ଆରମ୍ଭ ହେଲା ଅଟଳ ଭୂଜଳ ଯୋଜନା, ବାଜପେୟୀଙ୍କ ସ୍ବପ୍ନ ପୂରଣ ହେଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଅଟଳ ଭୂଜଳ ଯୋଜନାର ଉଦ୍‌ଘାଟନ କରିଛନ୍ତି। ଏହି ଯୋଜନା ଅଧୀନରେ ୭ ରାଜ୍ୟର ୮୩୫୦ ଗ୍ରାମ ପଞ୍ଚାୟତ ଲାଭବାନ ହେବେ। ଏହା ବ୍ୟତୀତ ମନାଲୀରୁ ଲେହକୁ ସଂଯୋଗ କରୁଥିବା ରେହତାଙ୍ଗ ସୁଡ଼ଙ୍ଗର ନାମକୁ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରି ‘ଅଟଳ ସୁଡ଼ଙ୍ଗ’ ରଖାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅଟଳ ଭୂଜଳ ଯୋଜନା ଆରମ୍ଭ ହୋଇଥିବାରୁ ବାଜପେୟୀଙ୍କ ସ୍ବପ୍ନ ପୂରଣ ହୋଇଛି। ଜଳ ସଙ୍କଟ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ତେଣୁ ତଳକୁ ବାଜପେୟୀ ସବୁବେଳେ ଗୁରୁତ୍ଵ ଦେଉଥିଲେ। ଜଳ ସଙ୍କଟର ସମସ୍ତ ସ୍ଥିତିକୁ ମୁକାବିଲା କରିବା ଲାଗି ନୂଆ ଭାରତକୁ ପ୍ରସ୍ତୁତ କରିବାକୁ ହେବ। ଏଥିପାଇଁ ଆମକୁ ୫ଟି ସ୍ତରରେ ଏକା ସାଙ୍ଗରେ କାମ କରିବାକୁ ପଡ଼ିବ ବୋଲି ମୋଦୀ କହିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ହରିୟାଣା, ରାଜସ୍ଥାନ ଏବଂ ଗୁଜରାଟରେ କାର୍ଯ୍ୟକାରୀ ହେବ। ଏଥିପାଇଁ ୫ ରାଜ୍ୟର ୬ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ୭ ରାଜ୍ୟର ୭୮ ଜିଲାରେ ୮୩୫୦ ଗ୍ରାମ ପଞ୍ଚାୟତର ଭୂତଳ ଜଳ ବୃଦ୍ଧିରେ ସହାୟକ ହେବ। ଏହି ଗ୍ରାମ ପଞ୍ଚାୟତଗୁଡ଼ିକରେ ଭୂତଳ ଜଳର ସ୍ଥିତି ଚିନ୍ତାଜନକ ରହିଛି। ଫଳରେ ସେଠାକାର ଲୋକମାନେ ପ୍ରତି ସମୟରେ ଗଭୀର ଜଳସଙ୍କଟର ସମ୍ମୁଖୀନ ହେଉଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜଳ ସଙ୍କଟ ଗୋଟିଏ ପରିବାର, ଗୋଟିଏ ନାଗରିକ ହିସାବରେ ଆମ ପାଇଁ ସର୍ବଦା ଚିନ୍ତାଜନକ। ଦେଶର ବିକାଶକୁ ମଧ୍ୟ ଏହା ପ୍ରଭାବିତ କରୁଛି। ତେଣୁ ଗୋଟିଏ ପଟେ ଜଳ ଜୀବନ ମିଶନ କାର୍ଯ୍ୟକାରୀ ହେଉଛି, ଯାହା ପ୍ରତି ଘର ପର୍ଯ୍ୟନ୍ତ ପାଇପ ଜରିଆରେ ପାଣି ପହଞ୍ଚାଇବ। ଅନ୍ୟପଟେ ଅଟଳ ଜଳ ଯୋଜନା ଜରିଆରେ ଭୂତଳ ଜଳ କମ୍‌ ଥିବା ଅଞ୍ଚଳକୁ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯିବ ବୋଲି ମୋଦୀ କହିଛନ୍ତି।

Comments are closed.