ଫୋନରୁ ଫେସବୁକ୍, ଇନଷ୍ଟାଗ୍ରାମ ସମେତ ୮୯ଟି ଆପ୍ସକୁ ଡିଲିଟ ପାଇଁ ସେନା କର୍ମଚାରୀଙ୍କୁ ନିର୍ଦେଶ

ନୂଆଦିଲ୍ଲୀ : ଜଳ, ସ୍ଥଳ, ବାୟୁ ତିନି ସୈନ୍ୟ ବାହିନୀର ସମସ୍ତ କର୍ମଚାରୀଙ୍କୁ ନିଜ ମୋବାଇଲ ଫୋନରୁ ଫେସବୁକ୍, ଇନଷ୍ଟାଗ୍ରାମ ସମେତ ୮୯ଟି ଆପ୍ସକୁ ଡିଲିଟ କରିବାକୁ ନିର୍ଦେଶ ଦିଆଯାଇଛି। ଜୁଲାଇ ୧୫ ସୁଦ୍ଧା ସମସ୍ତ ଯବାନ ଓ ଅଫିସର ଏହି ନିର୍ଦେଶକୁ କାର୍ଯ୍ୟକାରୀ କରିବେ। ନିର୍ଦେଶ ପାଳନରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିବ। ସମ୍ବେଦନଶୀଳ ତଥ୍ୟ ପ୍ରଘଟ ହେବା ଓ ସୁରକ୍ଷାକୁ ଆଧାର କରି ଏହି ନିର୍ଦେଶ ଦିଆଯାଇଛି। ସେନାର କର୍ମଚାରୀମାନେ ଦିନକୁ ଦିନ ଅଧିକରୁ ଅଧିକ ସଂଖ୍ୟାରେ ପାକିସ୍ତାନ ଓ ଚୀନ ଗୁଇନ୍ଦା ଏଜେନ୍ସିର ଅନଲାଇନ ଟାର୍ଗେଟରେ ପଡୁଛନ୍ତି ବୋଲି ସେନାର ଜଣେ ଅଧିକାରୀ କହିଛନ୍ତି। ଗତବର୍ଷ ନଭେମ୍ବରରେ ସେନା ଏହାର କର୍ମଚାରୀଙ୍କୁ ସରକାରୀ କାର୍ଯ୍ୟ ଲାଗି ହ୍ବାଟ୍ସଆପ୍ ବ୍ୟବହାର ନ କରିବାକୁ ନିର୍ଦେଶ ଦେଇଥିଲା। ସେହିପରି ସମ୍ବେଦନଶୀଳ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସେନା କର୍ମଚାରୀଙ୍କୁ ଫେସବୁକ୍ ଆକାଉଣ୍ଟ ଡିଲିଟ କରିବାକୁ କୁହାଯାଇଥିଲା। ପାକିସ୍ତାନ ଗୁଇନ୍ଦାର ମହିଳା ଏଜେଣ୍ଟମାନେ ଭାରତର ସେନା କର୍ମଚାରୀଙ୍କୁ ହଟିଟ୍ରାପ୍ରେ ଫସାଇ ସମ୍ବେଦନଶୀଳ ତଥ୍ୟକୁ ହାତେଇବାରେ ସଫଳ ହୋଇଥିବା ଦେଖାଯାଇଛି।