ମୃତ ଶିଶୁପୁତ୍ରକୁ ‘ସୁପର୍ ହିରୋ’ ପରିଚୟ ଦେଲେ ବାପା-ମା’

ବାପା-ମା’ଙ୍କ ଆଖି ଆଗରେ ପିଲାର ମୃତ୍ୟୁଠାରୁ ବଡ଼ ଦଣ୍ଡ ଆଉ କିଛି ନାହିଁ ବୋଲି କୋହଭରା କଣ୍ଠରେ କହିଛନ୍ତି ଲଣ୍ଡନନିବାସୀ ଜନୈକ ବ୍ୟବସାୟୀ ଆଣ୍ଡ୍ୟୁ। ସେ ଓ ତାଙ୍କ ପତ୍ନୀ ଆଗିଙ୍କ ପୁଅ ହେଉଛନ୍ତି ୮ ବର୍ଷୀୟ ପାଟ୍ରିକ୍ ମିଲନର୍। ତାଙ୍କ ଗେହ୍ଲା ପୁଅ ଏଇ ସପ୍ତାହକ ତଳେ ପ୍ରାଣ ହରାଇଛି। ଚୁଲବୁଲା ସ୍ବଭାବର ପ୍ୟାଟ୍ରିକ୍‌ ରଗ୍‌ବି ଖେଳିବାକୁ ଖୁବ୍ ଭଲ ପାଉଥିଲେ। ବିଦ୍ୟାଳୟ ଟିମ୍‌ରେ ସେ ସ୍ଥାନ ପାଇଥିବାବେଳେ ଭଲ ପ୍ରଦର୍ଶନ ମଧ୍ୟ କରିଥାନ୍ତି। ସେଦିନ ମଧ୍ୟ ସେ ବିଦ୍ୟାଳୟରେ ଖେଳୁଥିବାବେଳେ ଅସୁସ୍ଥ ହୋଇପଡ଼ିଲେ। ତୁରନ୍ତ ତାଙ୍କୁ କର୍ତ୍ତୃପକ୍ଷ ଲିଭର୍‌ପୁଲ୍ସସ୍ଥିତ ସବୁଠୁ ବଡ଼ ଚିକିତ୍ସାଳୟରେ ଭର୍ତ୍ତି କରାଇଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ। ପାଟ୍ରିକ୍‌ଙ୍କ ମା’ ଆଗିଙ୍କୁ ସମ୍ଭାଳିବା ସବୁଠୁ କଷ୍ଟକର ହୋଇପଡ଼ିଲା। ବାପା ଆଣ୍ଡ୍ର୍ୟୁ ଅଧୈର୍ଯ୍ୟ ହୋଇ କାନ୍ଦୁଥାନ୍ତି, ହେଲେ ହଠାତ୍ କ’ଣ ଭାବିଲେ କେଜାଣି….ସେହି ସମୟରେ ଆଖିରୁ ଲୁହ ପୋଛି ପୁଣି ଡାକ୍ତରଙ୍କ ପାଖକୁ ଗଲେ। ନିବେଦନ କଲେ ତାଙ୍କ ପୁଅର ଅଙ୍ଗଦାନ କରାଯାଉ। ଅନ୍ତତଃ ଏହି କାମ କଲେ ତାଙ୍କୁ ଆତ୍ମସନ୍ତୋଷ ମିଳିପାରିବ। ଡାକ୍ତର ମଧ୍ୟ ତାଙ୍କ କଥାକୁ ଗ୍ରହଣ କରି ପାଟ୍ରିକଙ୍କ ଶରୀରର ଅଙ୍ଗଦାନ କରି ଅନ୍ୟ ୩ଶିଶୁଙ୍କୁ ଜୀବନଦାନ ମିଳିଥିବାର କହିଛନ୍ତି। ଆଣ୍ଡ୍ର୍ୟୁ ସାକ୍ଷାତକାର୍‌ରେ କଇଁକଇଁ ହୋଇ କାନ୍ଦି କହିଛନ୍ତି, ଈଶ୍ବରଙ୍କ ଇଚ୍ଛା ଏହା ହିଁ ଥିଲା। ତାଙ୍କ ପୁଅ ‘ସୁପରହିରୋ’ ହୋଇଯାଇଛି, ଏହା ସେ ଗର୍ବର ସହ କହିପାରୁଛନ୍ତି।

Comments are closed.