ସମବାୟ ଋଣ ଜାଲିଆତି ପ୍ରସଙ୍ଗ, ଋଣି ଚାଷୀଙ୍କ ନାମ ପ୍ରକାଶନ ଦାବିରେ ରାଜରାସ୍ତା ଘେରିଲେ ଶତାଧିକ ଚାଷୀ, ମନ୍ତ୍ରୀ ରଣେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପସିଲେ ରଣେନ୍ଦ୍ରଙ୍କ ରକ୍ତମୁଖା ସମର୍ଥକ, ବୈଠକ ଭଣ୍ଡୁର

ଆଠଗଡ: ଆଠଗଡରେ ପ୍ରାଥମିକ ସେବା ସମବାୟ ସମିତି ଗୁଡିକରେ ବ୍ୟାପକ କୃଷିଋଣ ଜାଲିଆତି ଅଭିଯୋଗ ହୋଇଆସୁଛି। ଏହାକୁ ନେଇ ପୂର୍ବ ନିଷ୍ପତ୍ତି ଓ ସୂଚନା ଅନୁଯାୟୀ ଯୁବ ସଂଗଠକ ଅଭୟ କୁମାର ବାରିକଙ୍କ ନେତୃତ୍ୱରେ କ୍ଷତିଗ୍ରସ୍ତ ଚାଷୀ ମଙ୍ଗଳବାର ୬୫ନଂ ରାଜ୍ୟ ରାଜପଥର ସହର ମଧ୍ୟସ୍ଥ ବ୍ୟସ୍ତବହୁଳ ଚାନ୍ଦବାଲି ଛକଠାରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସମବାୟ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ସେଠାରେ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି ଅଲେଖ ଚନ୍ଦ୍ର ପହି, ଆଠଗଡ ଏସଡିପିଓ ଦେବେନ୍ଦ୍ର କୁମାର ମଲ୍ଲିକ, ଟାଙ୍ଗୀ-ଚୌଦ୍ୱାର ଏସଡିପିଓ ସତ୍ୟବ୍ରତ ଲେଙ୍କା, ଆଠଗଡ ଆଇଆଇସି ଶୁଭ୍ରାଂଶୁ ଶେଖର ପରିଡାଙ୍କ ସମେତ ବହୁ ପୁଲିସ ଅଧିକାରୀ ଆନ୍ଦୋଳନରତ ଚାଷୀ ଓ ନେତୃତ୍ୱ ନେଉଥିବା ଅଭୟଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କୁ ବୁଝାସୁଜା କରି ଅପରାହ୍ନ ୩.୩୦ମିନିଟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ କରି ସେମାନଙ୍କ ଦାବି ସଂପର୍କରେ ଆଲୋଚନା କରି ଯାହାକିଛି ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ।

ତେବେ ଅପରାହ୍ନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କକ୍ଷରେ ଆଲୋଚନା ଚାଲିଥିବାବେଳେ ୫୦ରୁ ଉର୍ଦ୍ଧ ରକ୍ତମୁଖା ରଣେନ୍ଦ୍ରଙ୍କ ସମର୍ଥକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶି ଜୋର୍‍ ହୋ ହଲ୍ଲା କରିବାରୁ ବୈଠକ ଅଧାରୁ ବାତିଲ ହୋଇଯାଇଥିଲା। ଉପସ୍ଥିତ ପୁଲିସ ଅଧିକାରୀ ବୈଠକରେ ବସିଥିବା ଅଭୟ ଓ କ୍ଷତିଗ୍ରସ୍ତ ଚାଷୀଙ୍କ ପ୍ରତିନିଧିଙ୍କୁ ପଛ ଦ୍ୱାର ଦେଇ ସୁରକ୍ଷିତ ଭାବେ ସେଠାରୁ ନେଇ ଯାଇଥିଲେ। ସୂଚନା ଯୋଗ୍ୟ ଯେ ଗୁରୁଡିଝାଟିଆ ପ୍ରାଥମିକ ସେବା ସମବାୟ ସମିତିରେ ୧ କୋଟି ୯ ଲକ୍ଷ ୫୦ହଜାର ଟଙ୍କାର ଦୁର୍ନୀତି ହୋଇଥିବା ତଦନ୍ତରୁ ଜଣାପଡିବା ପରେ ଏଥିରେ ସଂପୃକ୍ତ ୭ଜଣଙ୍କୁ ଗିରଫ କରାଯାଇଥିବାବେଳେ ୪ଜଣଙ୍କୁ ଚାକିରୀରୁ ବହିସ୍କାର କରାଯାଇଛି। ତେବେ ଆଠଗଡ ବ୍ଲକର କେବଳ ଗୁରୁଡିଝାଟିଆ ନୁହେଁ ବରଂ ୨୬ଟି ଯାକ ପ୍ରାଥମିକ ସେବା ସମବାୟ ସମିତିରେ ବ୍ୟାପକ କୃଷିଋଣ ଜାଲିଆତି ହୋଇଥିବା ଯୁବ ସଂଗଠକ ଅଭୟ କୁମାର ବାରିକ ଦୀର୍ଘଦିନ ହେଲା ଅଭିଯୋଗ କରିଆସୁଛନ୍ତି।

ଗତ ୧୮ତାରିଖରେ ଏକ ସାମ୍ବାଦିକ ସମ୍ମୀଳନିରେ ସବୁ ସମବାୟ ସମିତିରେ କୃଷିଋଣ କରିଥିବା ଚାଷୀଙ୍କ ନାମ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଆଠଗଡ ଶାଖା ଓ ସମିତି ଗୁଡିକର ସୂଚନା ଫଳକରେ ପ୍ରକାଶ କରିବା ପାଇଁ ଦାବି ଦୋହରାଇଥିଲେ। ତା ନହେଲେ ୨୪ତାରିଖରେ ଚାନ୍ଦବାଲି ଛକଠାରେ ରାଜରାସ୍ତା ଘେରିବେ ଚାଷୀ ବୋଲି ଚେତାବନୀ ଦେଇଥିଲେ। ତେବେ ଗତକାଲି ସୁଦ୍ଧା ସୂଚନା ଫଳକରେ ଋଣି ଚାଷୀଙ୍କ ନାମ ପ୍ରକାଶ ନପାଇବା ଫଳରେ ଆଜି (ମଙ୍ଗଳବାର) ଅଭୟଙ୍କ ନେତୃତ୍ୱରେ ଏହି ରାସ୍ତାରୋକ, ଧାରଣା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଠଗଡ କୃଷିଋଣ ଜାଲିଆତି ଓ ଦୁର୍ନୀତିରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ସଂପୃକ୍ତି ଥିବା ଅଭୟ ଅଭିଯୋଗ କରିଥିଲେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ସମେତ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି ଅଲେଖ ଚନ୍ଦ୍ର ପହି, ଆଠଗଡ ଏସଡିପିଓ ଶ୍ରୀ ମଲ୍ଲିକ, ଆଇଆଇସି ଶ୍ରୀ ପରିଡା, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଆଠଗଡ ଶାଖା ପରିଚାଳକ ଲକ୍ଷ୍ମୀଧର ପଣ୍ଡାଙ୍କ ସମେତ ଅଭୟ ବାରିକ ଓ କ୍ଷତିଗ୍ରସ୍ତ ଚାଷୀଙ୍କର ଏକ ପ୍ରତିନିଧି ଦଳ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ତେବେ ଆଲୋଚନା ଚାଲିଥିବାବେଳେ ରଣେନ୍ଦ୍ରଙ୍କ ସମର୍ଥକମାନେ ହୋ ହଲ୍ଲା କରିବାରୁ ବୈଠକ ଅଧାରୁ ବାତିଲ ହୋଇଥିଲା। ଅଭୟଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରା, ରାସ୍ତାରୋକ ଧାରଣା ଓ ବିକ୍ଷୋଭ କାର୍ଯ୍ୟକ୍ରମରେ କୈଳାସ ଚନ୍ଦ୍ର ନାୟକ ଓ ପ୍ରେମାନନ୍ଦ ପରିଡା, ପ୍ରଦୀପ୍ତ କୁମାର ରାଉତ, ଭଗବାନ ସାମଲ, କବିଚନ୍ଦ୍ର ବାରିକ, ପ୍ରତାପ କୁମାର ନାୟକ, ସୁମନ ନାୟକ, ଚିନ୍ତାମଣି ପ୍ରଧାନ, ସଂଜୟ ସାହୁ, ଗଙ୍ଗାଧର ପରିଡା, ବିକ୍ରମ ଭଟ୍ଟ, ଟୁକୁ ସାମଲ, କବି ଭୋଇ, ପ୍ରତାପ ଦାସ ଓ ଯୁବନେତା ସରୋଜ ଦାସ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.