ବିଧାନସଭା ଉପନିର୍ବାଚନ, କିଏ କେଉଁଠି ଆଗରେ

୧୧ଟି ରାଜ୍ୟର ୫୮ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପ ନିର୍ବାଚନର ଭୋଟ୍‍ ଗଣତି ଜାରି ରହିଛି। ମଧ୍ୟପ୍ରଦେଶରେ ୨୮ଟି ଆସନ ମଧ୍ୟରୁ ୨୧ଟି ଆସନରେ ଶାସକ ଭାରତୀୟ ଜନତା ପାର୍ଟି ଆଗୁଆ ରହିଛି। କଂଗ୍ରେସ ୬ଟି ଆସନରେ ଆଗୁଆ ଥିବାବେଳେ ଅନ୍ୟ ଆସନ ଗୁଡ଼ିକର ବିଏସ୍‍ପି ଆଗୁଆ ରହିଛି। ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୨ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୧୦ଜଣ ଆଗୁଆ ଅଛନ୍ତି। ମଧ୍ୟପ୍ରଦେଶ ଉପ ନିର୍ବାଚନର ଫଳାଫଳ ଶିରାଜ ସିଂ ଚୌହ୍ୱାନ ସରକାରର ସ୍ଥାୟୀତ୍ୱ ଉପରେ ପ୍ରଭାବ ପକାଇବ। ୨୩୦ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଧାୟକମାନେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବାରୁ ଏହି ନିର୍ବାଚନର ଆବଶ୍ୟକତା ପଡିଥିଲା। ଗତ ୩ ତାରିଖରେ ଏହି ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୭୦ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା।

ଓଡ଼ିଶାରେ ତିର୍ତ୍ତୋଲ ଏବଂ ବାଲେଶ୍ୱର ସଦର ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି। ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ, ବିଜେପି ଠାରୁ ୫ହଜାର ୬୨୬ ଭୋଟରେ ଆଗୁଆ ଅଛନ୍ତି। ସେହିପରି ବାଲେଶ୍ୱର ସଦର ଆସନରେ ବିଜେଡି ପ୍ରାର୍ଥୀ ସ୍ୱରୁପ କୁମାର ଦାସ ୨ହଜାର ୬୭୧ ଭୋଟରେ ଆଗୁଆ ଅଛନ୍ତି।

ଉତ୍ତର ପ୍ରଦେଶର ୭ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ପାଇଁ ମଧ୍ୟ ଆଜି ସକାଳ ୮ଟାରୁ ଭୋଟ୍‍ଗଣତି ଆରମ୍ଭ ହୋଇଛି। କୋଭିଡ କଟକଣା ଯୋଗୁଁ ଗୋଟିଏ ହଲରେ ୭ଟି ଟେବୁଲରେ ଗଣନା ପାଇଁ ଅନୁମତି ଦିଆଯାଇଛି। ସେଠାରେ ବିଜେପି ୬ଟିରେ ଆଗରେ ରହିଛି। ଗୁଜୁରାଟରେ ହୋଇଥିବା ଉପନିର୍ବାଚନରେ ଶାସକ ବିଜେପି ସମସ୍ତ ୮ଟି ବିଧାନସଭା ଆସନରେ ଆଗୁଆ ରହିଛି।

ମଣିପୁରରେ ୫ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ମତଗଣନା ଜାରି ରହିଛି। ରାଜ୍ୟ କୃଷି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ମୋଟ୍‍ ୧୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ନିର୍ଦ୍ଧାରିତ ହେବ। ବିଜେପି ସେଠାରେ ୨ଟି ଆସନରେ ବିଜୟ ଲାଭ କରିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ଜିତିଛନ୍ତି। ଅନ୍ୟ ୨ଟି ଆସନରେ ବିଜେପି ଆଗରେ ରହିଛି। ସେହିପରି ନାଗାଲାଣ୍ଡରେ ୨ଟି ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି। କର୍ଣ୍ଣାଟକରେ ୨ଟି ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ବିଜେପି ଆଗୁଆ ରହିଛି।

Comments are closed.