ବୈତରଣୀ ନଦୀର ଉପର ମୁଣ୍ଡରେ କମୁଛି ତଳମୁଣ୍ଡରେ ବଢୁଛି ବନ୍ୟାପାଣି; ଉଜୁଡି ଗଲା ଶହଶହ ଏକରର ସାରଧଧାନତଳି ଓ ଅମଳ ପରିବା

ଆରଡି: ବାତ୍ୟା ୟସ ପ୍ରଭାବରେ ବୈତରଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଦେଖାଦେଇଛି ବନ୍ୟା। ଗତ ଗୁରୁବାର ଠାରୁ ବୈତରଣୀ ନଦୀର ଉପରମୁଣ୍ଡରେ ବନ୍ୟାଜଳ ବୃଦ୍ଧି ପାଇବା ପରେ ଶୁକ୍ରବାର ସାମନ୍ୟ ହ୍ରାସ ପାଇଥିଲେ ମଧ୍ୟ ତଳମୁଣ୍ଡରେ ନଦୀ ଫୁଲିବାରେ ଲାଗିଛି। ଗୋଟିଏ ପଟେ ସମୁଦ୍ରରୁ ମାଡି ଆସିଥିବା ଲୁଣା ଜୁଆରପାଣି କ୍ଷେତରୁ ନିଷ୍କାସନ ହୋଇନଥିବା ବେଳେ ଏବେ ପୁର୍ନବାର ବନ୍ୟାଜଳ ଆସିବାରୁ ଭଦ୍ରକ ଜିଲାର ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ପଞ୍ଚାୟତର ଶହଶହ ଏକର ଚାଷଜମିକୁ ବନ୍ୟାପାଣି ମାଡିଯିବାରୁ ଚାଷୀ ଚଳିତବର୍ଷ ଚାଷ ପାଇଁ ପକାଇଥିବା ଧାନତଳି ବୁଡିଯାଇଛି। ତାହାସହ ପରିବା ଚାଷୀଙ୍କର ଅମଳ ହେବାକୁ ଥିବା ସମସ୍ତ ଫସଲ ପାଣିରେ ବୁଡିଛି।

ସରକାରଙ୍କ ପୂର୍ବ ପ୍ରସ୍ତୁତି ପାଇଁ ସିନା ବାତ୍ୟା ବିପନ୍ନଙ୍କର ଜୀବନ ସିନା ବଞ୍ଚିଗଲା ହେଲେ ଜୀବିକା ବାତ୍ୟା ଓ ଲୁଣାପାଣିରେ ଧୋଇଗଲା। କ୍ଷେତରେ ଚାଷ ଗଲା ଗାଁରେ ବାସ ଗଲା। ବାତ୍ୟା ଛାଡିବା ପରେ ବିପନ୍ନ ଉଜୁଡା ସଂସାରକୁ ସାଇତିଲା ବେଳକୁ ପୁଣି ମାଡି ଆସିଲା ବୈତରଣୀର ବନ୍ୟାପାଣି। ଫଳରେ ପୁଣି ବନ୍ୟାପାଣି ପଶିଛି ବିଭିନ୍ନ ଅଞ୍ଚଳରେ। ବିଶେକରି ନଦୀକୂଳିଆ ଗାଁର ସମସ୍ତ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଆଖଣ୍ଡଳମଣିପ ତିହିଡି ମୁଖ୍ୟରାସ୍ତାର ଯାତାୟତ ବାଧାପ୍ରାପ୍ତ ହୋଇଛି।

Comments are closed.