ସୟଦ ମୁସ୍ତାକ୍‌ ଅଲୀ ଟ୍ରଫି; ମୁମ୍ବଇ ଦଳରେ ଅର୍ଜୁନ ତେନ୍ଦୁଲକର

ମୁମ୍ବଇ: ପ୍ରଥମଥର ପାଇଁ ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବଇର ସିନିୟର କ୍ରିକେଟ୍‌ ଦଳରେ ସ୍ଥାନ ଦିଆଯାଇଛି। ଘରୋଇ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି୨୦ ଟୁର୍ଣ୍ଣାମେଣ୍ଟ ନିମନ୍ତେ ମୁମ୍ବଇ ଦଳରେ ଅର୍ଜୁନ ତେନ୍ଦୁଲକରଙ୍କୁ ଶନିବାର ସାମିଲ କରା ଯାଇଥିବା ମୁମ୍ବଇ କ୍ରିକେଟ୍‌ ଆସୋସିଏସନ୍‌ ତରଫରୁ ସୂଚନା ପ୍ରଦାନ କରାଯାଇଛି।

ସଚିନଙ୍କୁ ପୁଅ ଅର୍ଜୁନ ତେନ୍ଦୁଲକର ଜଣେ ବାମହାତୀ ଦ୍ରୁତ ବୋଲର। ଅର୍ଜୁନ ପୂର୍ବରୁ ୧୯ ବର୍ଷରୁ କମ୍‌ ଭାରତୀୟ ଦଳ ଏବଂ ବିଭିନ୍ନ ବୟସବର୍ଗ କ୍ରିକେଟ୍‌ରେ ମୁମ୍ବଇ ଦଳକୁ ପ୍ରତିନିଧିତ୍ବ କରି ସାରିଛନ୍ତି। ସୟଦ ମୁସ୍ତାକ ଅଲୀ ଟ୍ରଫି ନିମନ୍ତେ ୨୨ ଜଣିଆ ଦଳ ମନୋନୟନ କରିବାକୁ ବିସିସିଆଇ ଅନୁମତି ଦେବା ପରେ ଅର୍ଜୁନଙ୍କୁ ଦଳରେ ସାମିଲ କରା ଯାଇଥିବା ମୁମ୍ବଇ କ୍ରିକେଟ୍ ଆସୋସିଏସନ୍‌ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ମୁମ୍ବଇ ଦଳରେ ଆହତ ତାରକା ବ୍ୟାଟସମ୍ୟାନ୍‌ ଶ୍ରେୟାସ ଆୟର ନାହାନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ବେଳେ ଆୟରଙ୍କ କାନ୍ଧରେ ଆଘାତ ଲାଗିଥିଲା। ମୁମ୍ବଇ ଦଳର ଅଧିନାୟକ ଭାବେ ସୂର୍ଯ୍ୟକୁମାର ଯାଦବ ଓ ଉପଅଧିନାୟକ ଭା​‌​‌ବେ ଆଦିତ୍ୟ ତାରେ ଦାୟିତ୍ବ ନିର୍ବାହ କରିବେ। ମୁମ୍ବଇ ଦଳ ଗ୍ରୁପ୍‌ ‘ଇ’ରେ ଦିଲ୍ଲୀ, ହରିୟାଣା, କେରଳ, ଆନ୍ଧ୍ରପ୍ରଦେଶ ଓ ପଣ୍ଡିଚେରୀ ସହ ରହିଛି।

Comments are closed.