ଏସିଆନ ଚମ୍ପିଆନ୍ସ ଟ୍ରଫି ହକି ଡିସେମ୍ବରକୁ ଘୁଞ୍ଚିଲା

ନୂଆଦିଲ୍ଲୀ: ବାଂଲାଦେଶର ଢାକାରେ ଆସନ୍ତା ଅକ୍ଟୋବର ୧ରୁ ୯ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏସିଆନ ଚମ୍ପିଆନ୍ସ ଟ୍ରଫି ହକି ପ୍ରତିଯୋଗିତାକୁ ଡିସେମ୍ବରକୁ ଘୁଞ୍ଚାଇ ଦିଆଯାଇଛି। ପ୍ରତିଯୋଗିତା ଡିସେମ୍ବର ୧୨ରୁ ଆୟୋଜିତ ହେବା ନେଇ ଧାର୍ଯ୍ୟ କରାଯାଇଛି ବୋଲି ଆୟୋଜକ ବାଂଲାଦେଶ ହକି ମହାସଂଘ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଏସୀୟ ରାଷ୍ଟ୍ରରେ ବର୍ତ୍ତମାନର କୋଭିଡ଼ ସ୍ଥିତିକୁ ଦୃଷ୍ଟିରେ ରଖି ଏସିଆନ ଚମ୍ପିଆନ୍ସ ଟ୍ରଫି ହକିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଦେଶର ଯାତାୟତ ଓ କଟକଣା ପ୍ରତିଯୋଗିତା ଆୟୋଜନରେ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି। ଖେଳାଳିମାନଙ୍କ ସଙ୍ଗରୋଧ ଆଉ ଏକ ବଡ ସମସ୍ୟା ସୃଷ୍ଟି କରିବ। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଏସିଆନ ଚମ୍ପିଆନ୍ସ ଟ୍ରଫିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଏସିଆନ ହକି ମହାସଂଘ ମୁଖ୍ୟ କାର୍ଯ୍ୟନିର୍ବାହୀ ତାଇବୁ ଇକ୍‌ରାମ କହିଛନ୍ତି। ସେହିପରି ଅକ୍ଟୋବର ୨୪ରୁ ୩୧ ପର୍ଯ୍ୟନ୍ତ ଦକ୍ଷିଣ କୋରିଆରେ ଆୟୋଜିତ ହେବାକୁ ଥିବା ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି ମଧ୍ୟ ଆୟୋଜନ ନେଇ ଆଶଙ୍କା ରହିଛି। ଏହାକୁ ମଧ୍ୟ ସ୍ଥଗିତ ରଖାଯାଇପାରେ । ଏ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ ବୋଲି ସିଇଓ ଇକ୍‌ରାମ କହିଛନ୍ତି।

Comments are closed.