କଷ୍ଟ ଆଉ ସହି ହେଉନି…ଅସହ୍ୟ ଯନ୍ତ୍ରଣା ଯୋଗୁ ପ୍ରାଣ ହାରିଲେ ଜସ୍ମିନ୍‍

ଆଠଗଡ: ଆଠଗଡ ସୀମାବର୍ତ୍ତୀ ବାଙ୍କୀ ବ୍ଲକ ଅନ୍ତର୍ଗତ ମାଳବିହାରୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ‘ରୋଗ ଆଉ ସହିହେଉନି, ଏ ରୋଗ ଯନ୍ତ୍ରଣା ମତେ ଆଉ ବଞ୍ଚାଇ ଦେବନାହିଁ’ ଏହିପରି ରୋଗ କଷ୍ଟ ବିକଳରେ କହୁଥିଲେ ମାଳବିହାରୀପୁର ଗ୍ରାମର ପର୍ଶୁରାମ ପ୍ରଧାନଙ୍କର ୧୫ବର୍ଷ ବୟସ୍କା ଝିଅ ଜସ୍ମିନ୍‍। ପିଲାଟି ଦିନରୁ ଶ୍ୱାସରୋଗରେ ପୀଡିତ ହୋଇ ଅଧିକାଂଶ ସମୟରେ କଷ୍ଟ ପାଉଥିଲେ। ବାପା ପର୍ଶୁରାମଙ୍କର ସ୍ୱଳ୍ପ ରୋଜଗାର ଭିତରେ ଯେତିକି ସମ୍ଭବ ଝିଅର ଚିକିତ୍ସା ସେ କରାଇଥିଲେ ମଧ୍ୟ ଶ୍ୱାସରୋଗ ଭଲ ହେବା ପରିବର୍ତ୍ତେ ଦିନକୁ ଦିନ ଅଧିକ ହେଉଥିଲା। ତଥାପି ବୟସ ବଢିବା ସାଙ୍ଗରେ ବାପା ପର୍ଶୁରାମ ଝିଅକୁ କିପରି ଭଲ କରିବେ ସେଥିପାଇଁ ଧାର କରଜ କରି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଉଥିଲେ ମଧ୍ୟ ସେପରି କିଛି ସୁଫଳ ମିଳିନଥିଲା।

ସ୍ୱାସ୍ଥ୍ୟବୀମା ହେଉ ବା ଅନ୍ୟ ସରକାରୀ ଯୋଜନା ହେଉ ସବୁ ଯେପରି ପର୍ଶୁରାମ ଓ ତାଙ୍କ ଝିଅ ଜସ୍ମିନ୍‍ଙ୍କ ପାଇଁ ଉପହାସ ସଦୃଶ ଥିଲା। ସରକାରୀ ବାବୁ ଏବଂ ବିଭିନ୍ନ ଅନୁଷ୍ଠାନକୁ ନେହୁରା ହୋଇଥିଲେ ମଧ୍ୟ କୌଣସି ସହାୟତା ପାଇନଥିଲେ। ବୁଧବାର ବିଳମ୍ବିତ ରାତିରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅତ୍ୟଧିକ କଷ୍ଟ ସହିନପାରି ନିଜ ଦେହରେ କିରୋସିନ୍‍ ଢାଳି ନିଆଁ ଲଗାଇ ଦେଇଥିଲେ ଜସ୍ମିନ୍‍। ଘରେ ସମସ୍ତେ ଶୋଇଥିବା ବେଳେ ଏହି ଘଟଣା ଘଟିଥିଲା। ଝିଅର ଚିତ୍କାର ଶୁଣି ପରିବାର ଲୋକ ଉଠି ତାକୁ ନିଆଁରୁ ଉଦ୍ଧାର କରି ତୁରନ୍ତ ୧୦୮ ଆମ୍ବୁଲାନ୍ସରେ ନିକଟବର୍ତ୍ତୀ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ତେବେ ଶରୀର ୯୦ଭାଗ ପୋଡି ଯାଇଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଗୁରୁବାର ସକାଳ ୮ଟାରେ ଜସ୍ମିନ୍‍ ମୃତ୍ୟୁବରଣ କରିଥିଲେ। ଜସ୍ମିନଙ୍କ ମୃତ୍ୟୁରେ ମାଳବିହାରପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Comments are closed.