ବାବାଙ୍କ ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଦାବିକଲା ଅତାବିରା ଏନଏସି

ରେଙ୍ଗାଲିକ୍ୟାମ୍ପ : ଅତାବିରା ଏନ୍ଏସି ଅନ୍ତର୍ଗତ ୱାର୍ଡ ନଂ ୧୧ ସ୍ଥିତ ଶିବାବାଲା ଯୋଗେଶ୍ୱରି ଆଶ୍ରମରେ ରହୁଥିବା ଦାମୋଦର ସଦା ରାମ ପ୍ରଭୁ ବାବାଙ୍କ ହତ୍ୟାକୁ ପାଞ୍ଚ ଦିନ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁଲିସ ହାତରେ ସୁରାକ ଲାଗିନି । ଅନ୍ୟପଟେ ଦିନକୁ ଦିନ ଅଞ୍ଚଳରେ ଅପରାଧ ବଢ଼ି ବଢ଼ି ଚାଲିଛି। ତେଣୁ ଆଜି ଅତାବିରା ଏନ୍ଏସି  ଉପାଧ୍ୟକ୍ଷା ଜ୍ୟୋତିର୍ମୟୀ ଦାଶଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତ୍ତାମାନେ ଅପରାଧୀକୁ ଠାବ କରି କଠୋର ରୁ କଠୋର ଦଣ୍ଡ ଦେବାପାଇଁ ଦାବି କରି ଲିଖିତ ଅଭିଯୋଗ  କରିଛନ୍ତି।

ପ୍ରକାଶ ଥାଉକି, ଗତ ୨୧ତାରିଖ ସନ୍ଧ୍ୟାରେ ବାବା ରହୁଥିବା ଆଶ୍ରମ ଗୃହ ଭିତରୁ ଦୁର୍ଗନ୍ଧ ଆସୁଥିବା ଓ ବାହାର ପଟେ ତାଲା ପଡି ବାବାଙ୍କ ଅନୁପସ୍ଥିତି ଥିବା ସ୍ଥାନୀୟ ଲୋକଙ୍କ ମନରେ  ସନ୍ଦେହ ହୋଇଥିଲା। ତେଣୁ ପୁଲିସକୁ ଏହି ବିଷୟରେ ଖବର ଦିଆଯାଇଥିଲା। ପୁଲିସ ସେଠାରେ ପହଞ୍ଚି ତାଲା ଭାଙ୍ଗିବା ପାଇଁ ମାଜିଷ୍ଟ୍ରେଟଙ୍କୁ ଖବର ଦେଇଥିଲେ ହେଲେ ସେଦିନ ମାଜିଷ୍ଟ୍ରେଟ ଆସିପାରିନଥିଲେ। ତେଣୁ ତା ପରଦିନ ଅର୍ଥାତ୍ ୨୨ତାରିଖ ଦିନ ସକାଳେ ମାଜିଷ୍ଟ୍ରେଟଙ୍କ ଆସିବା ପରେ ତାଲା ଭଙ୍ଗାଜାଇ ବାବାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ମୃତଦେହକୁ ଦେଖି ବେଶ୍ ଅନୁମାନ କରାଯାଉଥିଲା ଯେ ବାବାଙ୍କୁ ଅତି ନିର୍ମମ ଭାବରେ କୌଣସି ଏକ ଅସ୍ତ୍ର ସାହାଯ୍ୟରେ ମାରି ହତ୍ୟା କରାଯାଇ ତାଙ୍କ ଉପରେ କମ୍ବଳ ଢାଙ୍କି ଅପରାଧୀ ବାହାର ପଟରୁ ତାଲା ମାରି ଫେରାର  ହୋଇଥିଲା। ହେଲେ ଏହି ହତ୍ୟା କିଏ କରିଛି,ଏହା ପଛରେ କି ରହସ୍ୟ ରହିଛି ତାହା ଆଜିପର୍ୟ୍ୟନ୍ତ ଜଣାପଡିନାହିଁ। ବିଶ୍ଵସ୍ତ ସୂତ୍ରରୁ ଜଣା ପଡ଼ିଛି  ଯେ, କିଛି ଦିନ ପୂର୍ବରୁ ଜଣେ ବ୍ୟକ୍ତି ବିଶେଷ ଓ ତାଙ୍କ ଅନୁଗାମୀ ବାବାଙ୍କୁ  ଜମି ପାଇଁ  ଧମକ  ଚମକ ଦେଇ ଜୀବନରେ ମାରିଦେବା ପାଇଁ  କହିଥିଲେ। ଯାହାକି ବାବା ତାଙ୍କ ଘନିଷ୍ଟ ତଥା ଅନୁଗାମୀ ମାନଙ୍କୁ ଏହା ଜଣାଇଥିଲେ। ତେଣୁ ଏ ଦିଗରେ ମଧ୍ୟ ଦୃଷ୍ଟି ଆକର୍ଷଣ କରି ଅପରାଧୀ କୁ ତୁରନ୍ତ ଧରିବା ପାଇଁ ଏନ୍ ଏ ସି ପକ୍ଷରୁ ଦାବି ରହିଛି । ଏହା ପୂର୍ବରୁ ଏନ୍ ଏ ସି ତଥା ଦଳୀୟ କର୍ମକର୍ତ୍ତା ମାନେ ବାରମ୍ବାର ପୁଲିସ କୁ ଅଞ୍ଚଳରେ ବଢୁଥିବା ଅସାମାଜିକ କାର୍ଯ୍ୟ, ଅପରାଧ, ଚୋରି ଆଦି ବଢୁଥିବା ଏବଂ ଜୁଆ , ସଟ୍ଟା ଆଦି କାର୍ଯ୍ୟ ଯାହା ଅଞ୍ଚଳରେ ଆତଙ୍କ ସୃଷ୍ଟି ର ମୁଖ୍ୟ କାରଣ ସାଜିଛି ତାକୁ ବନ୍ଦ କରିବା ପାଇଁ ଯଥା ଶୀଘ୍ର ପଦକ୍ଷେପ ନେବାପାଇଁ  କହିଆସିଛନ୍ତି । ହେଲେ ପୁଲିସ ର ଅପାରଗତା ,କର୍ତ୍ତବ୍ୟରେ ଅବହେଳା ଆଦି ଯୋଗୁ ଆତଙ୍କ ରାଜ ତାର କାୟା ବିସ୍ତାର କରି ଆଜି ଲୋକଙ୍କ ନିଦ ହଜେଇଦେଇଛି। ତେଣୁ ଏ ଦିଗରେ ସଜାଗ ହୋଇ ପୁଲିସ ତାର କର୍ତ୍ତବ୍ୟ କୁ ଠିକ୍ ଭାବରେ କରି ଲୋକଙ୍କୁ ସୁରକ୍ଷା ଦେବା ପୋଲିସ ଉପରେ ଲୋକଙ୍କ ଆସ୍ଥା ବଜାୟ ରଖିବା ପାଇଁ ଚେଷ୍ଟା କରିବା ଉଚିତ୍ ବୋଲି ଦାବି ଉପସ୍ଥାପନ  କରିଥିଲେ। ଏହି ଅଭିଯୋଗ ବେଳେ ସିଦ୍ଧାର୍ଥ ଶଙ୍କର ପଣ୍ଡା,ଜିତେନ୍ଦ୍ର ଦାଶ,ଟଙ୍କା ଦାଶ,ସତ୍ୟ ନାରାୟନ ମିଶ୍ର,ରଘୁନାଥ  ବାରିକ୍ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.