ସ୍ବଭାବିକ ଆଡକୁ ଗତି କରୁଛି ଆସାମ ପରିସ୍ଥିତି : ଡିଜିପି

ଦିବ୍ରୁଗଡ ଓ ଗୁଆହାଟୀରୁ କର୍ଫ୍ୟୁ କୋହଳ

ଗୁଆହାଟୀ : ଆସାମ ପରସ୍ଥିତି ସ୍ବଭାବିକ ଆଡକୁ ଗତି କରୁଛି । ରାଜ୍ୟରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ଆସାମ ପୋଲିସ ମହାନିର୍ଦ୍ଦେଶକ ଭାସ୍କର ଜ୍ୟୋତି ମହନ୍ତ କହିଛନ୍ତି ।  ଦିବ୍ରୁଗଡ ପୌରାଞ୍ଚଳରେ ଶନିବାର ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସାନ୍ଧ୍ୟ ଆଇନକୁ ୬ଘଣ୍ଟା ପାଇଁ କୋହଳ କରାଯାଇଛି । ଗୌହାଟୀରେ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୭ଘଣ୍ଟା ପାଇଁ ସାନ୍ଧ୍ୟ ଆଇନକୁ କୋହଳ କରାଯାଇଛି ।  ଜିଲ୍ଲା ଡେପୁଟି କମିଶନର ବିଶ୍ୱଜିତ୍‍ ପେଗୁ ଜଣାଇଛନ୍ତି ଗୌହାଟୀ ଓ ଅନ୍ୟ ଜିଲ୍ଲାଗୁଡିକରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଇବାକୁ ପଦକ୍ଷେପ ନିଆଯାଉଛି ।

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ଅତିରିକ୍ତ ଜବାନମାନଙ୍କୁ ମୁତୟନ କରାଯାଇଛି ବୋଲି ଶ୍ରୀ ମହନ୍ତ କହିଛନ୍ତି । ସେ କହିଛନ୍ତି ପ୍ରାୟ ଏକ ହଜାରରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି । ସେମାନେ ବିଭିନ୍ନ ପ୍ରକାରର ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ସହ ସମ୍ପୃକ୍ତ ଥିଲେ ।  ଅସାମାଜିକ ତତ୍ତ୍ବମାନେ ଯେପରି ପରିସ୍ଥିତିକୁ ଖରାପ ନ କରନ୍ତି ସେଥିପ୍ରତି ସତର୍କ ରହିବାକୁ ଡିଜିପି ଆନ୍ଦୋଳନକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ନାଗରିକ ସଂଶୋଧନ ଆଇନ ବିରୁଦ୍ଧରେ ପ୍ରତିବାଦ ସମୟରେ ପିଲାମାନେ ଯେପରି ଏଥିରେ ସଂଶ୍ଳିଷ୍ଟ ନ ହୁଅନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ ସେ ଅଭିଭାବକମାନଙ୍କୁ ନିବେଦନ କରିଛନ୍ତି।

Comments are closed.