ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ପରଲୋକ

ଆଠଗଡ ଆଠଗଡ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ବୟୋଜ୍ୟେଷ୍ଠ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମିଶ୍ର(୮୫)ଙ୍କର ଅସୁସ୍ଥତା କାରଣରୁ ଶୁକ୍ରବାର ସନ୍ଧ୍ୟାରେ କଟକର ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ହୋଇଯାଇଛି। ଆଠଗଡ ଓକିଲ ସଂଘର ପୂର୍ବତନ ସଭାପତି ଥିବା ସ୍ୱର୍ଗତ ମିଶ୍ର ଜଣେ ଅତ୍ୟନ୍ତ ପରୋପକାରୀ ଏବଂ ମିଷ୍ଟଭାସୀ ବ୍ୟକ୍ତି ଭାବେ ସମସ୍ତଙ୍କର ଅତିପ୍ରିୟ ଥିଲେ। ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ଆଠଗଡ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ, ପୁତ୍ରଙ୍କ ସମେତ ପରିବାରର ସଦସ୍ୟ ଉପସ୍ଥିତ ଥିଲେ। କଟକରୁ ମୃତଦେହ ଆସି ତାଙ୍କ ରଥଗଡାସ୍ଥିତ ବାସଭବନରେ ପହଞ୍ଚିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି, ଓକିଲ ସଂଘର ସଭାପତି, ସଂପାଦକଙ୍କ ସମେତ ବହୁ ଆଇନଜୀବୀ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ପରଲୋକ ଖବର ଶୁଣି ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏକ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ନିଆଯାଇ ଆଠଗଡ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବାବେଳେ ବଡପୁଅ ପ୍ରଦ୍ୟୁମ୍ନ ମୁଖାଗ୍ନି ଦେଇଥିଲେ।

Comments are closed.