ନିଜ କମ୍ପାନୀ ଟଙ୍କା ଲୁଟ ଚକ୍କରରେ ନିଜେ ଫସିଲେ ମ୍ୟାନେଜର : ଟଙ୍କା ଜବତ, ଅଧିକାରୀ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅର୍ନ୍ତଗତ ରେଙ୍ଗାଲୀ ଅଞ୍ଚଳରେ ରହିଥିବା ଏକ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଆସିଷ୍ଟାନ୍ଟ ମ୍ୟାନେଜର ନିଜ କମ୍ପାନୀର ଟଙ୍କା ଲୁଟ କରି ନିଜେ ଗିରଫ ହେବାର ଏକ ଅଭିନବ ମାମଲା ସମ୍ମୁଖକୁ ଆସିଛି। ଏ ସମ୍ବନ୍ଧରେ ମଙ୍ଗଳବାର ଅପରାହ୍ନ ସାଢ଼େ ୫ଟାରେ ସ୍ଥାନୀୟ ସଦର ଏସଡିପିଓଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଭବାନୀ ଶଙ୍କର ଉଦଗାତା କହିଛନ୍ତି ଯେ, ଏହି ମାମଲାରେ ଅଭିଯୋଗକାରୀ ଓ ଅଭିଯୁକ୍ତ ନିଜେ ସେହି କମ୍ପାନୀର ଆସିଷ୍ଟାନ୍ଟ ମ୍ୟାନେଜର ଆକାଶ ଆଲୁ (୨୮) ଅଟନ୍ତି।

ସୋମବାର ଦିନ ପ୍ରାୟ ୧୨.୧୫ରେ ରେଙ୍ଗାଲି ଅଞ୍ଚଳରେ ଥିବା ପିପୁଲ୍ସ ଫୋରମ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଲିମିଟେଡର ଆସିଷ୍ଟାନ୍ସ ମ୍ୟାନେଜର ଆକାଶ ରେଙ୍ଗାଲୀ ଥାନାରେ ଅଭିଯୋଗ କରିଥିଲେ ଯେ, ସେ ସକାଳ ପ୍ରାୟ ୧୦ଟା ୩୫ ସମୟରେ ତାଙ୍କର ଘରୁ କମ୍ପାନୀର ୫ ଲକ୍ଷ ୫୨ ହଜାର ୪ ଶହ ୯୦ ଟଙ୍କା ନେଇ ପଞ୍ଜାବ ନେସନାଲ ବ୍ୟାଙ୍କକୁ ଜମା କରିବାକୁ ବାହାରିଥିଲେ। ତେବେ ସେହି ସମୟରେ ଦୁଇ ଜଣ ଦୁବୃର୍ତ୍ତ ତାଙ୍କର ଘର ପାଚେରୀ ଡେଇଁ ଘର ପରିସରକୁ ଆସି ତାଙ୍କ ଉପରେ ପଛ ପଟରୁ ଲଙ୍କା ଗୁଣ୍ଡ ଫିଙ୍ଗି ଥିଲେ। ଏଣୁ ତାଙ୍କର ଆଖି, କାନ ଆଦି ପୋଡିବାର ସୁଯୋଗ ନେଇ ତାଙ୍କର ସ୍କୁଟି (ଓଡି-୦୭-ଏଚ-୦୪୭୯)ର ଡିକିରୁ କମ୍ପାନୀ ଟଙ୍କା ତକ ଲୁଟି ନେଇଥିଲେ।

ଟଙ୍କା ଲୁଟିର ଘଟଣା ଜାଣିବା ପରେ ତୁରନ୍ତ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସମୟରେ ପରିସ୍ଥିତିକୁ ଦେଖି ଆକାଶ ଉପରେ ସନ୍ଦେହ କରିଥିଲା। ଏଣୁ ଆକାଶଙ୍କ ରୋଷେଇ ଘରେ ଥିବା ଲଙ୍କା ଗୁଣ୍ଡ ପ୍ୟାକେଟ ଓ ତାଙ୍କର କାନ୍ଧ ଉପରେ ଥିବା ଲଙ୍କା ଗୁଣ୍ଡ ଗୁଡିକର ସାମ୍ପଲ ନେଇ ଯାଞ୍ଚ କରିବାରୁ ସେ ଗୁଡିକ ମେଳ ଖାଇ ଯାଇଥିଲା। ଏହା ସହିତ ଡାକ୍ତର ମଧ୍ୟ ଆକାଶଙ୍କର ଆଖିରେ ମଧ୍ୟ କୌଣସି ଲଙ୍କା ଗୁଣ୍ଡ ପଡି ନ ଥିବା ରିପୋର୍ଟ ଦେଇଥିଲେ। ଏଣୁ ପୁଲିସ କଡା କରି ଜେରା କରିବାରୁ ଆକାଶ ନିଜେ ଟଙ୍କା ଚୋରି କରିଥିବା ସ୍ୱୀକାର କରିଥିଲେ। ଏହା ପରେ ଆକାଶଙ୍କର କହିବାନୁଯାୟୀ ତାଙ୍କର ସ୍କୁଟିର ଗୋଡ ରଖିବା ସ୍ଥାନର ତଳ ପଟରେ ଥିବା ପ୍ଲାଷ୍ଟିକ ମଧ୍ୟରେ ଲୁଚାଯାଇଥିବା ଟଙ୍କାତକ ପୁଲିସ ଜବତ କରିଥିଲା।

ଏ ସର୍ମ୍ପକରେ ଆକାଶ ଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ଗତ ୩ ଦିନର କମ୍ପାନୀ ପାଇଁ ଆଦାୟ ହୋଇଥିବା ଟଙ୍କା ତାଙ୍କ ପାଖରେ ରହିଥିଲା ଏବଂ ଲୋଭରେ ସେହି କାଣ୍ଡ କରିଛନ୍ତି। ପୁଲିସ ଏ ସମ୍ବନ୍ଧରେ ମାମଲା ନଂ ୮୭/୨୦୧୯ ରୁଜୁ କରି ଆକାଶଙ୍କୁ ଗିରଫ କରିଛି ଏବଂ ଆସନ୍ତା କାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।

Comments are closed.