ସଚିନ ବାଜେଙ୍କ ସହଯୋଗୀ ରିୟାଜ ଗିରଫ

‘ଟିଆର୍‌ପି’ ଦୁର୍ନୀତିରେ ‘ବାର୍କ’ଠାରୁ ୩୦ ଲକ୍ଷ ଟଙ୍କା ନେଇଥିଲେ ସଚିନ ବାଜେ: ଇଡି

ନୂଆଦିଲ୍ଲୀ : ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡି (ଏସୟୁଭି) ରଖାଯିବା ଘଟଣାରେ ରବିବାର ଏନଆଇଏ ଆଉ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ମୁମ୍ବଇ ପୁଲିସର ନିଲମ୍ବିତ ଅଧିକାରୀ ସଚିନ ବାଜେଙ୍କ ସହଯୋଗୀ ରିୟାଜ କାଜି। ବାଜେ ମଧ୍ୟ ଏହି ଘଟଣାରେ ଗିରଫ ହୋଇ ଏନଆଇଏ ହାଜତରେ ଅଛନ୍ତି। ଗିରଫ ପରେ ରିୟାଜଙ୍କୁ ଏନଆଇଏ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ ହାଜତକୁ ପଠାଇ ଦେଇଛନ୍ତି। କାଜିଙ୍କୁ ଆଜି ଏନଆଇଏ ପୁନର୍ବାର ଜେରା ପାଇଁ ଡକାଇଥିଲା ଓ ପରେ ଗିରଫ କରିଥିଲେ। ରିୟାଜ୍ କାଜି ମୁମ୍ବଇ କ୍ରାଇମବ୍ରାଞ୍ଚର ଜଣେ ସରକାରୀ ପୁଲିସ୍ ଇନ୍ସପେକ୍ଟର (ଏପିଆଇ) ଥିଲେ। ଗତମାସରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ଗାଡି ରଖାଯିବା ଓ ଥାଣେର ବ୍ୟବସାୟୀ ମନସୁଖ ହିରେନଙ୍କ ମୃତ୍ୟୁ ଘଟଣାର ଅନେକ ପ୍ରମାଣକୁ ରିୟାଜ୍ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ଗାଡି ରଖିବା ଲାଗି ବାଜେ ମୁନସୁଖ ହିରେନଙ୍କ ଏସୟୁଭିକୁ ବ୍ୟବହାର କରିଥିଲେ। ଏନଆଇଏ ଉଭୟ ବିସ୍ଫୋରକ ଗାଡି ରଖାଯିବା ଓ ମନସୁଖ ହିରେନଙ୍କ ହତ୍ୟା ଘଟଣାର ତଦନ୍ତ କରୁଛି।
ଅନ୍ୟପକ୍ଷରେ ଟେଲିଭିଜନ୍‌ ରେଟିଙ୍ଗ୍‌ ପଏଣ୍ଟ (ଟିଆରପି) ଦୁର୍ନୀତିର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ମୁମ୍ବଇ ପୁଲିସର ନିଲମ୍ବିତ ଅଧିକାରୀ ସଚିନ ବାଜେଙ୍କ ସମ୍ପୃକ୍ତିର ସୂଚନା ପାଇଛି। ଇଡି ଅଧିକାରୀଙ୍କ କହିବା ଅନୁଯାୟୀ ବ୍ରଡ୍‌କାଷ୍ଟ ଅଡିଏନ୍‌ସ୍‌ ରିସର୍ଚ କାଉନ୍‌ସିଲ୍‌ (ବାର୍କ) ଠାରୁ ସଚିନ ବାଜେ ୩୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ କରିଥିବା ତଦନ୍ତରୁ ଜଣାପଡ଼ିଛି। ବାଜେଙ୍କୁ ଏହି ଲାଞ୍ଚ ଦିଆଯିବା ସମ୍ପର୍କରେ ବାର୍କର ଜଣେ ଅଧିକାରୀ ମଧ୍ୟ ସ୍ବୀକାର କରିଛନ୍ତି। ବାର୍କର ଅଧିକାରୀମାନଙ୍କୁ ତଦନ୍ତ ନାମରେ ହଇରାଣ ହରକତ ନ କରିବା ଲାଗି ବାଜେ ଏହି ଲାଞ୍ଚ ନେଇଥିଲେ। ବାର୍କ ଏହାର କାର୍ଯ୍ୟାଳୟ ପରିସରରେ କିଛି ନିର୍ମାଣ କାମ କରାଇବା ନାମରେ ଏହି ଟଙ୍କା ସରକାରଙ୍କଠାରୁ ଆଣି ବାଜେଙ୍କୁ ଦେଇଥିଲା। ମୁମ୍ବଇ କ୍ରାଇମ୍‌ ବ୍ରାଞ୍ଚ୍‌ର ଜଣେ ସହକାରୀ ଇନ୍ସପେକ୍ଟରଙ୍କ ମାଧ୍ୟମରେ ବାର୍କଠାରୁ ବାଜେ ୩୦ ଲକ୍ଷ ଟଙ୍କା ଆଦାୟ କରିଥିଲେ।

Comments are closed.