ରଥ, ପଥ ଓ ଭକ୍ତ ପ୍ରସ୍ତୁତ, ଜଗନ୍ନାଥଙ୍କୁ ଅପେକ୍ଷା

ଆଠଗଡ଼: ଆଠଗଡ଼ ଗଡ଼ଜାତ ଅଞ୍ଚଳର ଆରାଧ୍ୟ ପ୍ରଭୁ ଅଟ୍ଟାଳି ଜଗନ୍ନାଥ ଦେବଙ୍କ ଶୁକ୍ରବାର ଶ୍ରୀଗୁଣ୍ଡିଚା ଯାତ୍ରା ଲାଗି ରଥ, ପଥ ଓ ଦୁଇବର୍ଷ ପରେ ରଥ ଟାଣିବା ପାଇଁ ଭକ୍ତ ପ୍ରସ୍ତୁତ ହୋଇଗଲେଣି। କରୋନା ମହାମାରୀ ଯୋଗୁଁ ଦୁଇବର୍ଷ ପରେ ଭକ୍ତମାନେ ରଥ ଟାଣିବା ପାଇଁ ଅନୁମତି ମିଳିଥିବାରୁ ଚଳିତବର୍ଷ ବହୁ ଅଧିକ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥିପାଇଁ ବୁଧବାର ତହସିଲଦାର ପ୍ରିୟବ୍ରତ ଦାସଙ୍କ ଅଧ୍ୟକ୍ଷତାରେ ଏକ ଚୂଡାନ୍ତ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ଲାଗି ବିଭିନ୍ନ ବିଭାଗକୁ ଦାୟିତ୍ୱମାନ ଅର୍ପଣ କରାଯାଇଥିଲା। ମୁଖ୍ୟତଃ ଟ୍ରାଫିକ୍‍ ନିୟନ୍ତ୍ରଣ, ସ୍ୱାସ୍ଥ୍ୟସେବା, ଆଇନଶୃଙ୍ଖଳା ପରିସ୍ଥିତି, ରଥଟଣାକୁ ନିୟନ୍ତ୍ରିତ କରିବା, ପରିମଳ ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ରଥଗଡ଼ାଠାରୁ ଲକ୍ଷ୍ମୀବଜାରସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡରେ ରଥଟଣା ପୂର୍ବରୁ ଅପରାହ୍ନ ୧ଟା ପରେ କୌଣସି ଦୁଇଚକିଆ ଅବା ୪ଚକିଆ ଯାନ ରାସ୍ତାକଡରେ ନରଖିବାକୁ ପରାମର୍ଶ ଦିଆଯାଇଛି।

ରଥଟଣା ପୂର୍ବରୁ ରଥଦାଣ୍ଡରେ କୌଣସି ଯାନବାହାନ ରହିଥିଲେ ସେଗୁଡିକୁ ପୁଲିସ ପକ୍ଷରୁ କ୍ରେନ ସାହାଯ୍ୟରେ ଉଠାଇନେବା ଲାଗି ବ୍ୟବସ୍ଥା କରାଯାଇଛି। ରଥଟଣାକୁ ବ୍ୟବସ୍ଥିତ କରିବା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ ହେବା ସହ ଏଥିରେ ଗୋପବନ୍ଧୁ ବିଜ୍ଞାନ କଲେଜର ଏନସିସି, ଏନଏସଏସ ଓ ସ୍କାଉଟ ଗାଇଡ ଛାତ୍ରଛାତ୍ରୀଙ୍କ ସହାୟତା ନିଆଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ନିରବଚ୍ଛିନ୍ନ ବିଦ୍ୟୁତ ଓ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସୂଚନା କେନ୍ଦ୍ର ମାଧ୍ୟମରେ ଧାରା ବିବରଣୀ ପ୍ରସାର କରାଯିବା ଲାଗି ନିଷ୍ପତ୍ତି କରାଯାଇଛି। ଏହି ବୈଠକରେ ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର, ଉପଖଣ୍ଡ ପୁଲିସ ଅଧିକାରୀ ବିଜୟ କୁମାର ବିସି, ମଣ୍ଡଳ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସ, ସହକାରୀ ଜିଲ୍ଲାପାଳ ପ୍ରଜ୍ଞାପରମିତା ପୃଷ୍ଟି ଏନଏସି ନିର୍ବାହୀ ଅଧିକାରୀ ଆଶାଲତା ରଚମାଳା, ଆଇଆଇସି ବାମଦେବ ସ୍ୱାଇଁଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା ରଥଯାତ୍ରା ସଂପର୍କୀତ ବିବରଣୀ ପ୍ରଦାନ କରିଥିବାବେଳେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.