ଅବସର ନେଲେ ସେନାମୁଖ୍ୟ ବିପିନ ରାୱତ, ଦାୟିତ୍ଵ ନେବେ ନରୱାଣେ

ନୂଆଦିଲ୍ଲୀ: ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଅବସର ଗ୍ରହଣ କରିଛନ୍ତି। ମଙ୍ଗଳବାର ତାଙ୍କ କାର୍ଯ୍ୟକାଳର ଶେଷ ଦିନ ଥିବାବେଳେ ସେ ନୂଆଦିଲ୍ଲୀସ୍ଥିତ ଯୁଦ୍ଧ ସ୍ମାରକୀଠାରେ ପହଞ୍ଚି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାବ୍ୟତୀତ ସାଉଥ୍‌ ବ୍ଲକରେ ତାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଛି। ଆସନ୍ତା କାଲି ଅର୍ଥାତ୍‌ ନୂଆବର୍ଷରେ ରାୱତ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ(ସିଡିଏସ) ପଦବୀରେ ଦାୟିତ୍ଵ ଗ୍ରହଣ କରିବେ। ଏହା ପୂର୍ବରୁ ସେ ସମସ୍ତ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅନ୍ୟପଟେ ରାୱତଙ୍କ ସ୍ଥାନରେ ପରବର୍ତ୍ତୀ ସେନାମୁଖ୍ୟ ଭାବେ ନିଯୁକ୍ତ ହୋଇଥିବା ମନୋଜ ମୁକୁନ୍ଦ ନରୱାଣେ ମଙ୍ଗଳବାର ଦାୟିତ୍ଵ ଗ୍ରହଣ କରିବେ। ରାୱତ କହିଛନ୍ତି, ତାଙ୍କର ପୂରା ବିଶ୍ଵାସ ରହିଛି ଯେ, ନରୱାଣେ ଦେଶର ସେନାକୁ ଆହୁରି ଆଗକୁ ନେଇଯିବେ। ସେ ଆହୁରି କହିଛନ୍ତି ସିଡିଏସ କେବଳ ଏକ ପଦବୀ। ସେନାର ସମସ୍ତ ଯବାନ ଏହି ପଦବୀରେ ଅବସ୍ଥାପିତ ବ୍ୟକ୍ତିଙ୍କୁ ସହଯୋଗ କରିଥାନ୍ତି। ସେହି ସହଯୋଗ ବଳରେ ଦେଶର ସେନା ଆଗକୁ ବଢ଼େ। ସମସ୍ତ ଯବାନଙ୍କ ସାଥୀରେ ରହି କାମ କଲେ ସଫଳତା ମିଳେ। ତାଙ୍କ କାର୍ଯ୍ୟକାଳ ସମୟରେ ସେନାର ଆଧୁନିକୀକରଣ କରିବା ତାଙ୍କର ଏକ ବଡ଼ ପଦକ୍ଷେପ ଥିଲା ବୋଲି ରାୱତ କହିଛନ୍ତି।

Comments are closed.