ସି-ଭୋଟର ସର୍ଭେ : ବାଂଲାରେ ମମତା, ଆସାମରେ ସର୍ବାନନ୍ଦ ଫେରିବା ସମ୍ଭାବନା

ତାମିଲନାଡୁରେ ଡିଏମ୍‌କେ-କଂଗ୍ରେସ ମେଣ୍ଟ ଓ କେରଳରେ ବାମପନ୍ଥୀ

ନୂଆଦିଲ୍ଲୀ : ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ସହିତ ଫଳାଫଳ ନେଇ ତର୍ଜମା ଆରମ୍ଭ ହୋଇଯାଇଛି। ସି-ଭୋଟର ପକ୍ଷରୁ ଶନିବାର ଏ ସଂକ୍ରାନ୍ତ ଓପିନିୟନ ପୋଲ୍‌ ଫଳାଫଳ ପ୍ରକାଶ କରାଯାଇଛି। ଏଥିରେ ସର୍ବାଧିକ ଚର୍ଚ୍ଚାରେ ଥିବା ପଶ୍ଚିମବଙ୍ଗକୁ ଯେଉଁ ମତାମତ ମିଳିଛି ସେଥିରେ ତୃଣମୂଳ କଂଗ୍ରେସ ବାଜିମାତ୍‌ କରିବ ବୋଲି ସୂଚନା ମିଳିଛି। ଏବିପି ନ୍ୟୁଜ୍‌ ସି-ଭୋଟର ଓପିନିୟନ୍‌ ପୋଲ୍ ଅନୁଯାୟୀ, ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସକୁ ୪୩ ପ୍ରତିଶତ ଭୋଟ ମିଳିବ। ବିରୋଧୀ ବିଜେପିକୁ ୩୮ ପ୍ରତିଶତ ଭୋଟ ମିଳିବା ଆଶା ରହିଛି। କଂଗ୍ରେସ-ବାମପନ୍ଥୀ ମେଣ୍ଟକୁ ୧୩ ପ୍ରତିଶତ ଓ ଅନ୍ୟମାନଙ୍କୁ ୬ ପ୍ରତିଶତ ଭୋଟ ମିଳିବା ଆକଳନ କରାଯାଇଛି। ମୋଟ ୨୯୪ ଆସନରୁ ତୃଣମୂଳକୁ ୧୪୮-୧୬୪ ସିଟ୍‌ ମିଳିବା ସମ୍ଭାବନା ରହିଛି।  ସେହିପରି ବିଜେପିକୁ ୯୨-୧୦୮ ସିଟ୍‌ ମିଳିପାରେ। କଂଗ୍ରେସ-ବାମପନ୍ଥୀ ମେଣ୍ଟକୁ ୩୧-୩୯ ମିଳିବା ସମ୍ଭାବନା ରହିଛି।

ସେହିଭଳି ଆସାମରେ ବିଜେପି ଶାସନକୁ ଫେରିବ ବୋଲି ଆକଳନ କରାଯାଇଛି। ବିଜେପିକୁ ୪୨ ପ୍ରତିଶତ ଭୋଟ୍ ମିଳିବ ବୋଲି ଆଶା କରାଯାଉଥିବାବେଳେ କଂଗ୍ରେସ ମେଣ୍ଟକୁ ୩୧ ପ୍ରତିଶତ ଓ ଅନ୍ୟମାନଙ୍କୁ ୨୪ ପ୍ରତିଶତ ଭୋଟ୍ ମିଳିବା ସମ୍ଭାବନା ରହିଛି। ମୋଟ ୧୨୬ ଆସନ ମଧ୍ୟରୁ ବିଜେପି ମେଣ୍ଟକୁ ୬୮ ରୁ ୭୬ ଆସନ ମିଳିପାରେ। ସେହିପରି କଂଗ୍ରେସକୁ ୪୩ ରୁ ୫୧ ଆସନ ଓ ଅନ୍ୟମ​ାନଙ୍କୁ ୫-୧୯ ଆସନ ମିଳିପାରେ।

ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁରେ କଂଗ୍ରେସ ପାଇଁ ଖୁସି ଖବର ରହିଥିବାବେଳେ କେରଳରେ ବାମପନ୍ଥୀ ପୁଣି କ୍ଷମତାସୀନ ହେବାକୁ ଯାଉଥିବା ସୂଚନା ମିଳିଛି। ତାମିଲନାଡୁରେ ଏଆଇଏଡିଏମକେ-ବିଜେପି ମେଣ୍ଟକୁ ୨୯% ଭୋଟ୍ ମିଳିବାର ସମ୍ଭାବନା ରହିଛି। ଡିଏମକେ-କଂଗ୍ରେସ ମେଣ୍ଟକୁ ୪୧ ପ୍ରତିଶତ ଭୋଟ୍ ମିଳିବା ଅନୁମାନ କରାଯାଉଛି। ଅନ୍ୟମାନଙ୍କୁ ୩୦ ପ୍ରତିଶତ ଭୋଟ୍ ମିଳିବ ବୋଲି ଅନୁମାନ କରାଯାଉଛି। ତାମିଲନାଡୁର ୨୩୪ ଆସନରୁ ଏଆଇଏଡିଏମକେ ମେଣ୍ଟକୁ ୫୮-୬୬ ଓ ଡିଏମକେ ମେଣ୍ଟକୁ ୧୫୪ ରୁ ୧୬୨ ଆସନ ମିଳିବା ସମ୍ଭାବନା ରହିଛି। ଅନ୍ୟମାନେ ୮ଟି ଆସନ ପାଇପାରନ୍ତି। ସେହିପରି କେରଳରେ ଏଲଡିଏକୁ ୮୩ ରୁ ୯୧ ଆସନ ଓ କଂଗ୍ରେସ ମେଣ୍ଟ ୟୁଡିଏଫ ୪୭ ରୁ ୫୫ ଆସନ ମିଳିପାରେ ବୋଲି ଆକଳନ କରାଯାଇଛି। ଅନ୍ୟପଟେ ବିଜେପିର ସଫଳତା ନେଇ ଆଶଙ୍କା ରହିଛି। ଏହି ଦଳକୁ ସର୍ବାଧିକ ୨ଟି ଆସନ ମିଳିବା ସମ୍ଭାବନା ରହିଛି।

Comments are closed.