ଏଥର ବି ପ୍ରଶ୍ନକାଳ ବନ୍ଦ

ଭୁବନେଶ୍ୱର : ଆସନ୍ତା ୨୦ରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ଷୋଡଶ ଅଧିବେଶନ ଲାଗି ବୁଧବାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଅଧୀବେଶନ କିଭଳି ଶୃଙ୍ଖଳିତ ଭାବେ ଚାଲିବ ସେନେଇ ବାଚସ୍ପତି ସବୁ ସଦସ୍ୟଙ୍କ ସହଯୋଗ ଲୋଡିଛନ୍ତି। ଶ୍ରୀ ପାତ୍ର କହିଛନ୍ତି ଯେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିଧାନସଭା ପକ୍ଷରୁ ଗତଥର ଭଳି ଏଥର ବିଭିନ୍ନ ପ୍ରକାର ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତିଦିନ ବିଏମସି ପକ୍ଷରୁ ୨ଥର ସାନିଟାଇଜ କରାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ବିଧାନସଭା ପରିସରକୁ କେବଳ ନେଗେଟିଭ୍ ଥିବା ସଦସ୍ୟ ହିଁ ପଶି ପାରିବେ। ଯେଉଁ ବରିଷ୍ଠ ବିଧାୟକମାନେ ଚାହିଁବେ ସେମାନେ ନିଜ ଜିଲାରୁ ଜିଲାପାଳଙ୍କ ସଭାକକ୍ଷ କିମ୍ବା ପୂର୍ବପରି ଲୋକସେବା ଭବନ କିମ୍ବା ଏନଆଇସି ଓ ଓକାକ କାର୍ଯ୍ୟାଳୟରୁ ଅଧିବେଶନରେ ଭାଗ ନେଇପାରିବେ। ଚଳିତଥର ପ୍ରଶ୍ନକାଳ ରହିବ ନାହିଁ ଏବଂ ଅଣତାରକା ପ୍ରଶ୍ନର ଉତ୍ତର ବିଧାୟକମାନଙ୍କୁ ଡାକଯୋଗେ ପଠାଇ ଦିଆଯିବ। ହେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହାକୁ କଡା ସମାଲୋଚନା କରିଛନ୍ତି।
ବିରୋଧୀଦଳ ନେତା ଶ୍ରୀ ନାଏକ କହିଛନ୍ତି ଯେ ବିଧାନସଭାର ପରମ୍ପରା ଓ ନିୟମ ଅନୁଯାୟୀ ଅଧିବେଶନ ଚାଲୁଥିବାବେଳେ ବାଚସ୍ପତି ଚୌକିରେ ବସି ଯେଉଁ ନିଷ୍ପତ୍ତି ନେବେ ତାହା ସିଦ୍ଧ ବୋଲି ଗ୍ରହଣ କରାଯିବ। ହେଲେ ବାଚସ୍ପତି ଗତ ବିଧାନସଭା ଅଧିବେଶନ ଭଳି ଚଳିତଥର ମଧ୍ୟ ତାଙ୍କ ପଦର ଅପବ୍ୟବହାର କରିଛନ୍ତି। ସର୍ବଦଳୀୟ ବୈଠକର ନିଷ୍ପତ୍ତି ପୂର୍ବରୁ ତାଙ୍କୁ କିଏ ସେ ଅଧିକାର ଦେଲା ଯେ ପ୍ରଶ୍ନକାଳ ଲାଗି ସଦସ୍ୟମାନଙ୍କଠାରୁ ପ୍ରଶ୍ନ ଆହ୍ୱାନ ନକରିବା ପାଇଁ ଏହା ସମ୍ପୂର୍ଣ୍ଣ ଭାବେ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ। ବାଚସ୍ପତିଙ୍କ ଜରିଆରେ ସରକାର ତାଙ୍କର ଏକଚାଟିଆ କାର୍ଯ୍ୟ କରୁଛନ୍ତି। ଏହା ଗଣତନ୍ତ୍ର ବିରୋଧୀ ବୋଲି ଶ୍ରୀ ନାଏକ କହିଛନ୍ତି।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି ଯେ ସରକାର କରୋନା ନାଁରେ ଏକଚ୍ଛତ୍ର ବାଦ ଶାସନ ଚଳାଇଛନ୍ତି। ବାଚସ୍ପତି ଆଜି ଯେଉଁ ସର୍ବଦଳୀୟ ବୈଠକ ଡାକିଥିଲେ ତାହା ହେଉଛି କେବଳ ଔପଚାରିକ ମାତ୍ର। ହେଲେ ଅସଲ କଥା ହେଉଛି ସରକାରଙ୍କ ବିଧାନସଭା କାଳରେ ଯାହାସବୁ ନିଷ୍ପତ୍ତି ହୋଇଛି ତାକୁ ମୋହର ମାରିବା କଥା। ବୈଠକରେ ଆଜି ସରକାରୀଦଳ ମୁଖ୍ୟସଚେତକ କହିଥିଲେ ଯେ କୋଭିଡ଼ ପାଇଁ ଅଧିକାରୀ ଓ ଷ୍ଟାଫ ୫୦ଭାଗ ଆସୁଛନ୍ତି, ତେଣୁ ତାରକା ପ୍ରଶ୍ନର ସଠିକ୍ ଉତ୍ତର ଦେଇହେବ ନାହିଁ। ଶ୍ରୀ ମିଶ୍ର କହିଥିଲେ ଯେ ଅଣତାରକା ପ୍ରଶ୍ନର ଯେଉଁ ଉତ୍ତର ଆସୁଛି ଏହା କ’ଣ ବାହାର କର୍ମଚାରୀଙ୍କ ଦ୍ୱାରା କରାଯାଉଛି କି ବୋଲି ପ୍ରଶ୍ନ କରିଥିଲେ। ଏଥିରେ କିଛି ସତ୍ୟତା ନାହିଁ କି ? ହେଲେ ବାଚସ୍ପତି କିମ୍ବା ସରକାରଙ୍କ ପକ୍ଷରୁ ଏନେଇ କୌଣସି ଠୋସ୍ ଉତ୍ତର ମିଳିନଥିଲା। ସେ କହିଥିଲେ ଯେ ଯେଉଁ କର୍ମଚାରୀ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ପାରୁଛନ୍ତି ସେମାନେ କାହିଁକି ତାରକା ପ୍ରଶ୍ନର ଉତ୍ତର ଦେଇ ନପାରିବେ। ବଡ଼କଥା ହେଲା ବାଚସ୍ପତି ସରକାରଙ୍କ ପ୍ରରୋଚନରେ ଏସବୁ କାର୍ଯ୍ୟ କରୁଛନ୍ତି। ବାଚସ୍ପତିଙ୍କୁ କିଏ ସେ ଅଧିକାର ଦେଲା ଯେ ସଦସ୍ୟମାନଙ୍କୁ ତାରକା ପ୍ରଶ୍ନ ନପଠାଇବା ଲାଗି ନୋଟିସ କରିବାକୁ ? ଏସବୁ ସରକାରଙ୍କ ଏକଚ୍ଛତ୍ରବାଦ ଶାସନକୁ ଜାହିର କରୁଛି। ଏହି ପରମ୍ପରା ଗଣତନ୍ତ୍ର ପରିପନ୍ଥୀ ବୋଲି ଶ୍ରୀ ମିଶ୍ର କହିଥିଲେ।
ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.