ଏସୀୟ ଦୌଡ଼କୁଦ : ୨୦୦ ମିଟର ଫାଇନାଲରେ ଦୂତି

କଟକ : କାତାରର ଦୋହାରେ ଚାଲିଥିବା ୨୩ତମ ଏସୀୟ ଦୌଡ଼କୁଦ ଚମ୍ପିଆନ୍‌ସିପରେ କ୍ରମାଗତ ୨ୟ ସ୍ପ୍ରିଣ୍ଟ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ଦୂତି ଚାନ୍ଦ। ମଙ୍ଗଳବାର ଦୂତି ୨୦୦ ମିଟର ଦୌଡ଼ର ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଇଭେଣ୍ଟରେ ଅନ୍ୟତମ ପଦକ ଦାବିଦାର ଦୂତି ମଙ୍ଗଳବାର ହିଟ୍‌ସରେ ୨୩.୩୩ ସେକେଣ୍ଡ ସମୟ ନେଇ ତାଙ୍କ ଗ୍ରୁପ୍‌ରେ ପ୍ରଥମ ସ୍ଥାନରେ ରହିଥିଲେ। ଏହି ହିଟ୍‌ସରେ ଚୀନ୍‌ର କଙ୍ଗ୍ ଲିଙ୍ଗ୍‌ୱେଇ ୨୩.୫୧ ସେକେଣ୍ଡ ସମୟ ନେଇ ୨ୟ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଛନ୍ତି।
ସୂଚନାଯୋଗ୍ୟ; ୨୩.୩୩ ସେକେଣ୍ଡ ହେଉଛି ଚଳିତ ସିଜିନ୍‌ରେ ଦୂତିଙ୍କ ଶ୍ରେଷ୍ଠ ଟାଇମିଂ। ଚଳିତବର୍ଷ ପ୍ରାରମ୍ଭରେ ଦୂତିଙ୍କ ଟାଇମିଂ ଥିଲା ୨୩.୩୫ ସେକେଣ୍ଡ। ମଙ୍ଗଳବାର ହୋଇଥିବା ହିଟ୍‌ସର ଟାଇମିଂ ଅନୁସାରେ ଦୂତିଙ୍କ ଟାଇମିଂ ହେଉଛି ୩ୟ ଶ୍ରେଷ୍ଠ। ଏହି ଇଭେଣ୍ଟରେ ଫେଭରିଟ୍ ତଥା ଗତ ଏସୀୟ କ୍ରୀଡ଼ାରେ ଦୂତିଙ୍କୁ ପଛରେ ପକାଇ ସ୍ବର୍ଣ୍ଣପଦକ ଜିତିଥିବା ବାହାରେନ୍‌ର ସାଲ୍‌ୱା ନାସେର୍‌ ୨୨.୮୪ ସେକେଣ୍ଡ ସମୟ ନେଇ ଦ୍ରୁତତମ ଯୋଗ୍ୟତା ହାସଲକାରୀ (ଫାଷ୍ଟେଷ୍ଟ କ୍ବାଲିଫାୟର) ହୋଇ ପାରିଥିଲେ। ପୁଣି ଏହି ଟାଇମିଂ ସହ ସାଲ୍‌ୱା ନାସେର୍‌ ଏସୀୟ ଦୌଡ଼କୁଦ ଚମ୍ପିଆନ୍‌ସିପ​‌େ​ର ନୂତନ ରେକର୍ଡ। ଦିନକ ତଳେ ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣପଦକ ଜିତିଥିବା କାଜାଖ୍‌ସ୍ତାନର ଓଲ୍‌ଗା ସାଫ୍ରୋନୋଭା ୨ୟ ସ୍ଥାନରେ ରହିଛନ୍ତି। ବୁଧବାର ରାତିରେ ଫାଇନାଲ ରେସ୍ ଅନୁଷ୍ଠିତ ହେବ। ଏଥିରେ ପଦକ ଜିତିବା ଲାଗି ଯାଜପୁର ଏକ୍ସପ୍ରେସ୍ ଦୂତି ଚାନ୍ଦଙ୍କୁ ତାଙ୍କର ଏହି ଟାଇମିଂରେ ଉନ୍ନତି କରିବାକୁ ପଡ଼ିବ। ସୂଚନାଯୋଗ୍ୟ; ଦୂତି ସୋମବାର ୧୦୦ ମିଟର ଦୌଡ଼ର ଫାଇନାଲରେ ୫ମ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ। ଦୂତି ଦୁର୍ବଳ ପ୍ରଦର୍ଶନ କରି ୧୧.୪୪ ସେକେଣ୍ଡ ସମୟ ନେଇ ରେସ୍ ଫିନିସ୍ କରିଥିଲେ।

Comments are closed.