ହାଇବ୍ରିଡ୍ ୨ଚକିଆ ଯାନ ତିଆରି କଲେ ବିଶ୍ୱନାଥ, ପେଟ୍ରୋଲ ସରିଲେ ବ୍ୟାଟେରୀରେ ଚାଲିବ ଯାନ

ଆଠଗଡ: ଅଦମ୍ୟ ଇଚ୍ଛାଶକ୍ତି ଓ ପ୍ରୟାସ ଆଗରେ ସବୁ ବାଧାବିଘ୍ନ ହାର ମାନେ। ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ ବୋଲି ଯାହା କୁହାଯାଇଛି। ତାହା ବାସ୍ତବ ରୂପରେ ପରିଣତ କରିଛନ୍ତି। ଆଠଗଡ ବ୍ଲକ ଅନ୍ତର୍ଗତ ବେଣ୍ଟପଦା ଗ୍ରାମର ବିଶ୍ୱନାଥ ସାହୁ। ଆଇଟିଆରେ ଇଲୋକଟ୍ରୋନିକ୍ସ ପଢିସାରିବା ପରେ ନିଜ ଗ୍ରାମରେ ବ୍ୟବସାୟ କରୁଥିବା ବିଶ୍ୱନାଥ ପେଟ୍ରୋଲ ଦରବୃଦ୍ଧି ଏବଂ ପ୍ରଦୂଷଣ ମାତ୍ରା ବଢିବା କାରଣରୁ ଏକ ବ୍ୟାଟେରୀ ଚାଳିତ ଗାଡି ନିର୍ମାଣ କରିବା ପାଇଁ ମନ ବଳାଇଥିଲେ। ଏହି ଲକଡାଉନ ସମୟରେ ୟୁଟ୍ୟୁବ୍ ଦେଖି ନିଜେ ତିଆରି କରିଛନ୍ତି ଏକ ହାଇବ୍ରିଡ୍ ୨ ଚକିଆ ଯାନ। ସ୍କୁଟିର ୫ଟି ମଡେଲରେ ତାଙ୍କର ଏହି ବୈଷୟିକ ଜ୍ଞାନ କୌଣଳ ଉପଯୋଗ କରାଯାଇପାରିବ। ଯେଉଁଥିରେ ଉଭୟ ପେଟ୍ରୋଲ ଓ ବ୍ୟାଟେରୀ ମାଧ୍ୟମରେ ୨ ଚକିଆ ଯାନ ଚାଲିପାରୁଛି। ପେଟ୍ରୋଲ ସରିଗଲେ ଚିନ୍ତାନାହିଁ କାହିଁକି ନା ସେହି ଯାନରେ ଲାଗିଥିବା ଚାର୍ଜିଂ ବ୍ୟାଟେରୀ ସାହାଯ୍ୟରେ ତାହା ଚାଲିପାରିବ।

 

ମାତ୍ର ୪୦ମିନିଟ୍ ଚାର୍ଜ କଲେ ଏହି ଗାଡିଟି ୫୦କିମି ଯାଇପାରିବ ବୋଲି ବିଶ୍ୱନାଥ ଦାବି କରିଛନ୍ତି। ପେଟ୍ରୋଲ ଓ ଡିଜେଲର ଆକାଶ ଚୁଆଁ ଦର ସାଙ୍ଗକୁ ପ୍ରଦୂଷଣ ମାତ୍ରା ବଢୁଥିବାରୁ ଏବେ ସରକାର ଇ-ଯାନ ଚଳାଇବା ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଏମିତି ଏକ ସମୟରେ ଆଠଗଡ ବ୍ଲକର ବେଣ୍ଟପଦା ଗ୍ରାମର ବିଶ୍ୱନାଥ ନିଜ ପ୍ରଚେଷ୍ଟାରେ ଏହି ହାଇବ୍ରିଡ୍ ୨ ଚକିଆ ଯାନ ତିଆରି କରିଛନ୍ତି। ଏଥିରେ ଗୋଟିଏ ୬୪ ଭୋଲ୍ଟ ବ୍ୟାଟେରୀ, ଚାର୍ଜର ଓ କନର୍ଭଟ କିଟ୍ର ଆବଶ୍ୟକତା ରହିଛି। ମୁମ୍ବାଇର ସ୍ମାର୍ଟଟେକ୍ ବ୍ୟାଟେରୀ କମ୍ପାନୀ ଓ ତାଙ୍କ ବନ୍ଧୁ ବିଜୟ କୁମାର ସେଠୀ ତାଙ୍କୁ ଏହି ହାଇବ୍ରିଡ୍ ଗାଡି ନିର୍ମାଣରେ ସହଯୋଗ କରିଥିଲେ। ଗୋଟିଏ ସ୍କୁଟି ଭଳି ଯାନକୁ ଏହିପରି ବ୍ୟାଟେରୀ ଚାଳିତ ହାଇବ୍ରିଡ ଯାନରେ ପରିଣତ କରିବା ପାଇଁ ପ୍ରାୟ ୫୦ହଜାର ଟଙ୍କା ବ୍ୟୟ କରିବାକୁ ପଡୁଛି। ଗାଡିମଟରକୁ ନେଇ ଦିନକୁ ଦିନ ନୂଆ ନୂଆ ନିୟମ ବାହାରୁ ଥିବାବେଳେ ସରକାର ଇ-ଯାନ ଉପରୁ ଶୁଳ୍କ ଛାଡ କରିବା ସହ ରିଆତି ପ୍ରଦାନ କରୁଛନ୍ତି। କିନ୍ତୁ ଏହିଭଳି ଗ୍ରାମାଞ୍ଚଳରେ ବଣମଲ୍ଲୀ ଭଳି ଅଚିରେ ମଉଳି ଯାଉଥିବା ଯୁବ ବୈଜ୍ଞାନିକ ବା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ମିଳିଲେ ନୂତନ ଜ୍ଞାନ କୌଶଲର ଉପଯୋଗ କରି କମ ଅର୍ଥ ବ୍ୟୟରେ ଅନେକ ନୂତନ ଉଦ୍ଭାବନ ହୋଇପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Comments are closed.