“ଜନତା କର୍ଫ୍ୟୁ”କୁ ନେଇ ଖାଁ ଖାଁ ଆରଡିପୀଠ

ଆରଡି : ମହାମାରୀ କରୋନାକୁ ରୋକିବା ପାଇଁ ରବିବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା “ଜନତା କର୍ଫ୍ୟୁ”କୁ ଆରଡିପୀଠର ସମସ୍ତ ବର୍ଗର ଲୋକମାନେ ସମର୍ଥନ କରିବା ସହିତ ଦୋକାନବଜାର ବନ୍ଦ ରଖିଥିବା ବେଳେ ପୀଠକୁ ଯାତାୟତ କରୁଥିବା ସମସ୍ତ ଘରୋଇ ଓ ସରକାରୀ ବସ୍ ମଧ୍ୟ ଚଳାଚଳ ବନ୍ଦ ରହିଥିଲା। ଅନ୍ୟପଟେ ଗତ ୩ଦିନ ହେବ ପୀଠର ଆରାଧ୍ୟ ଦେବତା ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିବାରୁ ପୀଠରେ ଜନଶୂନ୍ୟ ହୋଇ ପଡିବା ସହ ଖାଁଖାଁ ଲାଗୁଥିଲା। ଏପରିକି ମହାମାରୀ କରୋନା ଦୂରିଭୁତ ପାଇଁ ସାରା ବିଶ୍ୱବାସୀଙ୍କ ମଙ୍ଗଳକାମନା କରି ମନ୍ଦିରର ସେବାୟତମାନେ ମଣିବାବାଙ୍କ ନିକଟରେ ଜଳାଭିଷେକ କରିବା ସହିତ ଘୃତଦୀପ ପ୍ରଜ୍ୱଳନ କରିଥିଲେ। ତାହାସହ ସଂଧ୍ୟ୍ୟା ସାଢେ ପାଞ୍ଚଟାରେ ପୀଠ ସମେତ ଆଖପାଖ ଗ୍ରାମର ଲୋକମାନେ ଘଣ୍ଟ-କିର୍ତ୍ତନ-ଶଙ୍ଖ ବଜାଇବା ସହିତ ହୁଳହୁଳି ଓ ହରିବୋଲ ପକାଇଥିଲେ। ପୀଠର ବୟସ୍କ ସେବାୟତଙ୍କ କହିବା ଅନୁଯାୟୀ ଏପରି ମହାମାରୀ କେବେ ଦେଖା ଦେଇନଥିବା ବେଳେ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଜନଶୂନ୍ୟ ହେବା ଓ ମନ୍ଦିର ଚତଃପାର୍ଶ୍ବ ବନ୍ଦ ରହିବା ଇତିହାସର ପ୍ରଥମ ଘଟଣା ବୋଲି ପ୍ରକାଶ କରିଛନ୍ତି।

Comments are closed.