ଲଘୁଚାପ ପ୍ରଭାବରେ ବଢିଲା ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର; କୁମ୍ଭୀର ଭୟରେ ଘର ଛାଡିବେ ୧୦ ପରିବାର!

ଆରଡି : ଲଘୁଚାପ ପ୍ରଭାବରେ ଗତ ୩ଦିନ ହେଲା ଉପର ମୁଣ୍ଡରେଲଗାଣ ବର୍ଷା ଦ୍ୱାରା ବଢୁଛି ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର। ଯାହାର ପ୍ରଭାବରେ ଶୁକ୍ରବାର ଆରଡି ନିକଟସ୍ଥ ଶୀତଳପୁର ଗାଁ ଠାରେ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀ କୂଳ ଲଘିଂବା ଫଳରେ ଅସ୍ଥାୟୀ ନଦୀବନ୍ଧ ଧସି ଯାଇଛି। ଫଳରେ ଜୁଆର ସମୟରେ ନଈପାଣି ଗାଁ ଦାଣ୍ଡ ସମେତ ବିଦ୍ୟାଳୟ ପରିସରରେ ଲହଡି ଭାଙ୍ଗୁଛି। ଏପରିକି ନଦୀରେ ହିଂସ୍ର କୁମ୍ଭୀର ସନ୍ତରଣ କରୁଥିବାରୁ ଭୟରେ ନଦୀକୂଳରେ ବସବାସ କରୁଥିବା ୧୦ ପରିବାର ଭିଟାମାଟି ଛାଡିବେ ବୋଲି ବାବାଜି ପରିଡା, କନକଲତା ନାୟକ, ଆନ୍ଦ ଜେନା ପ୍ରମୁଖ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁଯାୟୀ ନଦୀବନ୍ଧ ବିଗତ ୩/୪ବର୍ଷ ହେବ ନଦୀ ମଧ୍ୟକୁ ଧସିଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ସ୍ଥାୟୀ ପ୍ରତିକାର ନକରି ବର୍ଷାଋତୁ ଆସିଲେ କିଛି ବାଲିବସ୍ତା ଓ ବାଉଁଶ-ବଲା ଦ୍ୱାରା ଅସ୍ଥାୟୀ ମରାମତି କରି ତାର କାମ ସାରିଦେଇଥାଏ। ହେଲେ ଏପଟେ ନଈର ପାଣି ବଢିଲେ କୁମ୍ଭୀର ଯାତନା ସାଙ୍ଗକୁ ନଈପାଣି ଆସି ଦୁଆର ମୁହଁରେ ଲହଡି ଭାଙ୍ଗେ। ଚଳିତଥର କୁମ୍ଭୀର ଉପଦ୍ରବ ବଢିଯାଇଥିବାରୁ ଗାଁ ଲୋକ ଚାନ୍ଦା କରି ନଦୀବନ୍ଧ କଡରେ ଜାଲ ଘେର ଦେଇଛନ୍ତି। ହେଲେ ବିଗତ କିଛିବର୍ଷ ହେବ ନଦୀ ତାର ଗତିପଥ ବଦଳାଇ ଜନବସତି ମୁହାଁ ହୋଇଥିବାରୁ ପ୍ରତିବର୍ଷ ବର୍ଷାଋତୁରେ ନଦୀ କୂଳ ଲଘିଁବା ଦ୍ୱାରା ବହୁ ଧନଜିବନ କ୍ଷତି ଘଟାଉଛି। ଆଗକୁ ଆହୁରି ଲଘୁଚାପ ଥିବାରୁ ଉକ୍ତ ସ୍ଥାନରେ ପରିସ୍ଥିତି ଜଟିଳ ପରିସ୍ଥିତ ହେବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

Comments are closed.