ବିଷମ ପରିସ୍ଥିତିରେ ଦେଶର ସୁରକ୍ଷା; ବାଲିରେ ଭାଜି ହୋଇଯାଉଛି ପାମ୍ପଡ଼

ବିକାନେର: ରାଜସ୍ଥାନର ବିକାନେରରେ ଭାରତ-ପାକିସ୍ତାନ ସୀମାରେ ଯବାନମାନେ ପ୍ରଚଣ୍ଡ ଉତ୍ତାପର ଉଦାହରଣ ଦେଖାଇବାକୁ ଯାଇ ଏକ ନିଆର ପରୀକ୍ଷଣ ଦେଖାଇଛନ୍ତି। ଏହାର ଭିଡିଓ ମଧ୍ୟ ସେମାନେ କରିଛନ୍ତି। ଭିଡିଓରେ ଦୁଇ ଜଣ ଯବାନ ହାତରେ ୨-୨ଟି କଞ୍ଚା ପାମ୍ପଡ଼ ଧରିଥିବା ଦେଖିବାକୁ ମିଳିଛି। ଏହି ପାମ୍ପଡ଼କୁ ସେମାନେ ବାଲିରେ ପୋତି ଦେଲେ। ୧୦ ମିନିଟ୍‌ ପରେ ବାଲି ହଟାଇ ଦେଖିବା ବେଳକୁ ପାମ୍ପଡ଼ ସମ୍ପୂର୍ଣ୍ଣ ଭାବେ ସେକି ହୋଇଯାଇଛି। ଯବାନମାନେ ଗୋଟିଏ ପାମ୍ପଡ଼କୁ ଭାଙ୍ଗି ମଧ୍ୟ ଦେଖାଇଛନ୍ତି।

ଭିଡିଓରେ ଜଣେ ଯବାନ କହିଛନ୍ତି ଯେ, ସେ ସାଧାରଣ ଜନତାଙ୍କୁ କହିବାକୁ ଚାହୁଁଛନ୍ତି କି ସୀମାରେ ସୈନିକମାନେ କିପରି ବିଷମ ପରିସ୍ଥିତି ସହ ସଂଗ୍ରାମ କରି ଦେଶ ସେବାରେ ନିୟୋଜିତ ଅଛନ୍ତି। ଯବାନମାନଙ୍କ ପାଇଁ ଉତ୍ତାପରୁ ରକ୍ଷା ପାଇବାକୁ ବିକଳ୍ପ ବ୍ୟବସ୍ଥା କରିବାକୁ ମଧ୍ୟ ଏହି ଭିଡିଓରେ ନିବେଦନ କରାଯାଇଛି। ବିଏସଏଫ ଡିଆଇଜି ପୁଷ୍ପେନ୍ଦ୍ର ସିଂହଙ୍କ କହିବାନୁସାରେ, ଏଠାରେ ସବୁ ବର୍ଷ ଏହିଭଳି ଗରମ ହୋଇଥାଏ। ଆମ ଯବାନମାନଙ୍କ ଆତ୍ମବଳ ଉତ୍ତାପଠାରୁ ମଧ୍ୟ ଅଧିକ ଶକ୍ତ।

ପଶ୍ଚିମ ରାଜସ୍ଥାନର ସମସ୍ତ ଜିଲାରେ ଏବେ ଅସହ୍ୟ ଗରମ ଓ ଉତ୍ତାପ ଅନୁଭୂତ ହେଉଛି। ବିକାନେରରେ ତାପମାତ୍ରା ୪୭ ଡିଗ୍ରୀ ଉପରେ ରହିଛି। ଅନେକ କିଲୋମିଟର ବ୍ୟାପିଥିବା ମରୁଭୂମିରେ ସହର ଅପେକ୍ଷା ଅଧିକ ଗରମ ହେଉଛି। ଯବାନମାନଙ୍କୁ ଉତ୍ତାପରୁ ବଞ୍ଚାଇବା ପାଇଁ ବିଏସଏଫ ପକ୍ଷରୁ ମଞ୍ଚା ବାନ୍ଧି ସେଠାରେ କୁଲର୍‌ ଲଗାଯାଇଛି। ଏହାଦ୍ବାରା ୬ ଘଣ୍ଟା କଠିନ କାର୍ଯ୍ୟ ପରେ ଯବାନ କିଛି ସମୟ ପାଇଁ ବିଶ୍ରାମ ନେଇପାରିବେ। ଏହି କୁଲର ପ୍ରତ୍ୟେକ ମଞ୍ଚା ପାଖରେ ଲଗାଯାଇଥାଏ, ଯେଉଁଥିରେ ପାଣି ପୁରାଇବା ବ୍ୟବସ୍ଥା ରହିଛି। ଏହି କୁଲରଗୁଡ଼ିକୁ ଚଲାଇବା ପାଇଁ ସୋଲାର ସିଷ୍ଟମ ଲଗାଯାଇଛି।

 

 

Comments are closed.