୟନ୍ତ ନିରାଡମ୍ବର ଭାବେ ଗଜାନନଙ୍କ ଆବାହନ କରାଯାଇଛି। ବିଭିନ୍ନ କ୍ଲବ୍, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନରେ ବିନା ସାଜସଜ୍ଜାରେ ୪ଫୁଟ ଉଚ୍ଚତାରୁ କମ୍ ମୂର୍ତ୍ତି ପୂଜା କରାଯାଇଥିଲା। ଆଠଗଡର ଗଦାସାହି ଗୋଲଡେନ କ୍ଲବ, ପଦ୍ମସାହି କ୍ଲବ, ସ୍ୱପ୍ନେଶ୍ୱର ବଜାରସ୍ଥିତ ଫ୍ରେଣ୍ଡସ୍ କ୍ଲବ, ଚାନ୍ଦବାଲିଛକର ମହାବୀର କ୍ଲବ ସମେତ ଆଠଗଡ ସହର ଓ କନ୍ତୋଲ ଅଞ୍ଚଳରେ ଅନେକ କ୍ଲବରେ କେବଳ ୨-୪ଜଣ କର୍ମକର୍ତ୍ତା ଓ ପୁରୋହିତଙ୍କୁ ନେଇ ପୂଜା ଅନୁଷ୍ଠିତ ହୋଇଥିଲା।

 

ଏଥିସହିତ ବିଶ୍ୱନାଥ ବିଦ୍ୟାପୀଠ, ସରକାରୀ ବାଳିକା ହାଇସ୍କୁଲ, ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମହାତ୍ମାଗାନ୍ଧୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ବାଣୀକଣ୍ଠନଗର ଓ ରାସରସିକପୁରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର, ବିଶ୍ୱନାଥ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ରାସରସିକପୁର ୟୁଜିୟୁପି ସ୍କୁଲ, ଜାଭିୟର୍ସ ହାଇସ୍କୁଲ ଆଦି ସମସ୍ତ ଶିକ୍ଷାନୁଷ୍ଠାନରେ ସରଳ ଓ ନିରାଡମ୍ବର ଭାବେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା। ହାଇସ୍କୁଲ ଗୁଡିକରେ ସ୍ୱଳ୍ପ ସଂଖ୍ୟକ ବିଦ୍ୟାର୍ଥୀଙ୍କ ଉପସ୍ଥିତି ଥିବାବେଳେ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ କେବଳ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଶ୍ରୀ ଗଣେଶଙ୍କୁ ଆବାହନ କରିଥିଲେ।

Comments are closed.