ବିଚାରପତିଙ୍କ ପତ୍ନୀଙ୍କୁ ବଳାତ୍କାର ଧମକ, ଜଷ୍ଟିସ ସି. ଏସ୍‌ କର୍ଣ୍ଣନ୍‌ ଗିରଫ

ଚେନ୍ନଇ: ପୁଣି ଚର୍ଚ୍ଚାକୁ ଆସିଛନ୍ତି କଲକାତା ଓ ​ଚେନ୍ନଇ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ସି.ଏସ୍‌ କର୍ଣ୍ଣନ୍‌। ଅନ୍‌ଲାଇନ୍‌ ଭିଡିଓରେ ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କୁ ଅଶାଳୀନ ଭାଷାରେ ଗାଳିଦେବା ସହ ସେମାନଙ୍କ ପତ୍ନୀଙ୍କୁ ବଳାତ୍କାର ଧମକ ଦେବା ଅଭିଯୋଗରେ କର୍ଣ୍ଣନ୍‌ ଗିରଫ ହୋଇଛନ୍ତି। ତାମିଲନାଡ଼ୁ ବାର୍‌ କାଉନସିଲ ପକ୍ଷରୁ ମାଡ୍ରାସ ହାଇକୋର୍ଟରେ କର୍ଣ୍ଣନ୍‌ଙ୍କ ବିରୋଧରେ ଏ ସମ୍ପର୍କିତ ମାମଲା ରୁଜୁ ହେବା ପରେ ବୁଧବାର ଚେନ୍ନଇର ସେଣ୍ଟ୍ରାଲ କ୍ରାଇମ୍‌ ବ୍ରାଞ୍ଚ ପୁଲିସ୍‌ ତାଙ୍କୁ ଗିରଫ କରିଛି। ଏହି ମାମଲାରେ କର୍ଣ୍ଣନଙ୍କ ବିରୋଧରେ ତୁରନ୍ତ ମାମଲା ରୁଜ୍ଜୁ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ହାଇକୋର୍ଟ ଚେନ୍ନଇ ପୁଲିସକୁ ନିର୍ଦେଶ ଦେବା ସହ ତାଙ୍କ ଦ୍ୱାରା ପ୍ରସାରିତ ସମସ୍ତ ଅନ୍‌ଲାଇନ୍‌ ଭିଡ଼ିଓକୁ ‘ବ୍ଲକ୍‌’ କରିବା ପାଇଁ ନିର୍ଦେଶ ଦେଇଥିଲେ। କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ନେଇ ହାଇକୋର୍ଟ ପୁଲିସକୁ ଭତ୍ର୍ସନା କରିଥିଲେ। ଏଥିସହ ଚଳିତ ମାସ ୭ ତାରିଖରେ ତାମିଲନାଡୁ ପୁଲିସ ମହାନିର୍ଦେଶକ ଓ ଚେନ୍ନଇ ପୁଲିସ୍‌ କମିସନରଙ୍କୁ ବ୍ୟକ୍ତିଗତ ଭାବେ ହାଜର ପାଇଁ ନିର୍ଦେଶ ଦେଇଛନ୍ତି।

୨୦୧୭ରେ କର୍ଣ୍ଣନ କଲକାତା ହାଇକୋର୍ଟର ବିଚାରପତି ଥିବା ସମୟରେ ସୁପ୍ରିମକୋର୍ଟ ଓ ମାଡ୍ରାସ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ଦୁର୍ନୀତି ତଥା ପ୍ରୀୟାପ୍ରିତି ତୋଷଣ ଅଭିଯୋଗ ଆଣିଥିଲେ। ଏମିତିକି ସେ ପଦୋନ୍ନତି ଓ ତାଙ୍କ ବିରୋଧରେ ଦଣ୍ଡବିଧାନ ପାଇଁ ଜାତିଗତ ଆରୋପ ଉତ୍ଥାପନ କରିଥିଲେ। ଏହି ପ୍ରସଙ୍ଗରେ ତାଙ୍କ ବିରୋଧରେ ସୁପ୍ରିମକୋର୍ଟ ଅଦାଲତ ଅବମାନନା ମାମଲା ଦାୟର କରିବା ସହ ୬ମାସ କାରାଦଣ୍ଡାଦେଶ ଦେଇଥିଲେ। ଏଭଳି ମାମଲାରେ ଜଣେ କାର୍ଯ୍ୟରତ ବିଚାରପତି କାରାଦଣ୍ଡ ଭୋଗିବା ଭାରତ ଇତିହାସରେ ପ୍ରଥମ ଘଟଣା ଥିଲା। କୌଣସି ହାଇକୋର୍ଟ ବିଚାରପତି ଭାବେ ସେ ସୁପ୍ରିମକୋର୍ଟରେ ମୁଦାଲା ଭାବେ ହାଜର ହେବା ପ୍ରଥମ ଘଟଣା ଥିଲା। ଗିରଫଦାରୀ ଏଡ଼ାଇବାକୁ କଲକାତା ପୁଲିସ ସହିତ ତାଙ୍କର ଲୁଚକାଳି ଖେଳ ମଧ୍ୟ ରୋଚକ ପରିସ୍ଥିତି ସୃଷ୍ଟି କରିଥିଲା। ପୁନଶ୍ଚ ବିଚାରପତିଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବାରେ ମଧ୍ୟ ସେ ପ୍ରଥମ ହାଇକୋର୍ଟ ବିଚାରପତି ଥିଲେ। ଏତେସବୁ ଚର୍ଚ୍ଚିତ ଘଟଣା ପରେ କର୍ଣ୍ଣନ ବାରଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରି ପୁନର୍ବାର ଚର୍ଚ୍ଚାକୁ ଆସିଥିଲେ। ୨୦୧୮ରେ ପ୍ରତିଷ୍ଠିତ ଆଣ୍ଟି କରପ୍‌ସନ ଡାଇନାମିକ୍‌ ପାର୍ଟି (ଏସିଡିପି)ର ପ୍ରାର୍ଥୀ ଭାବେ ସେ ନିର୍ବାଚନ ଲଢ଼ିଥିଲେ।

Comments are closed.