ଆଷ୍ଟ୍ରାଜେନିକା ୭୦.୪% ପ୍ରଭାବଶାଳୀ; ଶସ୍ତାରେ ମିଳିବ

ନୂଆଦିଲ୍ଲୀ : ଲଣ୍ଡନସ୍ଥିତ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରସ୍ତୁତ କରୋନା ଟିକା ଆଷ୍ଟ୍ରାଜେନିକା ୭୦.୪ ପ୍ରତିଶତ ପ୍ରଭାବଶାଳୀ ରହିଥିବା ଦାବି କରାଯାଇଛି। ଟିକାର ଦୁଇଟି ମଧ୍ୟବର୍ତ୍ତୀକାଳୀନ ପରୀକ୍ଷା ରିପୋର୍ଟକୁ ଆଧାର କରି ଏହି ଦାବି କରାଯାଇଛି। ଗୋଟିଏ ସେଗମେଣ୍ଟର ପରୀକ୍ଷା ରିପୋର୍ଟ ୯୦% ପ୍ରଭାବଶାଳୀ ବୋଲି କୁହାଯାଇଥିବାବେଳେ ଆଉ ଗୋଟିଏ ସେଗମେଣ୍ଟର ରିପୋର୍ଟ ୬୦ ପ୍ରତିଶତ ପ୍ରଭାବଶାଳୀ ରହିଛି। ତେଣୁ ଏହାର ହାରହାରି ପ୍ରଭାବ ୭୦.୪% ଧରାଯାଇଛି। ଆଷ୍ଟ୍ରାର ମୁଖ୍ୟ କାର୍ଯ୍ୟନିର୍ବାହୀ ପାସକାଲ ସୋରିଅଟ୍ କହିଛନ୍ତି ଯେ ଟିକାର କ୍ଷମତା ଓ ନିରାପତ୍ତା ସ୍ପଷ୍ଟ କରୁଛି ଯେ ଏହା ବହୁତ ପ୍ରଭାବଶାଳୀ ରହିବ।
ଆଷ୍ଟ୍ରାଜେନିକା ଟିକାର ସଫଳତା ଭାରତକୁ କରୋନା ମୁକାବିଲା କ୍ଷେତ୍ରରେ ନୂଆ ଶକ୍ତି ଯୋଗାଇଛି। କାରଣ ଅନ୍ୟ ଦେଶର କରୋନା ଟିକା ତୁଳନାରେ ଆଷ୍ଟ୍ରାଜେନିକା ଟିକାର ମୂଲ୍ୟ ବହୁତ କମ୍‌ ରହିଥିବାରୁ ଭାରତ ସରକାର ଏହାକୁ ଅଧିଗ୍ରହଣ କରିବା ଲାଗି ଅଧିକ ପସନ୍ଦ କରିବେ। ଏହା ସହିତ ଏହି ଟିକା ପରିବହନ ନିମନ୍ତେ ସହଜ ହେବ। ଭାରତରେ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଅକ୍ସଫୋର୍ଡ ଟିକାର ପ୍ରସ୍ତୁତ କରୁଛି। ଆସନ୍ତା ବର୍ଷ ଜାନୁଆରୀ ମାସ ସୁଦ୍ଧା ଏହା ୧୦କୋଟି ଡୋଜ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ତେବେ ୨୦୨୧ ଜୁଲାଇ ମାସ ସୁଦ୍ଧା ୪୦କୋଟି ଟିକା ଉତ୍ପାଦନ କରାଯାଇପାରିବ ବୋଲି ସିରମ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୂନାୱାଲା କହିଛନ୍ତି। ମଡେର୍ଣ୍ଣା ଓ ଫାଇଜର ଟିକା ୯୦% ପ୍ରଭାବଶାଳୀ ରହିଥିଲେ ମଧ୍ୟ ଏହାର ମୂଲ୍ୟ ଓ ସଂରକ୍ଷଣ ଦୃଷ୍ଟିରୁ ଭାରତ ପାଇଁ ଉପଯୁକ୍ତ ହେବ ନାହିଁ।

Comments are closed.