ଦରଦାମ ବୃଦ୍ଧି ପ୍ରତିବାଦରେ ମହିଳା ବିଜେଡି ପକ୍ଷରୁ ଶୋଭାଯାତ୍ରା ଓ ବିକ୍ଷୋଭ

ଆଠଗଡ : ଦରଦାମ ବୃଦ୍ଧି ବିଶେଷ କରି ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଦରର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଠଗଡ ମହିଳା ବିଜୁ ଜନତା ଦଳ ପକ୍ଷରୁ ସୋମବାର ଏକ ବିଶାଳ ଶୋଭାଯାତ୍ରା ସହିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଠଗଡ ସହର ଉପକଣ୍ଠ ସାପୁଆନଦୀ ନିକଟ, ବିରକିଶୋରପୁର ଛକ, ଝରଣଛକ ଓ ମହିଳା କଲେଜ ସନ୍ନିକଟ କ୍ଷୁଦ୍ର କ୍ରୀଡାଙ୍ଗନଠାରୁ ୪ଟି ଶୋଭାଯାତ୍ରାରେ ଶହ ଶହ ମହିଳା ବିଜେଡି କର୍ମୀ ଓ ନେତ୍ରୀ ବାହାରି ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ମହିଳା ବିଜେଡି ନେତ୍ରୀ ଓ କର୍ମୀ ଶଗଡ ଉପରେ ରନ୍ଧନ ଗ୍ୟାସ ସିଲିଣ୍ଡର, ପେଟ୍ରୋଲ ଓ ଡିଜେଲ ହାତରେ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଠଗଡ ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଅଶାନ୍ତି ବେହେରାଙ୍କ ସଂଯୋଜନାରେ ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ତିଗିରିଆ ବ୍ଲକ ସଭାନେତେରୀ ରୂପା ଦଳେଇ, ଆଠଗଡ ଏନଏସି ସଭାନେତ୍ରୀ ରଞ୍ଜିତା ଭକ୍ତା, ଟାଙ୍ଗୀ ଚୌଦ୍ୱାର ସଭାନେତ୍ରୀ ମଧୁସ୍ମିତା ସେଠୀଙ୍କ ସମେତ ଲକ୍ଷ୍ମୀପ୍ରିୟା ବେହେରା, ଶର୍ମିଳା ନାୟକ, ସବିତା ବେହେରା, ସସ୍ମିତା ନାୟକ, ସବିତା କୁଣ୍ଡୁ, ସୌଦାମିନୀ ସାହୁ, ପ୍ରଣତି ନାୟକ, ଜାନକୀଲତା ନାଏକ, ରଶ୍ମିତା ମହାଳିକ, ବିଜୟଲକ୍ଷ୍ମୀ ଖଟୁଆ, ସୁଜାତା ରାଉତ, ପୂର୍ବତନ ନଗରପାଳ ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ ଓ ସୁଚିତ୍ରା ସାହୁ, ରିମଝିମ୍‍ ରାଉତ, ବର୍ଷା ରଣା, ଦମୟନ୍ତି ରଣା, ରେଣୁବାଳା ବସ୍ତି, ପ୍ରତିମା ମହାନ୍ତି, ରାଜ୍ୟ ଯୁଗ୍ମ ସମ୍ପାଦିକା ବାସନ୍ତି ରାଉଳ, ସଂପାଦିକା ମିତାଲି ରାଉତଙ୍କ ସମେତ ବହୁ ମହିଳା ବିଜେଡି ନେତ୍ରୀ କେନ୍ଦ୍ରର ମୋଦୀଙ୍କ ନେତୃତ୍ୱାଧିନ ଏନଡିଏ ସରକାରଙ୍କୁ ଦରଦାମ ବୃଦ୍ଧି ପାଇଁ ଦାୟୀ କରି ଏହା କଣ ମୋଦୀଙ୍କ ଆଚ୍ଛେଦିନ ବୋଲି ପ୍ରଶ୍ନ କରି ତୀବ୍ର ସମାଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ, ଜିଲ୍ଲା ଉପସଭାପତି ନୃସିଂହ ମହାପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ କୁମାର ଆଚାର୍ଯ୍ୟଙ୍କ ସମେତ ବହୁ ତୁଙ୍ଗ ନେତା ଯୋଗଦେଇ ମହିଳା ବିଜେଡିର ଏହି ପ୍ରତିବାଦ ସଭାରେ ଉଦବୋଧନ ଦେଇଥିଲେ। ପରିଶେଷରେ ମହିଳା ବିଜେଡି ପକ୍ଷରୁ ଉପଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

Comments are closed.