କୋଟିକୋଟି ଟଙ୍କା ଖର୍ଚ୍ଚ ପରେ ସୁଦୃଢ ହୋଇପାରୁନି ନଦୀବନ୍ଧ ; ଆତଙ୍କିତ ନଈକୂଳିଆବାସୀ

ଆରଡି : ଭଦ୍ରକ ଜିଲାର ଜଳଦେଶ ଭାବେ ପରିଚିତ ଚାନ୍ଦବାଲି ବ୍ଲକ ଆରଡି ପଞ୍ଚାୟତର ମୁଆଁ ଗ୍ରାମ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀକୁ ଗତ ବୁଧବାର ବିଳମ୍ବିତ ରାତିରେ ପ୍ରାୟ ୯ଶହ ଫୁଟର ଲୁଣାବନ୍ଧ ଧସିଯିବା ଫଳରେ ନଈକୂଳିଆବାସୀ ଆତଙ୍କିତ ହୋଇ ପଡିଛନ୍ତି।

ଏପରିକି ଲୁଣାବନ୍ଧ ଆଖପାଖ ଆରଡି, ନାନ୍ଦପୁର, ଓଳଗ ପଞ୍ଚାୟତ ୨୦/୨୨ଖଣ୍ଡ ଗାଁକୁ ବନ୍ୟା ସମୟରେ ସୁରକ୍ଷା ଦେଇଥାଏ। ହେଲେ ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ଏହି ନଦୀବନ୍ଧର ସୁଦୃଢିକରଣ ପାଇଁ ଗତ ୬ମାସ ତଳେ କାର୍ଯ୍ୟ କରାଯାଇଥିଲେ ମଧ୍ୟ ତାହା ଏବେ ନଦୀରେ ଲିନ୍ନ ହେବାକୁ ବସିଛି। ପ୍ରାୟ ୯ଶହ ଫୁଟ ଲମ୍ବର ନଦୀବନ୍ଧ ନଦୀ ମଧ୍ୟକୁ ଧସି ଯାଇଥିବା ବେଳେ ବନ୍ଧର ବଡବଡ ଫାଟ ସୃଷ୍ଟି ହୋଇଛି। ଏପଟେ ପୁର୍ଣ୍ଣିମା ତିଥି ଥିବାରୁ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଦ୍ୱାରା ଧସି ଯାଇଥିବା ସ୍ଥାନରେ ନଦୀଜଳ ସ୍ରୋତ ପଡିଥିବାରୁ ଭୟରେ ଚାଷୀମାନେ ଅମଳ ହେବାକୁ ଥିବା ପାଚିଲା ଧାନ ସମେତ କଞ୍ଚା ଧାନକୁ କାଟି ନେଉଥିବା ଦେଖିବାକୁ ମିଳିଛି।

ଏପରିକି ବନ୍ଧରୁ ବଡବଡ ଅତଡା ଖଣ୍ଡ ଖସୁଥିବାରୁ ଭୟରେ ସ୍ଥାନୀୟ ଲୋକମାନେ ଜୀବନ ବିତାଉଛନ୍ତି। ଏପରିକି ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ନଦୀବନ୍ଧ ସୁଦୃଢିକରଣ ନାଁରେ ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ମରାମତି କାର୍ଯ୍ୟ ଠିକ ଭାବରେ ହେଉନଥିବାରୁ ନଦୀରେ ସାମନ୍ୟ ଜୁଆରପାଣି ପ୍ରବାହିତ ହେଲେ ଅନେକ ସମୟରେ ନଦୀବନ୍ଧରୁ ବଡବଡ ମାଟି ଅତଡା ଖସିବା ସହିତ ନଦୀବନ୍ଧ ସମ୍ପୂର୍ଣ୍ଣ ଲିନ୍ନ ହେବାକୁ ଲାଗିଥାଏ। ଫଳରେ ନଦୀର ପାଣି ସିଧାସଳଖ ଚାଷଜମୀ ଓ ଜନବସତି ଆଡକୁ ମାଡିଆସିଥାଏ। ଏବେ ବର୍ଷା କିମ୍ବା ବନ୍ୟା ନ ଥିଲେ ମଧ୍ୟ ବନ୍ଧର ଯେଉଁ ଅବସ୍ଥା ରହିଛି ଜୁଆର ପାଣିରେ ଯଦି ବଳକା ବନ୍ଧ ନଦୀମଧ୍ୟକୁ ଚାଲିଯାଏ ତାହାଲେ ନଦୀପଠାରେ ଥିବା ବହୁ ଧନଜୀବନ ହାନି ହେବାର ଆଶଙ୍କା ଦେଖା ଦେଇଛି। ଏପରି ସମସ୍ୟା ବାବଦରେ ଧାମନଗର ଜଳସେଚନ ବିଭାଗର ଏସଡିଓ ଭୁବନାନନ୍ଦ ମହାନ୍ତି ଏହି ଘଟଣା ବାବଦରେ ଅବଗତ ଅଛନ୍ତି ବୋଲି ପ୍ରକାଶ କରିବା ସହ ଏବେ କୈାଣସି କାର୍ଯ୍ୟ ହେବାର ନାହିଁ ବୋଲି ରୋକଠୋକ ଭାବେ ମନା କରିଦେଇଥିଲେ।

Comments are closed.