ମହାନଗରର ପରିମଳ ପ୍ରହସନ, ଅଜସ୍ର ରାଜସ୍ୱ ଖର୍ଚ୍ଚ ସତ୍ତ୍ବେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା

ସମ୍ବଲପୁର:ସମ୍ବଲପୁର ମହାନଗର ନିଗମରେ ସ୍ୱଚ୍ଛ ଭାରତ ନାରା ଦେଇ ଅଜସ୍ର ରାଜସ୍ୱ ଖର୍ଚ୍ଚ ସତ୍ୱେ ୪୧ଟି ୱାର୍ଡରେ ପରିମଳ ବ୍ୟବସ୍ଥା ସୁଧୁରିବାର ନାମ ନେଉ ନାହିଁ। ମାସକୁ ୨ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ସତ୍ତ୍ବେ ବର୍ଷ ତମାମ ନିଗମ ଅଞ୍ଚଳର ପରିମଳ ଦୃଶ୍ୟ ବଦଳୁ ନ ଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସ୍ୱଚ୍ଛ ଭାରତ ଅଭିଯାନ ଅନୁଯାୟୀ ସହରରେ ବିଭିନ୍ନ ବ୍ୟୟବହୁଳ ସଚତେନତା ଧର୍ମୀ କାର୍ଯ୍ୟକ୍ରମ ମାନ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇ ଚାଲିଛି। ଅଥଚ ସହରର ପରିମଳ ବ୍ୟବସ୍ଥା ସୁଧରିବାର ନାମ ନେଉ ନାହିଁ। ପ୍ରଶାସନର ପରିଚାଳନା ଗତ ତ୍ରୃଟି ସହରକୁ ବର୍ଷତମାମ ଆବର୍ଜନା ମୟ କରି ରଖୁଛି। ସହରର ରିଙ୍ଗ ରୋଡକୁ ସବୁଜ ସୁନ୍ଦର କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ମହାନଗର ନିଗମର ଅପାରଗତା ଓ ପରିଚାଳନାଗତ ତ୍ରୃଟି ଯୋଗୁଁ ପୁଣି ଥରେ ଏହା ଆବର୍ଜନା ମୟ ହେଲାଣି।

ମହାନଦୀ ତଟରେ ରହିଥିବା ବିଭିନ୍ନ ପଡା ମାନଙ୍କରେ ମହାନଗର ନିଗମ ପକ୍ଷରୁ ସଫେଇ କାର୍ଯ୍ୟ ଠିକ ଭାବରେ କରାଯାଉ ନ ଥିବାରୁ ଲୋକେ ବାଧ୍ୟ ହୋଇ ରିଙ୍ଗ ରୋଡରେ ମହାନଦୀ ପଟକୁ ଅଳିଆ ଅବର୍ଜନା ପକାଉଛନ୍ତି। ଏହା ସହିତ ବହୁ ସମୟରେ ମହାନଗର ନିଗମ ର ସଫେଇ କର୍ମଚାରୀ ମାନେ ମଧ୍ୟ ରିଂ ରୋଡ କଡରେ ଆବର୍ଜନା ପକାଉଥିବାର ମଧ୍ୟ ଦେଖାଯାଉଛି। ଏଥିରୁ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ ମହାନଗରର ଖୋଲା ଅଞ୍ଚଳ ଗୁଡିକରେ ଯଦି ପରିମଳ ବ୍ୟବସ୍ଥା ଏଭଳି ଅବ୍ୟବସ୍ଥା ରହିଛି ତାହା ହେଲେ ସହରର ଭିତରେ ଏବଂ ବସ୍ତି ଅଞ୍ଚଳ ଗୁଡିକରେ ସଫେଇ କାର୍ଯ୍ୟର ହାଲ ସହଜେ ଅନୁମେୟ।

ଏହା ସହ ସହରର ବହୁ ସ୍ଥାନରେ ଛୋଟ ଛୋଟ ଡମ୍ପିଙ୍ଗ ୟାର୍ଡ ନିର୍ମାଣ କରାଯାଇଛି। ସେହି ଡମ୍ପିଙ୍ଗ ୟାର୍ଡରେ ସଫେଇ କର୍ମଚାରୀ ମାନେ ଅଞ୍ଚଳର ମଇଳା ଗୁଡିକୁ ସଂଗ୍ରହ କରି ଜମା କରିଥାନ୍ତି। ଏହି ସ୍ଥାନରୁ ମହାନଗର ନିଗମର ବିଭିନ୍ନ ଯାନ ଦ୍ୱାରା ସହର ବାହାରେ ଥିବା ଡମ୍ପିଙ୍ଗ ୟାର୍ଡ କୁ ସ୍ଥାନାନ୍ତରିତ କରାଯାଇଥାଏ। ତେବେ ଏହି ଡମ୍ପିଙ୍ଗ ୟାର୍ଡ ଗୁଡିକ ମୁଖ୍ୟ ରାସ୍ତା କଡରେ ରହିଛି। ଡମ୍ପିଙ୍ଗ ୟାର୍ଡ ଗୁଡିକ ନିୟମିତ ଭାବରେ ସଫା କରାଯାଉ ନ ଥିବାରୁ ଏ ଗୁଡିକ ଏବେ ଅଞ୍ଚଳର ପରିବେଶ କୁ ଦୁଷିତ କରିବା ସହିତ ମଶା, ମାଛି ଆଦିର ଗନ୍ତାଘର ସାଜିଛି ଏବଂ ଲୋକେ ଅସ୍ୱାସ୍ଥ୍ୟକର ପରିବେଶରେ ରହି ଅସୁସ୍ଥ ହେଉଛନ୍ତି। ସହରର ମୁଖ୍ୟ ରାସ୍ତା ଗୁଡିକ କଡରେ ଡମ୍ପିଂ ୟାର୍ଡ ଯୋଗୁଁ ଅଞ୍ଚଳ ଦୁର୍ଗନ୍ଧମୟ ହୋଇ ରହୁଥିବାରୁ ପଥଚାରୀ ଙ୍କ ସମେତ ଯାତାୟାତ କରୁଥିବା ଲୋକେ ନାକ ଚାପି ସେହି ଅଞ୍ଚଳ ଦେଇ ଯିବାକୁ ବାଧ୍ୟ ହେଉଛନ୍ତି।

ଏହା ସହିତ ବର୍ଷା ସମୟରେ ଏହି ଅଳିଆ ଆବର୍ଜନା ଗୁଡିକ ବର୍ଷା ଜଳରେ ଭାସି ଯାଇ ନାଳ ଜାମ କରିବା ସହିତ ଅଞ୍ଚଳକୁ ଦୁଷିତ କରୁଛି। ଏଥି ସହ ମହାନଗର ନିଗମ ପକ୍ଷରୁ ଘରମାନଙ୍କରୁ ଅଳିଆ ଅବର୍ଜନା ସଂଗ୍ରହ କରିବା ପାଇଁ ବ୍ୟାପକ ପ୍ରଚାର ପ୍ରସାର ହେଉଥିବା ବେଳେ ସହରର କିଛି ସ୍ଥାନକୁ ନିୟମିତ ଭାବରେ ଆବର୍ଜନା ସଂଗ୍ରହ ଗାଡି ଯାଉଥିବା ବେଳେ ବହୁ ସ୍ଥାନକୁ ଗାଡି ଯାଉ ନାହିଁ।

ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ପ୍ରତି ମାସ ନିଗମ ଅଞ୍ଚଳକୁ ସଫାସୁତୁରା ରଖାଯିବା ପାଇଁ ୨ କୋଟି ଟଙ୍କାରୁ ଉର୍ଦ୍ଧ ଖର୍ଚ୍ଚ କରାଯାଉଥିବା ବେଳେ କିନ୍ତୁ ତାହା ପ୍ରକୃତ କ୍ଷେତ୍ରରେ ପ୍ରତିଫଳିତ ହେଉ ନ ଥିବା ଚିନ୍ତାଜନକ ବିଷୟ ଅଟେ। ଏହା ସହିତ ସଫେଇ କାର୍ଯ୍ୟରେ ନିଯୁକ୍ତ ବେସରକାରୀ ସଂସ୍ଥାକୁ ଅହେତୁକ ଅନକମ୍ପା ପ୍ରଦାନ କରାଯାଉଥିବାରୁ ଏଥିରେ ବ୍ୟାପକ ଦୁର୍ନିତୀ ହେଉଥିବାର ଗନ୍ଧ ସ୍ପଷ୍ଟ ରୂପେ ବାରି ହୋଇ ପଡୁଛି ବୋଲି ନିଗମବାସୀ ଅଭିଯୋଗ କରୁଛନ୍ତି, ଯାହାକି ତଦନ୍ତ ସାପେକ୍ଷ ବୋଲି ନିଗମବାସୀ ଦାବି କରୁଛନ୍ତି।

Comments are closed.