ସାଳନ୍ଦୀନଦୀକୁ ଧସିଲା ୧ଶହ ଫୁଟର ସୁରକ୍ଷା ବନ୍ଧ, ଅଳ୍ପକେ ବର୍ତ୍ତିଲେ ୬ ପରିବାର

ଆରଡି: ଭଦ୍ରକ ଜିଲା ଆରଡିପୀଠ ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀନଦୀ କୂଳ ଲଂଘିବା ଫଳରେ ଗତକାଲି ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଦୁଇ ଥର ସୁରକ୍ଷା ବନ୍ଧ ନଦୀ ମଧ୍ୟକୁ ଧସିଯିବାରୁ ନଦୀକୂଳରେ ଥିବା ୬ଟି ପରିବାରରଙ୍କର ୫ବଖରା ଘରର ଭୂସ୍ଖଳନ ଘଟି ୩/୪ଫୁଟ ଦବିଯିବା ସହ ବଡ ଫାଟ ସୃଷ୍ଟି ହୋଇଥିଲା। ଫଳରେ ଘରେ ଥିବା ଏହି ୬ଟି ପରିବାର ଲୋକ ନିଜର ଆସବାବପତ୍ର ଛାଡି ଛୁଆ ପିଲାଙ୍କୁ ଧରି ଗାଁ ମଧ୍ୟକୁ ପଳାଇ ଯାଇଥିଲେ। ଏପରିକି ଗୁହାଳଘରର ବଡ ଫାଟ ଦେଖା ଦେବା ସହ ଢଳି ପଡିବାରୁ ଗୋରୁଗାଈଙ୍କ ଫିଟାଇ ଦେଇଥିଲେ ଗ୍ରାମବାସୀ। ନଦୀର ଅନ୍ୟ ସ୍ଥାନରେ ସୁରକ୍ଷାବନ୍ଧର ଏବେ ବଡ ଫାଟ ହେବାରେ ଲାଗିଛି।

ଏହି ବନ୍ଧରେ ଦୈନନ୍ଦିନ ଗାଁ ଲୋକ ବିଭିନ୍ନ କାର୍ଯ୍ୟ ପାଇଁ ଯାତାୟତ କରୁଥିବା ବେଳେ ବିଦ୍ୟାଳୟକୁ ଛୋଟଛୋଟ ପିଲା ଯାଇଥାନ୍ତି। ଏପରିକି ନଦୀର ଜୁଆରପାଣି ଆସିଲେ ଗାଁ ଦାଣ୍ଡରେ ଲହଡି ମାରିବା ସହ କୁମ୍ଭୀର ଅନେକ ସମୟରେ ଏହି ନଦୀବନ୍ଧରେ ଶୋଇ ରହିଥାଏ। ଏବେ ବନ୍ଧ ନଦୀକୁ ଧସିଯାଇଥିବାରୁ ଗାଁ ଲୋକ ଆତଙ୍କିତ ହୋଇପଡିଛନ୍ତି। ନଦୀବନ୍ଧର ମରାମତି ଆଳରେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଅଣଦେଖା ଓ ଠିକ କାର୍ଯ୍ୟକାରୀ ହେଉନଥିବାରୁ ବାରମ୍ବାର ଏହିସ୍ଥାନରେ ନଦୀବନ୍ଧ ଧସୁଛି ଗାଁ ଲୋକ ଅଭିଯୋଗ କରିଛନ୍ତି। ଫଳରେ ନଦୀକୂଳରେ ଥିବା ୧୦ଟି ପରିବାର ବାସହିନ ହେବାର ଆଶଙ୍କା ଦେଖାଦେଇଛି।

ଏପରି ଘଟଣା ସମ୍ପର୍କରେ ଧାମନଗର ଜଳସେଚନ ବିଭାଗର ଏସଡିଓ ଶଙ୍କର୍ଷଣ ବେହେରାଙ୍କୁ ପଚାରିବାରୁ ଉକ୍ତ ନଦୀବନ୍ଧର କ୍ଷେତ୍ରୀୟ ଅନୁଧ୍ୟାନ କରାଯାଇ ମରାମତି କରାଯିବ।

Comments are closed.