ବାତ୍ୟା ୟସ ପ୍ରଭାବରେ ସମୁଦ୍ର ଅଶାନ୍ତ ମାଡି ଆସିଲା ଲୁଣା ଜୁଆର ଢେଉ

ଶୀତଳପୁର ଓ ପାଲଟପୁର ଗାଁର ଘର ଆଗରେ ଲହଡି ଭାଙ୍ଗୁଛି ଲୁଣାପାଣି, ପବନ-ବର୍ଷାକୁ ନେଇ ଆତଙ୍କିତ ନଈକୂଳିଆବାସୀ

ଆରଡି: ବାତ୍ୟା ୟସ ପ୍ରଭାବରେ ସମୁଦ୍ର ଅଶାନ୍ତ ପଡ଼ିଥିବାବେଳେ ଆଜି ଲୁଣା ଜୁଆର ଢେଉ ମାଡ଼ି ଆସିଛି। ଏହାର ପ୍ରଭାବରେ ଶୀତଳପୁର ଓ ପାଲଟପୁର ଗାଁର ଘର ଆଗରେ ଏହି ଲୁଣା ଜୁଆର ଢେଉ ଲହଡ଼ି ଭାଙ୍ଗୁଛି।
ବାତ୍ୟା ୟସ ଏବେ ଭୟଙ୍କର ରୂପ ଧାରଣ କରି ମାଡି ଆସୁଛି ସ୍ଥଳ ଭାଗକୁ। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆସନ୍ତା ୨୬ରେ ଚାନ୍ଦବାଲିସ୍ଥିତ ଧାମରା ଓ ବାଲେଶ୍ୱର ମଧ୍ୟରେ ସ୍ଥଳଭାଗ ଛୁଇଁବ। ଯାହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ପବନ ବହିବା ସହ ବର୍ଷା ଜାରୀ ରହିବ। ହେଲେ ମଙ୍ଗଳବାର ଦିନ ତମାମ ଭଦ୍ରକ ଜିଲାର ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ନାନ୍ଦପୁର, ଓଳଗ, ସୁନ୍ଦରପୁର, ତେନ୍ତୁଲିଡିହ ସମେତ ଆଖପାଖ ଅଞ୍ଚଳରେ ବାତ୍ୟା ୟସ ପ୍ରଭାବରେ ପବନ ବର୍ଷା ଜାରି ରହିଥିବା ବେଳେ ନିକଟସ୍ଥ ଧାମରା ସମୁଦ୍ର ମୁହାଣ ଅଶାନ୍ତ ହୋଇ ପଡଛି।

ବିଶେଷକରି ବୁଧବାର ପୂର୍ଣ୍ଣିମା ତିଥି ଥିବା ବେଳେ ବାତ୍ୟା ୟସ ପ୍ରଭାବରେ ସମୁଦ୍ର ଭୟଙ୍କର ରୂପ ଧାରଣ କରି ମାଡି ଆସୁଛି ଲୁଣା ଜୁଆର ଢେଉ। ଏହି ଜୁଆର ପାଣି ବୈତରଣୀ, ସାଳନ୍ଦି ନଦୀରେ ଆସି ଜନବସତି ଆଡକୁ ମାଡିବାରେ ଲାଗିଛି। ଏପରିକି ବୈତରଣୀ ନଦୀ ଓ ସାଳନ୍ଦୀ ନଦୀର ୨/୩ଟି ସ୍ଥାନରେ ନଦୀବନ୍ଧ ଦୃବଳ ଥିବାରୁ ଜୁଆରପାଣି କୂଳ ଲଙ୍ଘି ଜନବସତି ଆଡକୁ ମାଡି ଆସିଛି। ଆରଡି ନିକଟସ୍ଥ ଶିତଳପୁର ଓ ପାଳଟପୁର ଗାଁରେ ଲୁଣାଜୁଆର ପାଣି ଘର ଦୁଆର ମୁହଁରେ ଲହଡି ଭାଙ୍ଗୁଛି। ସେହିପରି ବାତ୍ୟାରେ ଯେପରି କୋଣସି କ୍ଷତି ନଘଟିବ ସେଥିପାଇଁ ନଈକୂଳିଆଙ୍କ ସହ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଉଥିବା ଆରଡି ଆରଆଇ ପ୍ରକାଶ କରିଛନ୍ତି। ସେହିପରି ବାତ୍ୟା ସମୟରେ ଯଦି କୈାଣସି ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡେ କିମ୍ବା ଗଛ ପଡେ ତାହାଲେ ଅଗ୍ନିଶମ ବିଭାଗ ସଜାଗ ରହିଥିବା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି।

Comments are closed.