ଏସିଆନ୍‌ ଟ୍ରାକ୍‌ ସାଇକେଲିଂ ଚମ୍ପିଅନ୍‌ସିପ୍‌ରେ ବ୍ରୋଞ୍ଜପଦକ ବିଜୟୀ ସ୍ୱସ୍ତି ସିଂ ଏବଂ ଦିନେଶ କୁମାରଙ୍କୁ  ସମ୍ବର୍ଦ୍ଧନା

ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର: ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏସିଆନ୍‌ ଟ୍ରାକ୍‌ ସାଇକେଲିଂ ଚମ୍ପିଅନ୍‌ସିପ୍‌-୨୦୨୨ରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଓଡ଼ିଶାର ସ୍ୱସ୍ତି ସିଂ ଏବଂ ଦିନେଶ କୁମାରଙ୍କୁ ଆଜି ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା, ଗୃହ(ରାଷ୍ଟ୍ର) ମନ୍ତ୍ରୀ ତୁଷାରକାନ୍ତି ବେହେରା ସମ୍ବର୍ଦ୍ଧିତ କରିଛନ୍ତି।
ଆଜି ପୂର୍ବାହ୍ନରେ କଳିଙ୍ଗ ହକି ଷ୍ଟାଡିୟମ୍‌ ପରିସରରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ମନ୍ତ୍ରୀ ଶ୍ରୀ ବେହେରା ରାଜ୍ୟର ଏହି ଉଦୀୟମାନ ଖେଳାଳୀ ଦ୍ୱୟଙ୍କୁ ଦୁଇଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ସହ ଫଳକ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଆଗାମୀ ଦିନରେ ସେମାନେ ଅଧିକ ଭଲ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ। ସେମାନଙ୍କ ଏହି ସଫଳତା ରାଜ୍ୟ ପାଇଁ ଗୌରବ ଆଣିବା ସହ ଆଗାମୀ ପିଢ଼ିଙ୍କୁ କ୍ରୀଡ଼ା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ଅନୁପ୍ରାଣିତ କରିବ।

ଏହି ଅବସରରେ ବିଗତ କିଛିବର୍ଷର ନିରନ୍ତର ସାହାଯ୍ୟ ଓ ସହଯୋଗ ପାଇଁ ସମ୍ବର୍ଦ୍ଧିତ ହୋଇଥିବା ଉଭୟ କ୍ରୀଡ଼ାବିତ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ରାଜ୍ୟ ସରକାରଙ୍କ ଏହି ପ୍ରୋତ୍ସାହନ ଆମକୁ ଆଗାମୀ ଦିନରେ ଅଧିକ ପରିଶ୍ରମ କରି ଅଧିକ ଉତ୍କର୍ଷ ପ୍ରତିପାଦନ ପାଇଁ ଉତ୍ସାହିତ କରିବ ବୋଲି ଖେଳାଳୀମାନେ ମତବ୍ୟକ୍ତ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଦିନେଶ କୁମାର ୨୦୨୨ରେ ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।
ଏହି ସମ୍ବର୍ଦ୍ଧନା ଉତ୍ସବରେ ଓଡ଼ିଶାର ପ୍ରଥମ ମହିଳା ସାଇକେଲ ଚାଳିକା ତଥା ଅର୍ଜୁନ ପୁରସ୍କାର ବିଜୟିନୀ ମିନତୀ ମହାପାତ୍ର, ବିଭାଗୀୟ ଯୁଗ୍ମ ଶାସନ ସଚିବ କୈଳାସ ଚନ୍ଦ୍ର ଦାସ, ରଞ୍ଜିତ ପରିଡ଼ା, ଓଏସ୍‌ଡି ସିର୍ଦ୍ଧାର୍ଥ ଶଙ୍କର ସାହୁଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.