ଇତିହାସରେ ଆଜିର ଦିନ ସ୍ୱର୍ଣ୍ଣ ଅକ୍ଷରରେ ଲେଖା ଯିବ : ଅରୁଣ ଗୋବିଲ

ନୂଆଦିଲ୍ଲୀ: ଆଜି ହେଉଛି ଏକ ମହାନ ଓ ପବିତ୍ର ଦିନ। ଅଯୋଧ୍ୟାରେ ରାମମନ୍ଦିର ପାଇଁ ଭୂମି ପୂଜାର କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଶେଷ ହୋଇଛି।ଏଥିପାଇଁ ସମସ୍ତ ସୁରକ୍ଷା ଓ ବ୍ୟବସ୍ଥା କରାଯାଇଥିଲା। ସମ୍ପୂର୍ଣ୍ଣ ଅଯୋଧ୍ୟା ନଗରୀକୁ ନବବଧୂ ଭଳି ସଜା ଯାଇଥିଲା। ଭୂମି ପୂଜା ପାଇଁ ସମସ୍ତ ଦେଶବାସୀ ବେଶ ଖୁସି ହୋଇଛନ୍ତି। ଏହି ଶୁଭ ଅବସରରେ ବଲିଉଡ଼ର ବିଭିନ୍ନ ତାରକା ମାନେ ଟ୍ୱିଟ କରିଛନ୍ତି। ବହୁ ଚର୍ଚ୍ଚିତ ଓ ପ୍ରସିଦ୍ଧି ଲାଭ କରିଥିବା ରାମାନନ୍ଦ ସାଗରଙ୍କ ଧାରାବାହିକ ରାମାୟଣରେ ରାମଙ୍କ ଚରିତ୍ର ଉପସ୍ଥାପନା କରିଥିବା ଅଭିନେତା ଅରୁଣ ଗୋବିଲ ମଧ୍ୟ ଏହି ଅବସରରେ ଟ୍ୱିଟ କରିଛନ୍ତି। ସେ କହିଛନ୍ତି ; ଇତିହାସରେ ଆଜିର ଦିନ ସ୍ୱର୍ଣ୍ଣ ଅକ୍ଷରରେ ଲେଖା ଯିବ। ଶ୍ରୀରାମ ମନ୍ଦିରର ଶିଳାନ୍ୟାସରେ ସାରା ଦୁନିଆରେ ସମସ୍ତ ଭକ୍ତଙ୍କ ସ୍ୱପ୍ନ ସତ ହୋଇଛି।ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଜୟ ଶ୍ରୀରାମ।
ଏହା ପୂର୍ବରୁ ମଧ୍ୟ ଟ୍ୱିଟ ଯୋଗେ କହିଥିଲେ , ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ବର୍ଷ ବର୍ଷ ସଂଘର୍ଷ କରିଥିବା ବ୍ୟକ୍ତିଙ୍କୁ ମୋର କୋଟି କୋଟି ପ୍ରଣାମ। ଆପଣ ସଭିଁଙ୍କ ମିଳିତ ପ୍ରୟାସ କାରଣରୁ ଆଜିର ଏହି ଶୁଭଦିନ ଦେଖିବାକୁ ସୌଭାଗ୍ୟ ମିଳିଛି। ଜୟ ଶ୍ରୀରାମ।

Comments are closed.