ଗର୍ଭବତୀଙ୍କୁ କୋଭିଡ୍‍ ଟୀକାକରଣ ପାଇଁ ସଚେତନତା

ଆଠଗଡ: ବ୍ରହ୍ମପୁର ସିଏଚସି ଅନ୍ତର୍ଗତ ମେଘା ସେକ୍ଟରର ସମୂହ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ବେଣ୍ଟପଦା ପଞ୍ଚାୟତର ଧନୁର୍ଜୟପୁର ଅଙ୍ଗନବାଡି କେନ୍ଦ୍ରଠାରେ ଶନିବାର ଗର୍ଭବତୀ ମହିଳାଙ୍କୁ ଟୀକାକରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶକ୍ରମେ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଏହି କାର୍ଯ୍ୟକ୍ରମରେ ସଂଯୋଜନା କରି ଗର୍ଭବତୀ ମହିଳାଙ୍କ ପାଇଁ କରୋନାରୁ ରକ୍ଷା ପାଇବା ପାଇଁ ଟୀକାକରଣର ଆବଶ୍ୟକତା ସଂପର୍କରେ ବୁଝାଇଥିଲେ। ଲୋକମାନଙ୍କ ଭିତରେ ସଚେତନତା ଅଭାବରୁ ଗର୍ଭବତୀ ମହିଳାଙ୍କୁ ଟୀକା ଦେବା ପାଇଁ ଭୟ କରୁଛନ୍ତି। କିନ୍ତୁ କୋଭିଡ ଟୀକା ଗର୍ଭବତୀଙ୍କ ପାଇଁ ନିରାପଦ ବୋଲି ଶ୍ରୀ ଅସଲମ ସୂଚନା ଦେଇଥିଲେ। ଗର୍ଭାବସ୍ଥାରେ କୋଭିଡ ସଂକ୍ରମଣ ଅଧିକ ହେବାର ପ୍ରମାଣ ନାହିଁ। ତେବେ ଜଣେ ଗର୍ଭବତୀ କୋଭିଡ ଆକ୍ରାନ୍ତ ହେଲେ ତାଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଅବନତି ଦେଖାଯିବା ସହ ଏହାର କୁପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡିପାରେ। ତେଣୁ ଅନ୍ୟାନ୍ୟ କୋଭିଡ ପ୍ରତିରୋଧକ ନିୟମ ପାଳନ ସହ ଟୀକାନେବା ଜରୁରୀ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ଗର୍ଭାବସ୍ଥାରେ କୋଭିଡ ସଂକ୍ରମଣ ହୋଇଥିଲେ। ଗର୍ଭବତୀ ମହିଳା ପ୍ରସବ ପରେ ହିଁ ଯଥାଶୀଘ୍ର ଟୀକାନେବା ଆବଶ୍ୟକ। ତେଣୁ ଗର୍ଭବତୀ ମାଆ ମାନେ ହେଳା ନକରି ତୁରନ୍ତ ଟୀକା ଦିଆଯାଉଥିବା ନିର୍ଦ୍ଧିଷ୍ଟ ଦିନରେ ଟୀକାକରଣ କେନ୍ଦ୍ରକୁ ଯାଇ ଏହାର ସୁଯୋଗ ନେବା ଲାଗି ଶ୍ରୀ ଅସଲମ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବେଣ୍ଟପଦା ସରପଞ୍ଚ କନକଲତା ସାହୁ, ମହିଳା ପରିଦର୍ଶିକା ବିଚିତ୍ରପ୍ରଭା ଦେଇ, ସ୍ୱାସ୍ଥ୍ୟକର୍ମୀ ସୁରେଖା ପ୍ରଧାନ, ଅଙ୍ଗନବାଡି କର୍ମୀ ପ୍ରମୋଦିନୀ ପୃଷ୍ଟି ଆଶାକର୍ମୀ ତିଳୋତ୍ତମା ସାହୁ ଓ ଗାଁ କଲ୍ୟାଣ ସମିତିର ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.