‘ଅଶ୍ବିନ୍ ମ୍ୟାନେଜମେଣ୍ଟ ଆକ୍ରୋଶର ଶିକାର ହୋଇଛନ୍ତି’

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳରେ ବିଭିନ୍ନ ଖେଳାଳିଙ୍କ ନିମନ୍ତେ ଭିନ୍ନଭିନ୍ନ ନିୟମ ରହିଥିବା ଅଭିଯୋଗ କରିଛନ୍ତି ପୂର୍ବତନ କ୍ରିକେଟର୍ ସୁନୀଲ ଗାଭାସ୍କର। ଦଳର ମ୍ୟାନେଜମେଣ୍ଟର କଥାରେ ଯେଉଁ ଖେଳାଳି ଅସମ୍ମତି ପ୍ରକାଶ କରେ ତାଙ୍କୁ ମ୍ୟାନେଜମେଣ୍ଟର ଆକ୍ରୋଶର ଶିକାର ହେବାକୁ ପଡ଼େ ବୋଲି ଗାଭାସ୍କର ଏକ ଖବରକାଗଜରେ ସ୍ତମ୍ଭ ଲେଖି ଦର୍ଶାଇଛନ୍ତି।
ଭାରତୀୟ ଦଳର ବରିଷ୍ଠ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ୍ ଅନେକଥର ମ୍ୟାନେଜମେଣ୍ଟ କଥାରେ ସମ୍ମତି ପ୍ରକାଶ ନ କରି ନିଜସ୍ବ ସ୍ବାଧୀନ ମତ ଦେଇଥିବାରୁ ତାଙ୍କୁ ଆକ୍ରୋଶର ଶିକାର ହେବାକୁ ପଡିଛି ବୋଲି ଗାଭାସ୍କର ଅଭିଯୋଗ କରିଛନ୍ତି। ଅଶ୍ବିନ୍ ଭାରତର ଜଣେ ପ୍ରମୁଖ ସ୍ପିନର। ତେବେ ଦଳୀୟ ବୈଠକ ସମୟରେ ସେ ଅନେକଥର ମୁହଁ ଖୋଲି ନିଜସ୍ବ ମତ ଦେଇଥିବାରୁ ତାହା ମ୍ୟାନେଜମେଣ୍ଟର ହଜମ ହୋଇନଥାଏ। ତେଣୁ ଗୋଟିଏ ମ୍ୟାଚ୍ରେ ସେ ୱିକେଟ୍ ହାସଲ କରିନପାରିଲେ ପରବର୍ତ୍ତୀ ମ୍ୟାଚ୍ରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇଥାଏ ବୋଲି ଗାଭାସ୍କର କହିଛନ୍ତି। ଭାରତୀୟ ଦଳରେ ଥିବା ଅଧିକାଂଶ ଖେଳାଳି ଅନିଚ୍ଛା ସତ୍ତ୍ବେ ମ୍ୟାନେଜମେଣ୍ଟର ସବୁ କଥାରେ ସମ୍ମତି ପ୍ରକାଶ କରିବାକୁ ବାଧ୍ୟ ହୋଇଥାନ୍ତି ବୋଲି ଗାଭାସ୍କର ମତ ଦେଇଛନ୍ତି।
ଅଶ୍ବିନ୍ ଟେଷ୍ଟରେ ୩୫୦ରୁ ଅଧିକ ୱିକେଟ୍ ହାସଲ କରିଥିବା ବେଳେ ୪ଟି ଶତକ ହାସଲ କରିଛନ୍ତି। ତେବେ ସେ ମ୍ୟାନେଜମେଣ୍ଟ କଥାରେ ଉଠବସ ହେଉନଥିବାରୁ ତାଙ୍କୁ ଅନେକଥର ରୋଷର ଶିକାର ହେବାକୁ ପଡ଼ିଛି ବୋଲି ଗାଭାସ୍କର କହିଛନ୍ତି।