ପ୍ରଥମ ଦିନିକିଆ ପାଇଁ ଭାରତର ପ୍ରସ୍ତୁତି ଆରମ୍ଭ

ମୁମ୍ବଇ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଏଠାରେ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଭାରତୀୟ ଦିନିକିଆ ଦଳର କିଛି ସଦସ୍ୟ ମଙ୍ଗଳବାର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ବେଶ୍‌ କିଛି ସମୟ ଅଭ୍ୟାସ କରିଥିଲେ। ଅବଶ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ୪ର୍ଥ ଟେଷ୍ଟମ୍ୟାଚ୍‌ ଖେଳିଥିବା ଦିନିକିଆ ଦଳର ସଦସ୍ୟ ବିରାଟ କୋହଲି, ଶୁବ୍‌ମାନ ଗିଲ୍‌, କେ.ଏଲ୍‌. ରାହୁଲ ଓ ରବୀନ୍ଦ୍ର ଜାଡ଼େଜା ଏହି ଅଭ୍ୟାସରେ ଭାଗ ନେଇନଥିଲେ। ମେଘୁଆ ପାଗ ଯୋଗୁଁ ପଡ଼ିଆରେ ଯଥେଷ୍ଟ ଆଲୋକ ନଥିଲା। ତେଣୁ ଫ୍ଲଡ୍‌ଲାଇଟ୍‌ ଜଳାଯାଇ ଅଭ୍ୟାସ କରିଥିଲେ ଭାରତୀୟ କ୍ରିକେଟର।
ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ବିଶ୍ରାମ ନେବାର ନିଷ୍ପତ୍ତି ନେଇଥିବାରୁ ମଙ୍ଗଳବାର ଭାରତୀୟ ଦଳର ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର ଓ ବୋଲିଂ ପ୍ରଶିକ୍ଷକ ପାରସ ମାହ୍‌​‌େ​‌ମ୍ବ୍ରଙ୍କ ନେତୃତ୍ବରେ ଭାରତୀୟ ଖେଳାଳି ଅଭ୍ୟାସ କରିଥିଲେ। ବ୍ୟକ୍ତିଗତ କାରଣରୁ ରୋହିତ ଶର୍ମା ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳିବେ ନାହିଁ। ତେଣୁ ରୋହିତଙ୍କ ସ୍ଥାନରେ ଅଭିଜ୍ଞ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଶୁକ୍ରବାରର ମ୍ୟାଚ୍‌ରେ ଭାରତୀୟ ଦଳର ନେତୃତ୍ବ ନେବେ। ହାର୍ଦିକ ଏବେ ଭାରତୀୟ ଟ୍ବେଣ୍ଟି୨୦ ଦଳର ଅଧିନାୟକ ଥିବା ବେଳେ ଭବିଷ୍ୟତରେ ତାଙ୍କୁ ଦିନିକିଆ ଦଳର ନେତୃତ୍ବ ମିଳିପାରେ ବୋଲି ଆଲୋଚନା ଚାଲିଛି। ରୋହିତଙ୍କ ଅନୁପସ୍ଥିତିରେ ହାର୍ଦିକ କିଛି ଦିନିକିଆରେ ଭାରତୀୟ ଦଳର ନେତୃତ୍ବ ନେଇ ଭଲ ପ୍ରଦର୍ଶନ କରିଛନ୍ତି। ମଙ୍ଗଳବାର ଭାରତୀୟ ଦଳର ଅଭ୍ୟାସ ବେଳେ ହାର୍ଦିକଙ୍କୁ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ସହ ଆଲୋଚନା କରିବା ଦେଖା ଯାଇଥିଲା। ହାର୍ଦିକ ନିଜେ ମଧ୍ୟ ନେଟ୍‌ସରେ ବ୍ୟାଟିଂ ଓ ବୋଲିଂ ଅଭ୍ୟାସ କରିଥିଲେ। ଭାରତୀୟ ସୀମିତ ଓଭର ଦଳ​‌େ​‌ର ହାର୍ଦିକ ପାଣ୍ଡ୍ୟା ଜଣେ ପ୍ରମୁଖ ସଦସ୍ୟ। ମଧ୍ୟକ୍ରମ​‌େ​‌ର ବିସ୍ଫୋରକ ବ୍ୟାଟିଂକରିବା ସହ ଉପଯୋଗୀ ପେସ୍‌ ବୋଲିଂ ହାର୍ଦିକ କରିଥାଆନ୍ତି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଶୁବ୍‌ମାନ ଗିଲ୍‌ ଓ ଈଶାନ୍ କିଷନ୍ ଇନିଂସ ଓପନ୍ କରିପାରନ୍ତି। ବିରାଟ କୋହଲିଙ୍କ ସହ ସୂର୍ଯ୍ୟକୁମାର ଯାଦବ, କେ.ଏଲ୍‌. ରାହୁଲ ବ୍ୟାଟିଂ ଦାୟିତ୍ବ ସମ୍ଭାଳିବେ। ୱାଶିଂଟନ ସୁନ୍ଦର ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର ଭାବେ ଖେଳିପାରନ୍ତି। ନେଟ୍‌ସରେ ଈଶାନ୍ କିଷନ୍ ଓ ସୂର୍ଯ୍ୟକୁମାର ଯାଦବ ବଡ଼ବଡ଼ ସଟ୍‌ ଖେଳିବା ଦେଖିବାକୁ ମିଳିଥିଲା। ଶ୍ରେୟାସ ଆୟର ପିଠି ଯନ୍ତ୍ରଣା ଯୋଗୁଁ ଏହି ଶୃଙ୍ଖଳାରୁ ବାଦ୍‌ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ମନୋନୟନକାରୀ ବଦଳ ଖେଳାଳି ସାମିଲ କରିବା ସମ୍ଭାବନା କମ୍‌। ସ୍ପିନ୍ ବିଭାଗରେ ଭାରତୀୟ ଦଳରେ ବହୁତ ବିକଳ୍ପ ରହିଛନ୍ତି। ୱାଙ୍ଖେଡ଼େର ପିଚ୍‌ ସମ୍ପୂର୍ଣ୍ଣ ଭାବେ ବ୍ୟାଟିଂ ସହାୟକ ମନେହେଉଛି। ଏଥିରେ ବଡ଼ ସ୍କୋର୍ ହେବା ନିଶ୍ଚିତ। ନୂଆ ବଲ୍‌ରେ ପେସ୍‌ ବୋଲରଙ୍କୁ କିଛି ସହାୟତା ମିଳିପାରେ। ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ୫ମ ଥର ପାଇଁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏଠାରେ ଉଭୟ ଦଳଙ୍କ ମଧ୍ୟରେ ଗତ ୪ଟି ମୁକାବିଲାରୁ ଅଷ୍ଟ୍ରେଲିଆ ୩ ଥର ଜିତିଛି। ୨୦୨୦ରେ‌ ଏଠାରେ ଦିନିକିଆ ମ୍ୟାଚ୍‌ରେ ଭାରତକୁ ସହଜରେ ଅଷ୍ଟ୍ରେଲିଆ ପରାସ୍ତ କରିଥିଲା।

ଆଗରେ ଅଷ୍ଟ୍ରେଲିଆ
ଶୁକ୍ରବାରଠାରୁ ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହି ଶୃଙ୍ଖଳା ପୂର୍ବରୁ ଆସନ୍ତୁ ଜାଣିବା ଉଭୟ ଦଳଙ୍କ ମଧ୍ୟରେ ଖେଳା ଯାଇଥିବା ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳାର ପରିସଂଖ୍ୟାନ। ୧୯୮୪ରୁ ୨୦୨୦ ମଧ୍ୟରେ ଭାରତ-ଅଷ୍ଟ୍ରେଲିଆ ୧୩ଟି ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳା ଖେଳାଯାଇଛି। ଏଥିରୁ ଅଷ୍ଟ୍ରେଲିଆ ୭ଟି ଓ ଭାରତ ୬ଟି ଶୃଙ୍ଖଳା ଜିତିଛନ୍ତି। ଭାରତ ମାଟିରେ ଉଭୟ ଦଳଙ୍କ ମଧ୍ୟରେ ୧୦ଟି ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳା ଖେଳା ଯାଇଥିବା ବେଳେ ଉଭୟ ଦଳ ୫ଟି ଲେଖାଏଁ ଜିତିଛନ୍ତି। ଅଷ୍ଟ୍ରେଲିଆରେ ଉଭୟ ଦଳଙ୍କ ମଧ୍ୟରେ ମାତ୍ର ୩ଟି ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳା ଖେଳାଯାଇଛି। ଏଥିରୁ ଅଷ୍ଟ୍ରେଲିଆ ୨ଟି ଓ ଭାରତ ଗୋଟିଏ ଶୃଙ୍ଖଳା ଜିତିଛି।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୧୯୮୦ରୁ ୨୦୨୦ ମଧ୍ୟରେ ମୋଟ ୧୪୩ଟି ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ଏଥିରେ ଅଷ୍ଟ୍ରେଲିଆର ପଲ୍ଲା ଭାରିରହିଛି। ଅଷ୍ଟ୍ରେଲିଆ ଏଥିରୁ ୮୦ଟି ମ୍ୟାଚ୍‌ ଜିତିଥିବା ବେଳେ ଭାରତ ୫୩ଟି ମ୍ୟାଚ୍‌ ଜିତିଛି ଏବଂ ୧୦ଟି ମ୍ୟାଚ୍‌ର ଫଳାଫଳ ବାହାରିନାହିଁ। ଭାରତ ମାଟିରେ ଉଭୟ ଦଳଙ୍କ ମଧ୍ୟରେ ମୋଟ ୬୪ଟି ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ଏଥିରୁ ଅଷ୍ଟ୍ରେଲିଆ ୩୦ଟି ଜିତିଥିବା ବେଳେ ଭାରତ ୨୯ଟି ଜିତିଛି ଏବଂ ୫ଟି ମ୍ୟାଚ୍‌ର ଫଳାଫଳ ବାହାରିନାହିଁ। ଅଷ୍ଟ୍ରେଲିଆ ମାଟିରେ ଉଭୟ ଦଳ ମୋଟ ୫୪ଟି ଦିନିକିଅାରେ ମୁହଁାମୁହିଁ ହୋଇଛନ୍ତି। ଏଥିରୁ ଘରୋଇ ଅଷ୍ଟ୍ରେଲିଆ ୩୮ଟି ଦିନିକିଆ ମ୍ୟାଚ୍‌ ଜିତିଥିବା ବେଳେ ଭାରତ ୧୪ଟି ମ୍ୟାଚ୍‌ ଜିତିଛି। ୨ଟି ମ୍ୟାଚ୍‌ର ଫଳାଫଳ ବାହାରିନାହିଁ। ନିରପେକ୍ଷ ସ୍ଥାନରେ ଭାରତ ଓ ଅଷ୍ଟ୍ରେଲିଆ ମୋଟ ୨୫ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଅଷ୍ଟ୍ରେଲିଆ ୧୨ଟି ଓ ଭାରତ ୧୦ଟି ମ୍ୟାଚ୍‌ ଜିତିଥିବା ବେଳେ ୨ଟି ମ୍ୟାଚ୍‌ର ଫଳାଫଳ ବାହାରିନାହିଁ।

Comments are closed.