ସାପୁଆ ନଦୀରେ ବନ୍ୟା ବିତ୍ପାତ, ପୁରୁଣା କଟକ-ସମ୍ବଲପୁର ଯୋଗାଯୋଗ ବିଚ୍ଛିନ୍ନ

୪ଟି ପଞ୍ଚାୟତର ୧୬ ଗାଁ
ଏନଏସିର ୭ଟି ୱାର୍ଡ ପ୍ରଭାବିତ
୫୪୮୫ ଲୋକ ସ୍ଥାନାନ୍ତରିତ
ଶୁଖିଲା ଖାଦ୍ୟ ବଣ୍ଟନ

ଆଠଗଡ: ଲଘୁଚାପଜନିତ ଦୁଇଦିନ ଧରି ଲଗାଣ ବର୍ଷା ଫଳରେ ଆଠଗଡ ବ୍ଲକ ଦେଇ ପ୍ରବାହିତ ସାପୁଆ ନଦୀରେ ବନ୍ୟା ବିତ୍ପାତ ଯୋଗୁଁ ନାହଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର ଓ ସୋମବାର ୨୪ଘଣ୍ଟା ମଧ୍ୟରେ ୧୯୮ମିମି ବର୍ଷା ହେବା ଏବଂ ସାପୁଆ ନଦୀର ଉପରମୁଣ୍ଡ ହିନ୍ଦୋଳ ଅଞ୍ଚଳରେ ପ୍ରବଳ ବର୍ଷା ଫଳରେ ମଙ୍ଗଳବାର ଭୋର ସମୟରେ ସାପୁଆ ନଦୀରେ ବନ୍ୟା ଆସି ଅନେକ ସ୍ଥାନରେ ବନ୍ୟାଜଳ କୂଳ ଲଙ୍ଘିବା ସହ କେତେକ ସ୍ଥାନରେ ଘାଇ ସୃଷ୍ଟି ହେବା ଫଳରେ ୪ଟି ପଞ୍ଚାୟତର ୧୬ଟି ଗ୍ରାମ ଏବଂ ଆଠଗଡ ଏନଏସିର ୭ଟି ୱାର୍ଡରେ ବନ୍ୟାଜଳ ପଶିଥିଲା। ଫଳରେ ପ୍ରାୟ ୭୫୦୦ଲୋକ ପ୍ରଭାବିତ ହୋଇଛନ୍ତି।

ଆଠଗଡ ବ୍ଲକର ଇଚ୍ଛାପୁର, ମହାକାଳବସ୍ତ, ତରଡିଙ୍ଗ ଓ କୁଲାଇଲୋ ପଞ୍ଚାୟତ ଅନ୍ତର୍ଗତ ଇଚ୍ଛାପୁର, ଗୁଡୁପଡା, ଦହିସରା, ହରିପୁର, ମହାକାଳବସ୍ତ ତଳସାହି, ମଞ୍ଜାରୀପଦା, ଚମ୍ପାପୁର, ମାଧପୁର ନୋଧାସାହି, ତରଡିଙ୍ଗ, ତେନ୍ତୁଳିଆ, ଗଜାଆମ୍ବ, ବାଇଲୋ, କରକମଳ, ପାଟଲିଙ୍ଗା, ଶିଳାପାଟ ଓ ବିରିଜିଙ୍ଗା ଆଦି ଗ୍ରାମ ଏବଂ ଆଠଗଡ ଏନଏସିର ୨ନଂ, ୩ନଂ, ୪ନଂ ଓ କନ୍ତୋଲ ଅଞ୍ଚଳର ୧୦,୧୧, ୧୨ ଓ ୧୩ନଂ ଆଦି ୪ଟି ୱାର୍ଡରେ ବନ୍ୟାଜଳ ପଶିବା ଫଳରେ ଲୋକମାନେ ଦୁର୍ଦଶା ଭୋଗୁଛନ୍ତି। ଏହି ସବୁ ଗ୍ରାମାଞ୍ଚଳ ଓ ସହରର ୱାର୍ଡ ଗୁଡିକରେ ଲୋକଙ୍କ ଘରେ ବନ୍ୟାଜଳ ପଶି ବହୁ କ୍ଷୟକ୍ଷତି ହୋଇଥିବା ଜଣାପଡିଛି।

ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି, ତହସିଲଦାର ତପନ କୁମାର ଖୁଣ୍ଟିଆ, ବିଡିଓ ଅରୁଣ କୁମାର ଦାସ, ଅତିରିକ୍ତ ବିଡିଓ ଉପେନ୍ଦ୍ର କୁମାର ଜେନା, ଏନଏସି ନିର୍ବାହୀ ଅଧିକାରୀ ଆଶାଲତା ରଚମାଳା ପ୍ରମୁଖ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ପ୍ରଭାବିତ ଲୋକଙ୍କୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ, କୋଠଘର ଓ ସ୍କୁଲ ଘରକୁ ସ୍ଥାନାନ୍ତରିତ କରିବା ସହ ସେମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ବ୍ୟବସ୍ଥା କରିଥିଲେ। ଗାଈଗୋରୁଙ୍କୁ ମଧ୍ୟ ବାତ୍ୟାଆଶ୍ରୟସ୍ଥଳ, ସ୍କୁଲ ପରିସର ଓ ଉଚ୍ଚାସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଶୁଖିଲା ଖାଦ୍ୟଛଡା ଦହିସରାର ଲୋଧାସାହିରେ ସନ୍ଧ୍ୟାରେ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଛି ଏବଂ ଆବଶ୍ୟକ ସ୍ଥଳେ ଅନ୍ୟ ସ୍ଥାନରେ ମଧ୍ୟ ରନ୍ଧାଖାଦ୍ୟ ଯୋଗାଇ ଦେବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ମହାକାଳବସ୍ତ ନିକଟ ଜିଆଣିଆ ବନ୍ଧଠାରେ ଓ ଇଚ୍ଛାପୁର ପଞ୍ଚାୟତରେ ସାପୁଆ ନଦୀବନ୍ଧରେ ମୋଟ ୩ଟି ଘାଇ ସୃଷ୍ଟି ହେବା ଫଳରେ ହଜାର ହଜାର ଏକର ଚାଷଜମି ଜଳାର୍ଣ୍ଣବ ହେବା ସହ ଅନେକ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେବା ଦ୍ୱାରା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୁରୁଣା କଟକ ସମ୍ବଲପୁର ରାସ୍ତାର ଦହିସରା ନିକଟରେ ଢାଉରଙ୍ଗ ପୋଲ ଓ ପ୍ରାୟ ୩୦୦ମିଟର ସଂଯୋଗୀ ରାସ୍ତାରେ ୪ଫୁଟରୁ ଅଧିକ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେବା ଫଳରେ ସେହିରାସ୍ତାରେ ଯାତାୟତ ଠପ୍‍ ହୋଇଯାଇଛି।

ଠିକ୍‍ ସେହିପରି ଉକ୍ତ ରାସ୍ତାର ନଡୁଆପଡା ନିକଟରେ ଓ ଆଠଗଡ ସହର ଉପକଣ୍ଠ ବିଏସଏନଏଲ କାର୍ଯ୍ୟାଳୟ ନିକଟରେ ୬୫ନଂ ରାଜ୍ୟ ରାଜପଥରେ ଅଢେଇଫୁଟ ବନ୍ୟାଜଳ ପ୍ରବାହିତ ହେଉଛି। ଆଠଗଡ ବ୍ଲକ ପକ୍ଷରୁ ପ୍ରଭାବିତ ୪ଟି ପଞ୍ଚାୟତର ୧୬ଟି ଗ୍ରାମରେ ୪୯.୧୯କ୍ୟୁଣ୍ଟାଲ ଚୁଡା ଓ ୪.୯୨କ୍ୟୁଣ୍ଟାଲ ଗୁଡ ବଣ୍ଟନ କରାଯାଇଛି। ସେହିପରି ଏନଏସି ପକ୍ଷରୁ ୪ଟି ୱାର୍ଡରେ ପ୍ରାୟ ୧୮୦୦ ପ୍ରଭାବିତ ଲୋକଙ୍କୁ ଚୁଡା, ଚିନି ଓ ବିସ୍କୁଟ୍‍ ବଣ୍ଟନ କରାଯାଇଛି। ସାପୁଆ ନଦୀର ଏହି ବନ୍ୟାରେ ପ୍ରାଥମିକ ଆକଳନ ଅନୁଯାୟୀ ଆଠଗଡ ଅଞ୍ଚଳରେ ପ୍ରାୟ ୩ହଜାର ହେକ୍ଟର ଚାଷଜମି ଜଳାର୍ଣ୍ଣବ ହୋଇ କ୍ଷତିଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଛି ବୋଲି ଜିଲ୍ଲା କୃଷି ଅଧିକାରୀ ଜଗବନ୍ଧୁ ମିଶ୍ରଙ୍କ ସୁତ୍ରରୁ ପ୍ରକାଶ। ମଙ୍ଗଳବାର ବର୍ଷା ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ବନ୍ୟା ପରିସ୍ଥିତି ବୁଧବାର ସୁଦ୍ଧା କିଛିଟା ସୁଧୁରିଯିବ ବୋଲି ଆଶା ପ୍ରକାଶ କରାଯାଇଛି।

Comments are closed.