ଗୋପବନ୍ଧୁ ଥିଲେ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ, ଆଠଗଡର ବିଭିନ୍ନ ଅନୁଷ୍ଠାନରେ ଗୋପବନ୍ଧୁ ଜୟନ୍ତୀ

ଆଠଗଡ: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ମହାନ ଦେଶଭକ୍ତ, ଜନସେବକ, ଶିକ୍ଷାବିତ୍‍ ଓ ସାମ୍ବାଦିକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୧୪୪ତମ ଜୟନ୍ତୀ ସ୍ଥାନୀୟ ବିଶ୍ୱନାଥ ବିଦ୍ୟାପୀଠରେ ପାଳିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ପ୍ରଧାନଶିକ୍ଷକ ରୁଦ୍ରନାରାୟଣ ସାମଲ ଗୋପବନ୍ଧୁଙ୍କର ଦେଶପ୍ରୀତି, ଜନସେବା ଓ ତ୍ୟାଗର ତୁଳନା ନାହିଁ ବୋଲି ପ୍ରକାଶ କରିବା ସହ ତାଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ। ଶିକ୍ଷୟିତ୍ରୀ ଉଷାରାଣୀ ପତି, ଶିକ୍ଷକ କାଶିନାଥ ସାହୁ, ବିଜୟ କୁମାର ସାହୁ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଗୋପବନ୍ଧୁଙ୍କ ଜୀବନୀ ସଂପର୍କରେ ଆଲୋକପାତ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରାରମ୍ଭରେ ସ୍କୁଲ ପରିସରରେ ପ୍ରତିଷ୍ଠିତ ଉତ୍କଳମଣି ଗୋପବନ୍ଧୁଙ୍କ ସମେତ ଅନ୍ୟ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପ୍ରଧାନଶିକ୍ଷକ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାଲ୍ୟାର୍ପଣ କରିଥିଲେ। ଶିକ୍ଷୟିତ୍ରୀ ସରିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଆଠଗଡର ସରକାରୀ ବାଳିକା ହାଇସ୍କୁଲରେ ବିଶିଷ୍ଟ ଜନସେବକ, ସମାଜସେବୀ, ଏବଂ ସ୍ୱାଧୀନତା ସଂଗ୍ରାମୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମଜୟନ୍ତୀ ପାଳନ ଅବସରରେ ସେହି ମହାନ ବ୍ୟକ୍ତିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସଂକର୍ଷଣ ସାହୁ ଉତ୍କଳମଣିଙ୍କ ତ୍ୟାଗପୁତ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିବା ସହ ତାଙ୍କ ପରି ଜଣେ ନିସ୍ୱାର୍ଥପର ଜନସେବକ ଆଜିର ଦିନରେ ବିରଳ ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷୟିତ୍ରୀ ବିଜୟିନୀ ମହାନ୍ତି ଓ ଅନ୍ୟ ଶିକ୍ଷୟିତ୍ରୀମାନେ ଉତ୍କଳମଣିଙ୍କ ଜୀବନୀ ଓ କାର୍ଯ୍ୟଧାରା ସଂପର୍କରେ ଅବତାରଣା କରିଥିଲେ। ସ୍କୁଲ ପରିସରରେ ପ୍ରତିଷ୍ଠିତ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ପ୍ରଧାନଶିକ୍ଷକ ଶ୍ରୀ ସାହୁଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଖୁଣ୍ଟକଟାସ୍ଥିତ ଗୋପବନ୍ଧୁ ବାଳିକା ହାଇସ୍କୁଲରେ ମହାନ ଜନସେବକ ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ୧୪୪ତମ ଜୟନ୍ତୀ ପାଳିତ ହୋଇଯାଇଛି। ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ପ୍ରତିମା ଦେଇ ଏହି ଅବସରରେ ଗୋପବନ୍ଧୁଙ୍କ ତ୍ୟାଗପୁତ ଜୀବନାଦର୍ଶ ସଂପର୍କରେ ସ୍ମୃତିଚାରଣ କରି ତାଙ୍କର ସେବା ମନୋଭାବର ପଟ୍ଟାନ୍ତର ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ତାଙ୍କ ଜୀବନ ରାଜ୍ୟର ଦୀନ, ଦୁଃଖୀ, ଦରିଦ୍ର ଓ ବିପର୍ଯ୍ୟୟର ସେବାରେ ଉତ୍ସର୍ଗୀକୃତ ଥିଲା ବୋଲି ପ୍ରଧାନଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷକ/ ଶିକ୍ଷୟିତ୍ରୀ ନିଜ ବକ୍ତବ୍ୟରେ ପ୍ରକାଶ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ବିଦ୍ୟାଳୟର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସ୍କୁଲ ପରିସରରେ ପ୍ରତିଷ୍ଠିତ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଦେଇ ଓ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ।
ଆଠଗଡ ବ୍ଲକର ସମସରପୁରସ୍ଥିତ ସାବିତ୍ରୀ ରଥ ନୋଡାଲ ବିଦ୍ୟାପୀଠରେ ପୂଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ କୋଭିଡ ନିୟମ ଅନୁପାଳନ ପୂର୍ବକ ନିରାଡମ୍ବରରେ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ସୂର୍ଯ୍ୟମଣି ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଆଠଗଡ ଅଞ୍ଚଳର ବୟୋଜ୍ୟେଷ୍ଠ ସମାଜସେବୀ କଣ୍ଡୁରୀ ଚରଣ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଗୋପବନ୍ଧୁଙ୍କ ସେବା ଓ ତ୍ୟାଗ ସଂପର୍କରେ କହିବା ସହ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ। ପ୍ରଧାନଶିକ୍ଷକ ଶ୍ରୀ ବେହେରା ଶିକ୍ଷକ ପ୍ରମୋଦ କୁମାର ସାହୁ, ବସନ୍ତ କୁମାର ସ୍ୱାଇଁ, ଶିକ୍ଷୟିତ୍ରୀ ବିନୋଦିନୀ ଦେଇ, ସୁଚିତ୍ରା ରାଉତ, ମିତା ରାଉତ, ସୁଜାତା ସାମନ୍ତରାୟ, ସୂର୍ଯ୍ୟକାନ୍ତି ପଣ୍ଡା ପ୍ରମୁଖ ଗୋପବନ୍ଧୁଙ୍କ ତ୍ୟାଗପୁତ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ରଛାତ୍ରୀ ସେବାକୁ ଏକ ବ୍ରତ ଭାବେ ଗ୍ରହଣ କରିବା ପାଇଁ ଆହ୍ୱାନ ଜଣାଇଥିଲେ। ସ୍କୁଲ ପରିସରରେ ପ୍ରତିଷ୍ଠିତ ପଣ୍ଡିତ ଗୋପବନ୍ଧୁ, ଡଃ ରାଧାନାଥ ରଥ ଓ ତାଙ୍କ ସହଧର୍ମିଣୀ ସାବିତ୍ରୀ ରଥଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା। କାର୍ଯ୍ୟାଳୟ ସହାୟକ ନିରଞ୍ଜନ ସ୍ୱାଇଁ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। କର୍ମଚାରୀ ଶ୍ରୀନିବାସ ଗଣ୍ଠିଆ ଓ ବସନ୍ତ ନାୟକ ସହଯୋଗ କରିଥିଲେ।
ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ଗୋପବନ୍ଧୁ ମହିଳା ଡିଗ୍ରୀ ମହାବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଜନସେବକ ପଣ୍ଡିତ ଗୋପବନ୍ଧୁଙ୍କ ୧୪୪ତମ ଜୟନ୍ତୀ ପାଳିତ ହୋଇଯାଇଛି। ଗୋପବନ୍ଧୁ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ରଙ୍କ ପୌରହିତ୍ୟରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ଗୋପବନ୍ଧୁ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ସଂଗୀତା ମହାପାତ୍ର, ବରିଷ୍ଠ ଅଧ୍ୟାପିକା ସ୍ନେହଲତା ତ୍ରିପାଠୀ ପ୍ରମୁଖ ସମ୍ମାନିତ ବକ୍ତ ଭାବେ ଯୋଗଦେଇ ପଣ୍ଡିତ ଗୋପବନ୍ଧୁଙ୍କ ସେବା ମନୋଭାବ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ। ବାସ୍ତବରେ ସେ ଉତ୍କଳର ମଣି ନୁହଁନ୍ତି ବରଂ ସେ ସାରା ଜଗତର ମଣି ବୋଲି ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ର ପ୍ରକାଶ କରିଥିଲେ। କଲେଜର ଅନ୍ୟ ଅଧ୍ୟାପିକା ମାନେ ମଧ୍ୟ ଉତ୍କଳମଣିଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କଲେଜ ପରିସରରେ ପ୍ରତିଷ୍ଠିତ ଉତ୍କଳମଣି ଗୋପବନ୍ଧୁ ଓ ତାଙ୍କର ପ୍ରିୟ ଶିଷ୍ୟ ପଦ୍ମଭୂଣଷ ଡଃ ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ଆଠଗଡର ସର୍ବପୁରାତନ ଗୋପବନ୍ଧୁ ବିଜ୍ଞାନ କଲେଜରେ ମହାନ ଦେଶଭକ୍ତ, ସ୍ୱାଧୀନତା ସଂଗ୍ରାମୀ, ଦୀନଦୁଃଖୀଙ୍କ ଦରଦି ବନ୍ଧୁ ପଣ୍ଡିତ ଗୋପବନ୍ଧୁଙ୍କ ୧୪୪ତମ ଜନ୍ମଜୟନ୍ତୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। କଲେଜ ଅଧ୍ୟକ ଡଃ ଲୋକନାଥ ସାହୁଙ୍କ ସମେତ ଅନ୍ୟ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ କଲେଜ ପରିସରରେ ପ୍ରତିଷ୍ଠିତ ଉତ୍କଳମଣି ଗୋପବନ୍ଧୁ ଓ ଡଃ ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ। ଏହି ଅବସରରେ ଅଧ୍ୟକ୍ଷ ଡଃ ସାହୁ ଓ ବରିଷ୍ଠ ଅଧ୍ୟାପକ ବିଜୟ କୁମାର ତ୍ରିପାଠୀଙ୍କ ସମେତ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ଉଦ୍‍ବୋଧନ ଦେଇ ଗୋପବନ୍ଧୁଙ୍କ ନୀତି, ଆଦର୍ଶ ଓ ସେବା ମନୋଭାବ ସଂପର୍କରେ ଆଲୋକପାତ କରି ଛାତ୍ରଛାତ୍ରୀଙ୍କୁ ଏଥିରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ। ଗ୍ରନ୍ଥାଗାରିକ ଆଲୋକ କୁମାର ପଟ୍ଟନାୟକ, ମୁଖ୍ୟକିରାଣୀ ପ୍ରଦୀପ କୁମାର ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଆଠଗଡର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବିଶିଷ୍ଟ ଜନସେବକ, ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ, ଶିକ୍ଷାବିତ୍‍ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୧୪୪ତମ ଜୟନ୍ତୀ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ମହିଳା କଲେଜ ସନ୍ନିକଟ ପୂଜ୍ୟପୂଜା ପୀଠରେ ପ୍ରତିଷ୍ଠିତ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଜଣାଇବା ସହ ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ସେବା ଓ ତ୍ୟାଗ ସଂପର୍କରେ ଆଲୋକପାତ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଜଣାଇଥିଲେ। ଏନଏସିର ମୁଖ୍ୟକିରାଣୀ ନିରଞ୍ଜନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ସୁଧି ରଞ୍ଜନ ଦାଶ ଯୋଗଦେଇ ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିରେ ଏନଏସିର କର୍ମଚାରୀ ଓ ଗୋପବନ୍ଧୁ ମହିଳା କଲେଜର ବହୁ ଛାତ୍ରୀ ଯୋଗଦାନ କରିଥିଲେ।

Comments are closed.