ଜେଲରୁ ଜାମିନରେ ବାହାରିବା ସମୟରେ ପୁଣି ଗିରଫ ହେଲେ ଭିଜିଲାନ୍ସ ସ୍ୱତନ୍ତ୍ର ପବ୍ଲିକ ପ୍ରସ୍ୟୁକ୍ୟୁଟର ଆଶୁତୋଷ ମିଶ୍ର

ଭବାନୀପାଟଣା : କଳାହାଣ୍ଡି ଭିଜିଲାନ୍ସ ସ୍ୱତନ୍ତ୍ର ପବ୍ଲିକ ପ୍ରସ୍ୟୁକ୍ୟୁଟର ଆଶୁତୋଷ ମିଶ୍ର ଜନୈକ ପୁଲିସ କର୍ମଚାରୀଙ୍କର ଭିଜିଲାନ୍ସ କୋର୍ଟରେ ବିଚାରାଧିନ ଥିବା ଏକ ଭିଜିଲାନ୍ସ ମାମଲାକୁ କୋର୍ଟରେ ରଫାଦଫା କରିଦେବା ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ସେଲ ଦ୍ୱାରା ଧରାପଡି ଗିରଫ ହୋଇ ଭବାନୀପାଟଣା ଜେଲରେ ଥିଲେ । ଉକ୍ତ ମାମଲାରେ ଶ୍ରୀ ମିଶ୍ର ଶୁକ୍ରବାର ସକାଳ ୭.୩୦ ମିନିଟ ସମୟରେ ଭବାନୀପାଟଣା ଜେଲରୁ ଜାମିନରେ ବାହାରି ନିଜ ଘରକୁ ଯାଉଥିବା ସଯୟରେ କିଛି ଦୂରରେ ଲୁଚି ଥିବା ଭିଜିଲାନ୍ସ ସେଲ ଅଧିକାରୀ ଓ ଅନ୍ୟ ଭିଜିଲାନ୍ସ ଅଧିକାରୀ ତାଙ୍କୁ ପୁଣି ଗିରଫ କରିଛନ୍ତି। ୭୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଶ୍ରୀ ମିଶ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ଜିଲ୍ଲାରେ ଆଲୋଚନାର ବିଷୟ ହୋଇଛି ।

ଘଟଣାରୁ ପ୍ରକାଶ ଯେ , କଳାହାଣ୍ଡି ଜିଲ୍ଲାର ମହୁଲପାଟଣା ଫାଣ୍ଡି ଏଏସ୍ଆଇ ମଳୟ କୁମାର ରଣା ଜନୈକ ବ୍ୟକ୍ତିଙ୍କ ଏକ ମାମଲାର ସମାଧାନ କରିଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭବାନୀପାଟଣା ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିଲେ । ଉକ୍ତ ମାମଲା ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ବିଚାରାଧିନ ରହିଥିଲା । ଏଏସ୍ଆଇ ମଳୟ କୁମାର ରଣା ୩ ଲକ୍ଷ ଟଙ୍କା ଲାଞ୍ଚ ଦେଲେ ଉକ୍ତ ମାମଲାକୁ ରଫାଦଫା କରିଦେବ ବୋଲି ଭବାନୀପାଟଣା ଭିଜିଲାନ୍ସ ସ୍ୱତନ୍ତ୍ର ପବ୍ଳିକ ପ୍ରସ୍ୟୁକ୍ୟୁଟର ଆଶୁତୋଷ ମିଶ୍ର କହିଥିଲେ। ଏ ସମ୍ପର୍କରେ ଏଏସ ଆଇ ଶ୍ରୀ ରଣା କଟକସ୍ଥିତ ଭିଜିଲାନ୍ସ ସେଲକୁ ଜଣାଇଥିଲେ । କଟକ ଭିଜିଲାନ୍ସ ସେଲ ଏଏସ୍ଆଇ ରଣାଙ୍କ ଅଭିଯୋଗର ସତ୍ୟାସତ ଜାଣିବା ପରେ ଭିଜିଲାନ୍ସ ସେଲ କେସ ନମ୍ବର ୨/ ତା ୧/୭/୨୧ ରେ ଏକ ମାମଲା ରୁଜୁ କରିଥିଲେ। ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ କଟକ ଭିଜିଲାନ୍ସ ସେଲର ଅତିରିକ୍ତ ଏସପି ପ୍ରକାଶ କୁମାର ନାୟକଙ୍କ ନେତୃତ୍ବରେ ୧୫ ଜଣିଆ ଟିମ ଏବଂ ମାଲକାନଗିରି ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଅନ୍ୟ ଭିଜିଲାନ୍ସ ଅଧିକାରୀମାନେ ଗତ ୩ ତାରିଖ ଦିନ ଆଶୁତୋଷ ମିଶ୍ର ଭବାନୀପାଟଣା ରାଧାକୃଷ୍ଣ ନଗର ସ୍ଥିତ ନିଜ ବାସ ବାସଭବନରେ ଏଏସଆଇ ରଣାଙ୍କଠାରୁ କେମିକାଲ ବୋଳା ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲେ । କେମିକାଲ ବୋଳା ଏକ ଲକ୍ଷ ଟଙ୍କା ସ୍ୱତନ୍ତ୍ର ଭିଜିଲାନ୍ସ ପିପି ଶ୍ରୀ ମିଶ୍ରଙ୍କଠାରୁ ଭିଜିଲାନ୍ସ ସେଲ ଅଧିକାରୀମାନେ ଜବତ କରିଥିଲେ । ପରେ ଭିଜିଲାନ୍ସ ସେଲ ଟିମ ଶ୍ରୀ ମିଶ୍ରଙ୍କ ବାସଭବନ ଓ କୋର୍ଟ ଅଫିସ ଚଢ଼ାଉ କରି ଥିଲେ । ପରେ ଶ୍ରୀ ମିଶ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଯାଞ୍ଚ ସମୟରେ ଭିଜିଲାନ୍ସ ପିପି ଶ୍ରୀ ମିଶ୍ର ୭୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଆୟବର୍ହଭୂତ ସମ୍ପତ୍ତି ଠୁଳ କରିଥିବା ଜଣାପଡିଥିଲା । ଆୟବର୍ହଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ସେଲ କଟକ କେସ ନମ୍ବର ୩/୨୦୨୧ ଅନୁଯାଇ ଶ୍ରୀ ମିଶ୍ରଙ୍କ ନାମରେ ଆଉ ଏକ ମାମଲା ରୁଜୁ କରାଯାଇଥିଲା ।

ଭିଜିଲାନ୍ସ ସ୍ୱତନ୍ତ୍ର ପବ୍ଲିକ ପ୍ରସ୍ୟୁକ୍ୟୁଟର ଶ୍ରୀ ମିଶ୍ର ଏକ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଶ୍ରୀ ମିଶ୍ରଙ୍କ ଜାମିନ ନାମଞ୍ଜୁର କରିବା ପରେ ଶ୍ରୀ ମିଶ୍ର ହାଇକୋର୍ଟରୁ ଜାମିନ ଆବେଦନ କରିଥିଲେ । ଗତ ୨୨ ତାରିଖ ଦିନ ହାଇକୋର୍ଟ ଶ୍ରୀ ମିଶ୍ରଙ୍କୁ ଜାମିନ ମଞ୍ଜୁର କରିଥିଲେ । ଶ୍ରୀ ମିଶ୍ରଙ୍କୁ ଜାମିନ ମିଳିବା ଓ ସେ ୨୩ ତାରିଖ କେଉଁ ସମୟରେ ଜାମିନରେ ଭବାନୀପାଟଣା ଜେଲରୁ ବାହିରିବେ ସେ ଖବର ଭିଜିଲାନ୍ସ ବିଭାଗ ବିଶେଷ ସୂତ୍ରରୁ ପାଇଥିଲେ । ତେଣୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ସେଲ୍ କଟକରୁ ଭିଜିଲାନ୍ସ ଡିଏସପି ମନୋରମା ମଲ୍ଲିକ ଓ ଡିଏସପି ପ୍ରଦ୍ୟୁମ୍ନ ଦ୍ୱିବେଦୀ, ନବରଙ୍ଗପୁର ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ୱାଳ, ଭବାନୀପାଟଣା ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଭିଜିଲାନ୍ସ ଅଧିକାରୀମାନେ ୨୩ ତାରିଖ ସକାଳ ୬ ଘଣ୍ଟା ସମୟରୁ ଭବାନୀପାଟଣା ଜେଲ ଛକ ନିକଟରେ ଜଗି ରହିଥିଲେ । ହଠାତ ୭.୩୦ ମିନିଟ ସମୟରେ ସ୍ୱତନ୍ତ୍ର ଭିଜିଲାନ୍ସ ପବ୍ଳିକ ପ୍ରସ୍ୟୁକ୍ୟୁଟର ଶ୍ରୀ ମିଶ୍ର ଜେଲରୁ ବାହାରି ନିଜ ଘରକୁ ଯାଉଥିବା ସମୟରେ କିଛି ଦୂର ଅର୍ଥାତ ଜେଲ ଛକରେ ପୂର୍ବରୁ ଜଗିଥିବା ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ମିଶ୍ରଙ୍କୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କରାଗଲା କହି ବିଚ୍ ରାଜରାସ୍ତାରୁ ଶ୍ରୀ ମିଶ୍ରଙ୍କୁ ଗିରଫ କରି ଭବାନୀପାଟଣା ଭିଜିଲାନ୍ସ କାର୍ୟ୍ୟାଳୟକୁ ନେଇଥିଲେ । ପରେ ଶ୍ରୀ ମିଶ୍ରଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜଣେ ଭିଜିଲାନ୍ସ ସ୍ୱତନ୍ତ୍ର ପବ୍ଳିକ ପ୍ରସ୍ୟୁକ୍ୟୁଟର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡି ଜେଲ ଯିବା ଓ ପରେ ଜାମିନ ରେ ଜେଲ ରୁ ବାହାରିବା ସମୟରେ ପୁଣି ଆୟବହିର୍ଭୂତ ସମ୍ପତି ଠୁଳ ମାମଲା ଭିଜିଲାନ୍ସ ସେଲ ଅଧିକାରୀମାନେ ବିଚ୍ ରାସ୍ତାରୁ ଗିରଫ କରିବା ପ୍ରଥମ ଘଟଣା ହୋଇଥିବାରୁ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି ।

Comments are closed.