ବହୁଜନ ଯୁବଛାତ୍ର ସଂଘର୍ଷ ବାହିନୀ ପକ୍ଷରୁ ବେରୋଜଗାରୀ ବିରୋଧରେ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ପ୍ରତିବାଦ

ଆଠଗଡ  : ଆଠଗଡ ବହୁଜନ ଯୁବ ସଂଘର୍ଷ ବାହିନୀ ପକ୍ଷରୁ ସଂପ୍ରତି ଦେଶରେ ଉତ୍କଟ ସମସ୍ୟା ରୂପେ ଉଭା ହୋଇଥିବା ବେରୋଜଗାରୀ ବିରୋଧରେ ବୁଧବାର ସନ୍ଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ବହୁଜନ ଯୁବ ସଂଘର୍ଷ ବାହିନୀ ପକ୍ଷରୁ ରଥଗଡା ଛକଠାରୁ ଏକ ମହମବତୀ ଶୋଭାଯାତ୍ରା ସହର ପରିକ୍ରମା କରି ଲକ୍ଷ୍ମୀବଜାରଠାରେ ପହଞ୍ଚିବା ପରେ ସେଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇଥିବା ସଂଘର୍ଷ ବାହିନୀର କର୍ମକର୍ତ୍ତା ମାନସ କୁମାର ମଲ୍ଲିକ, ଶୁଶାନ୍ତ କୁମାର ସେଠୀ, ପ୍ରସନ୍ନ ସ୍ୱାଇଁ ଓ ଗଣେଶ୍ୱର ନାୟକଙ୍କ ସମେତ ଅନ୍ୟମାନେ ଉଦ୍‍ବୋଧନ ଦେଇ କେନ୍ଦ୍ରର ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ ଏନଡିଏ ସରକାର ଦେଶର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ଦେଇଥିବା ପ୍ରତିଶୃତି ପାଳନ କରିବାରେ ବିଫଳ ହୋଇଛନ୍ତି ବୋଲି କହିବା ସହ ତୀବ୍ର ସମାଲୋଚନା କରିଥିଲେ।

ବିଗତ ୬ବର୍ଷ ମଧ୍ୟରେ ବେକାରୀ ସମସ୍ୟା ଏତେ ଉତ୍କଟ ହୋଇଛି ଯେ ଦେଶର କୋଟି କୋଟି ଯୁବକ ରୋଜଗାର ଆଶାରେ ସରକାରଙ୍କ ଆଡେ ଚାହିଁ ବସିଥିବାବେଳେ କରୋନା ନାମରେ ସରକାରୀ ନିଯୁକ୍ତିକୁ ପୁରା ବନ୍ଦ କରିଦିଆଯାଇଛି। ଫଳରେ ଦେଶର ବେକାର ଯୁବକ ଯୁବତୀ ହତାଶ ହୋଇପଡିଛନ୍ତି। ମୋଦୀ ସରକାର କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ୨କୋଟି ରୋଜଗାର ସୃଷ୍ଟି କରିବେ ବୋଲି ପ୍ରତିଶୃତି ଦେଇ ଜନସମର୍ଥନ ହାସଲ କରି କ୍ଷମତାକୁ ଆସିବା ପରେ ଶିକ୍ଷିତ ଯୁବକଙ୍କୁ ପକୁଡି ବିକି ଓ ନାଳରୁ ଗ୍ୟାସ ବାହର କରି ଉପାର୍ଜନ କରିବାକୁ ଉପଦେଶ ଦେଉଛନ୍ତି। ଏହା ଦେଶର କୋଟି କୋଟି ବେକାର ଯୁବକ ଯୁବତୀଙ୍କ ପାଇଁ କଟା ଘା’ରେ ଚୁନ ମାରିବା ସଦୃଶ ହୋଇଛି ବୋଲି ବକ୍ତାମାନେ କ୍ଷୋଭ ପ୍ରକାଶ କରି କହିଥିଲେ।

ଯେତେବେଳେ ସରକାର ସମସ୍ୟା ପ୍ରତି ଅନ୍ଧ, ମୁକ ଓ ବଧିର ହୋଇଯାଆନ୍ତି ସେତେବେଳେ ଦେଶର ନାଗରିକ ବିଶେଷ କରି ଯୁବଗୋଷ୍ଠି ନିଜର ସ୍ୱର ଉତ୍ତୋଳନ କରି ସରକାରଙ୍କୁ ତାଙ୍କ ଦାୟିତ୍ୱ ମନେପକାଇବାକୁ ବାଧ୍ୟ ହୋଇଯାନ୍ତି। ଆଜି ଦେଶର ଗରିବ, ଚାଷୀ, ଖଟିଖିଆ, ନିଜର ହରାଇଥିବା ଜୀବିକା ମାଗୁଛି ଓ ବେରୋଜଗାରୀ ଯୁବଗୋଷ୍ଠୀ ନିଯୁକ୍ତି ମାଗୁଛି। ତେଣୁ ବେଳ ଥାଉଁ ଥାଉଁ ସରକାର ଚେତନ୍ତୁ, ନଚେତ କ୍ଷମତା ଛାଡିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ ବୋଲି ବହୁଜନ ଯୁବଛାତ୍ର ସଂଘର୍ଷ ବାହିନୀର ନେତୃମଣ୍ଡଳି ଚେତାବନୀ ଦେଇଥିଲେ। ପରେ ପରେ ସେଠାରେ ରାତି ୯ଟା ୯ମିନିଟରେ ସରକାରଙ୍କୁ ଚେତାଇଦେବା ଉଦ୍ଦେଶ୍ୟରେ ଦୀପ, ମହମବତୀ, ମୋବାଇଲ ପ୍ଲାସ ଲାଇଟ ଜଳାଇବା ସହ ଥାଳି ବଜାଇ ପ୍ରତିବାଦ କରିଥିଲେ।

Comments are closed.