ଆଖଣ୍ଡଳମଣିଙ୍କ ପୀଠରେ ଚାଲିଛି ଖୁଲମଖୁଲା ନିଶାକାରବାର

ଚେଇଁ ଶୋଇଛି ଅବକାରୀ ବିଭାଗ, ନିରବଦ୍ରଷ୍ଟା ସ୍ଥାନୀୟ ପୁଲିସ

ଆରଡି: ମଠ, ମନ୍ଦିର, ବିଦ୍ୟାଳୟ ସହ ସର୍ବସାଧାରଣ ସ୍ଥାନରେ ମାଦକଦ୍ରବ୍ୟ ସହ ଅନ୍ୟାନ୍ୟ ନିଶା କାରବାର ନକରାଯିବା ପାଇଁ ଆଇନ ପ୍ରଣୟନ ହୋଇଛି । ଏପରି ନିୟମକୁ ଉଲ୍ଳଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଅବକାରୀ ବିଭାଗ ଓ ସ୍ଥାନୀୟ ପୁଲିସର କଡାକଡି ଆଇନ ରହିଛି । ହେଲେ ଏପରି ନିୟମକୁ ‘ଫୁ’ କରି କେତେକ ଅସାଧୁ ବ୍ୟବସାୟୀ ପ୍ରସିଦ୍ଧ ଶୈବକ୍ଷେତ୍ର ଆଖଣ୍ଡଳମଣିଙ୍କ ମନ୍ଦିର ଠାରୁ କିଛି ଦୂରରେ ଖୁଲମଖୁଲା ଭାବେ ଦିନରାତି ମାଦକ ଦ୍ରବ୍ୟ ଠାରୁ ଆରମ୍ଭକରି ଗଞ୍ଜେଇ ଆଦି ବେପାର କରୁଥିଲେ ମଧ୍ୟ ଯେପରି ସବୁ ଦେଖି ଚାହିଁ ଶୋଇଛି ଜିଲା  ଅବକାରୀ ବିଭାଗ ଓ ସ୍ଥାନୀୟ ପୁଲିସ । ଏପରି ବେପାର ଉପରେ ରୋକ ଲଗାଇବା ପାଇଁ ବିଭିନ୍ନ ମହଲରୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଯେପରି ସବୁଜାଣି ଶୁଣି ଚୁପ ହୋଇ ବସିଛି ପୁଲିସ । ନିଶା କାରବାରରେଲ ଲିପ୍ତ ଥିବା  ଅସାଧୁ ବ୍ୟବସାୟୀ ଓ ପୁଲିସ ଅଧିକାରୀଙ୍କ ଅସାଧୁ ମେଣ୍ଟ ଯୋଗୁ ପୀଠରେ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି ନିଶାକାରବାର । ପୀଠର ପ୍ରବେଶପଥ ଠାରୁ ଆରମ୍ଭ କରି ମଣିବାବା ପୁଷ୍କରିଣୀ ଚତୁଃପାର୍ଶ୍ବ, ଚୂଳପକା ମଣ୍ଡପ , ନଦୀଘାଟ , ବିଦ୍ୟାଳୟ ନିକଟସ୍ଥ ଅଞ୍ଚଳରେ ଦିନକୁ ଦିନ ବେଆଇନ ଭାବେ ବଢିଚାଲିଛି ନିଶାକାରବାର । ଫଳରେ ପ୍ରତିଦିନ ରାତି ପାହିଲେ ନିଶା ସେବନ କରୁଥିବା ଲୋକଙ୍କ ଦୌରାମ୍ୟରେ ଶିକାର ହେଉଛନ୍ତି ପୀଠକୁ ପ୍ରତିଦିନ  ଆସୁଥିବା ହଜାରହଜାର ଭକ୍ତ ।  ଏପରି ନିଶାକାରବାର ଉପରେ ଯଦି ଏବେଠାରୁ  ରୋକ ଲଗାନଯାଏ ତାହାଲେ ସମଗ୍ର ପୀଠ ନିଶାକାରବାର ଏକ ପେଣ୍ଠସ୍ଥଳୀ ପାଲଟିବ ବୋଲି ବୁଦ୍ଧିଜୀବୀ ନିଜର ମତପ୍ରକାଶ କରିଛନ୍ତି ।

 

Comments are closed.