ଏନ୍‌ସିବି ଏସଆଇଟିରେ ହାଜର ହେଲେନି ଆର୍ଯ୍ୟନ

ମୁମ୍ବଇ : ମୁମ୍ବଇ ଉପକୂଳସ୍ଥିତ ବିଳାସପୂର୍ଣ୍ଣ ଯାତ୍ରୀବାହୀ ଜାହାଜ କୋର୍ଡେଲିଆ (କ୍ରୁଜ୍‌)ରେ ମାଦକଦ୍ରବ୍ୟ କାରବାରର ଘଟଣାର ତଦନ୍ତ ଭାର ନେଇଥିବା ଏନସିବିର ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ନିକଟରେ ଅଭିଯୁକ୍ତ ଆର୍ଯ୍ୟନ ଖାଁ ରବିବାର ହାଜର ହୋଇ ନାହାନ୍ତି। ବରିଷ୍ଠ ଆଇପିଏସ୍‌ ଅଧିକାରୀ ସଞ୍ଜୟ କୁମାର ସିଂହଙ୍କ ନେତୃତ୍ବରେ ଗଠିତ ନାର୍କୋଟିକ୍ସ କ‌େଣ୍ଟ୍ରାଲ ବ୍ୟୁରୋ (ଏନସିବି)ର ଏସଆଇଟି ମୁମ୍ବଇ ଏନସିବିଠାରୁ ମୁମ୍ବଇ କ୍ରୁଜ୍ ସମେତ ୬ଟି ମାମଲାର ତଦନ୍ତ ଭାର ଶୁକ୍ରବାର ନେଇଛି। ଶନିବାର ଏସଆଇଟି ଦଳ ମୁମ୍ବଇରେ ପହଞ୍ଚିବା ପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ଶନିବାର ଆର୍ଯ୍ୟନ ଖାଁଁଙ୍କୁ ସମନ ଜାରି କରାଯାଇଥିବାବେଳେ ରବିବାର ତାଙ୍କୁ ହାଜର ପାଇଁ କୁହାଯାଇଥିଲା। ତେବେ ସେ ଏସ୍‌ଆଇଟି ନିକଟରେ ହାଜର ହୋଇନଥିଲେ। ତାଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଇଥିବା କାରଣ ଦର୍ଶାଇ ଆର୍ଯ୍ୟନ ହାଜର ହେବାଲାଗି ଅଧିକ ସମୟ ଲୋଡ଼ିଛନ୍ତି। ଅନ୍ୟପକ୍ଷରେ ଅର୍ବାଜ୍ ମର୍ଚ୍ଚାଣ୍ଟ ଓ ଅଚିତ୍ କୁମାରଙ୍କୁ ମଧ୍ୟ ସମନ ଜାରି କରାଯାଇଛି। ଏହି ମାମଲାରେ ଏସ୍‌ଆଇଟି ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକଙ୍କ ପୁଅ ସମୀର ଖାଁଙ୍କ ବୟାନ ରେକର୍ଡ କରିବାର ସମ୍ଭାବନା ରହିଛି। ଗତ ଜାନୁଆରୀରେ ସମୀରଙ୍କୁ ଏନସିବି ଗିରଫ କରିଥିବାବେଳେ ସେ ଏବେ ଜାମିନରେ ଅଛନ୍ତି। କେବଳ ଆର୍ଯ୍ୟନ ନୁହନ୍ତି ୬ ମାମଲାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ସମନ ଜାରି କରାଯିବ ବୋଲି ଏସଆଇଟିର ଜଣେ ଅଧିକାରୀ କହିଛନ୍ତି।

Comments are closed.