ବନ୍ୟା ପାଣିରେ ଭାସିଗଲା କାର୍‌; ପାଣିରେ ୪ଘଣ୍ଟା ଫସି ରହିଲେ ୪ଜଣ, ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଆଠଗଡ: ପୁରୁଣାକଟକ-ସମ୍ବଲପୁର ରାସ୍ତାର ଘଣ୍ଟିଖାଲ ନିକଟରେ ସୋମବାର ରାତି ପ୍ରାୟ ୧୧ଟାରେ ବନ୍ୟାଜଳରେ ଭାସିଗଲା କାର । ଖବର ପାଇ ଆଠଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ସୁରକ୍ଷିତ ଭାବରେ ଯାତ୍ରୀ ମାନଙ୍କୁ ଉଦ୍ଧାର କରିଛନ୍ତି। ଗତକାଲି ସୋମବାର ଅନୁଗୋଳର ହଳଧର ଦାସ, ପତ୍ନୀ ମମତା ଦାସ ଏବଂ ପୁଅ ଶିବ ସୁନ୍ଦର ଦାସ ଏକ ହୋଣ୍ଡା ଆମେଜ ଓଡି-୦୨- ବି ଏନ୍ -୫୭୩୦ କାରରେ ଚାଳକ ଅମୂଲ୍ୟ ସାହୁଙ୍କ ସହିତ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଇଥିଲେ । ଗଲାବେଳେ ସେହି ରାସ୍ତାରେ ଯାଇଥିବାବେଳେ ଫେରିବା ବେଳକୁ ରାତି ପ୍ରାୟ ୧୧ଟା ବେଳେ ପୁରୁଣା କଟକ-ସମ୍ବଲପୁର ରାସ୍ତା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଘଣ୍ଟିଖାଲ ଗଡାଠାରେ ବନ୍ୟାଜଳ ପ୍ରଖର ଗତିରେ ପ୍ରବାହିତ ହେଉଥିଲା।

ତେବେ ଗାଡିର ଚାଳକ ଭଦ୍ରକ ଜିଲ୍ଲାର ଅମୂଲ୍ୟ ବନ୍ୟାଜଳର ଗଭୀରତା ଜାଣିନପାରି ଗାଡ଼ିଟିକୁ ପାଣିରେ ପୁରାଇ ଦେଵାରୁ କାରଟି ସ୍ରୋତରେ ଭାରସାମ୍ୟ ହରାଇ ପାଣିରେ ଭାସି ଯାଇଥିଲା । ପାଣିର ସ୍ରୋତ କାର ଟିକୁ ପ୍ରାୟ ୨୫୦ ମିଟର ପର୍ଯ୍ୟନ୍ତ ଭସାଇ ନେଇଥିଲା । କାରଟି ଭାସି ଯାଇ ଦୁଇଟି ପଥର ମଝିରେ ଫସିଯିବା ଯୋଗୁଁ ସମସ୍ତ ଯାତ୍ରୀ କୌଣସି ପ୍ରକାରେ କାର ଭିତରୁ ବାହାରକୁ ବାହାରି ସମ୍ପୂର୍ଣ୍ଣ ବୁଡି ରହିଥିବା ଗାଡି ଉପରକୁ ଚାଲି ଆସିଥିଲେ। ଖବର ପାଇ ଆଠଗଡ଼ ଅଗ୍ନିଶମ ବିଭାଗ ଅଧିକାରୀ ଦୁଷ୍ମନ୍ତ କୁମାର ସ୍ବାଇଁ, ଆଗ୍ନିକ ସୁଶାନ୍ତ କୁମାର ସାମଲ,ଦୀପେନ ସାହୁ, ସୁନୀଲ ରାଉତ ,ଧୀରଜ ବାଇଧର, ଜଗଦୀଶ ସାମଲ, ରାଜେଶ କାଞ୍ଜିଆ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ରାତି ପ୍ରାୟ ୩ଟା ବେଳକୁ ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ । ଦୁର୍ଘଟଣା ଘଟିବା ସମୟ ଠାରୁ କଖଡିର ସମାଜସେବୀ ଦିଲ୍ଲୀପ ଛତାର, ବିଜୟ ମହାନ୍ତି, ଘଣ୍ଟିଖାଲର ସନ୍ତୋଷ ବେହେରା, ସନ୍ତୋଷ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କୁ ସାହସ ଦେଇ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ ।

Comments are closed.