ଆରଡ଼ିପୀଠ ନିକଟ ଏସବିଆଇ ଏଟିଏମ ଲୁଟ୍‌ ଘଟଣା; ୩ ଅଭିଯୁକ୍ତଙ୍କୁ ଯାଜପୁରରୁ ଗିରଫ କଲା ପୁଲିସ

ଆରଡି: ଆରଡିପୀଠ ପ୍ରବେଶପଥ ନିକଟରେ ଥିବା ଏସବିଆଇ ପରିସରରୁ ଏଟିଏମ ଲୁଟ୍‌ ଘଟଣାରେ ବୁଧବାର ୩ ଅଭିଯୁକ୍ତଙ୍କୁ ଯାଜପୁରରୁ ଗିରଫ କରିଛି ପୁଲିସ। ଉକ୍ତ ଏଟିଏମ ମେସିନକୁ କିଛି ଦୁର୍ବୃତ୍ତ ଶନିବାର ବିଳମ୍ବିତ ରାତିରେ ଗ୍ୟାସ କଟର ଦ୍ବାରା କାଟି ଟଙ୍କା ଲୁଟ ଉଦ୍ୟମ କରିବା ସହ ୩ଟି ସିସିଟିଭି କ୍ୟାମେରା ଓ ଆଲାରାମକୁ ଭାଙ୍ଗି ଦେଇଥିଲେ। ହେଲେ ଟଙ୍କା ଲୁଟ କରିବାରେ ସେମାନେ ବିଫଳ ହେବା ସହ ଗୋଟିଏ ଗ୍ୟାସ ସିଲିଣ୍ଡର ଓ କଟରମେସିନ ସହ ଅନ୍ୟାନ୍ୟ ଆସବାପତ୍ର ଛାଡି ଚାଲିଯାଇଥିଲେ। ଏପରି ଘଟଣା ରବିବାର ସକାଳେ ଜଣା ପଡିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆରଡି ଫାଣ୍ଡିରେ ଅଭିଯୋଗ କରାଯାଇଥିଲା। ଉକ୍ତ ଅଭିଯୋଗ ଅନୁଯାୟୀ ପୁଲିସ ତଦନ୍ତ ଚଳାଇବା ସହ ଗ୍ୟାସ ସିଲିଣ୍ଡର କେଉଁ ଅଞ୍ଚଳର, ଯଦି ଦୁର୍ବୃତ୍ତମାନେ ଲୁଟ କରିବାକୁ ଆସିଥିଲେ ତାହାଲେ ଏତେ ସାମଗ୍ରୀ କାହିଁକି ଛାଡି ଚାଲିଗଲେ, ଏପରି ଭାବେ ତଦନ୍ତ ଜାରି ରଖିଥିଲା। ଧୁଷୁରୀ ଓ ଆରଡି ପୁଲିସ ମଙ୍ଗଳବାର କୌଣସି ସୁତ୍ରରୁ ଖବର ପାଇ ଯାଜପୁରରୁ ୩ ଦୁର୍ବୃତ୍ତଙ୍କୁ କାବୁ କରିବା ସହ ଥାନାରେ ଅଟକ ରଖି ସମସ୍ତ ବାବଦରେ ପଚରାଉଚରା ଜାରି ରଖିଛି।

Comments are closed.