ବର୍ଷାଦିନ ଆସିଲେ ଆଉ ନାକେଦମ ହେବାକୁ ପଡିବନାହିଁ : ଜଳବନ୍ଦୀ ସୂଚନା ଦେବ ‘ଆପ୍‌’

-ବିଏମ୍‌ସିକୁ ସିଧାସଳଖ ବାର୍ତ୍ତା ପଠାଇବେ ବାସିନ୍ଦା
-ମାର୍ଚ୍ଚ ଶେଷ ସୁଦ୍ଧା ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହେବ

ଭୁବନେଶ୍ବର : ସାମାନ୍ୟ ବର୍ଷାରେ ରାଜଧାନୀ ଅବସ୍ଥା ବେହାଲ ହୋଇଯାଉଛି। ବର୍ଷାଦିନ ଆସିଲେ ବାସିନ୍ଦା ଜଳବନ୍ଦୀରେ ରହୁଛନ୍ତି। ଏଥିରୁ ମୁକୁଳିବାକୁ ସେମାନଙ୍କୁ ନାକେଦମ ହେବାକୁ ପଡୁଛି। ଦୀର୍ଘ ଦିନ ଧରି ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇ ରହୁଛି। ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରସ୍ତୁତି ହୋଇଛି ଆପ୍‌ ‘ମୁଁ ସିଟି ସେଭିୟର’। ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି), ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ଼ (ବିଏସ୍‌ସିଏଲ୍‌) ଏବଂ ଜର୍ମାନ ଡେଭଲପମେଣ୍ଟ କର୍ପୋରେସନ( ଜିଆଇଜେଡ୍‌) ମିଳିତ ଭାବେ ‘ମୁଁ ସିଟି ‌ସେଭିୟର’ ଆପ୍ ପ୍ରସ୍ତୁତ କରିଛନ୍ତି। ଯେଉଁ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହେବ ସେ ସଂକ୍ରାନ୍ତରେ ଏହି ଆପ୍ ସୂଚନା ପ୍ରଦାନ କରିବ। ସଙ୍କେତ ମିଳିବା ପରେ ବିଏମ୍‌ସିର ସ୍ବତନ୍ତ୍ର ଟିମ୍‌ ବନ୍ୟା ଅଞ୍ଚଳରେ ପହଞ୍ଚିବେ। ସମସ୍ୟା ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ବ୍ୟବସ୍ଥା କରିବେ। ଆପ୍ ଦ୍ବାରା ବିଏମ୍‌ସିକୁ ତୁରନ୍ତ ଖବର ମିଳିବ ଏବଂ ଜନସାଧାରଣଙ୍କ ଧନଜୀବନ ରକ୍ଷା ହୋଇପାରିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଜଳବାୟୁ ପରିବର୍ତ୍ତନ ଦିଗରେ ଜିଆଇଜେଡ କାର୍ଯ୍ୟ କରୁଛି। ରାଜଧାନୀର ଯେଉଁ ସବୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ସେହି ଅଞ୍ଚଳବାସୀଙ୍କୁ ଜଳମଗ୍ନ ସଂକ୍ରାନ୍ତରେ ଏହି ଆପ୍ ସୂଚନା ଦେବେ। ଗୁଗୁଲ ‌େ‌ପ୍ଲ ଷ୍ଟୋରରେ ଏହି ଆପ୍‌ ଉପଲବ୍ଧ। ବିଏମ୍‌ସି ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକ୍ କହିଛନ୍ତି, ଏହି ଆପ୍ ସହରର ସମସ୍ତ ଅଞ୍ଚଳରେ କାର୍ଯ୍ୟ କରିବ ନାହିଁ। ବିଏମ୍‌ସି ଦ୍ବାରା ଚିହ୍ନଟ ଜଳମଗ୍ନ ଅଞ୍ଚଳରେ କାର୍ଯ୍ୟକ୍ଷମ ହେବ। ଜିଆଇଜେଡ କର୍ମୀ ଜଳମଗ୍ନ ସୃଷ୍ଟି ହେଉଥିବା ଅଞ୍ଚଳକୁ ଯାଇ ଉକ୍ତ ଅଞ୍ଚଳବାସୀଙ୍କ ନାମ ଆପ୍‌ରେ ପଞ୍ଜୀକରଣ କରିବେ। ପଞ୍ଜିକୃତ ବାସିନ୍ଦା ଜଳମଗ୍ନ ପରିସ୍ଥିତି ସଂକ୍ରାନ୍ତରେ ସୂଚନା ପାଇପାରିବେ।
ପରୀକ୍ଷାମୂଳକ ଭାବେ ନୂଆପଲୀ ମମତାଜ ସ୍କୁଲ ଏବଂ ଶତାବ୍ଦୀନଗର ଅଞ୍ଚଳର ନାଗରିକଙ୍କ ନାମ ପଞ୍ଜୀକରଣ କରାଯାଇଛି। ବର୍ତ୍ତମାନ ଆପ୍ ଉକ୍ତ ଦୁଇଟି ଅଞ୍ଚଳରେ କାର୍ଯ୍ୟକ୍ଷମ ହୋଇଛି। ଡ୍ରେନ୍‌ରେ ପାଣି ଉଛୁଳିବା, ଅଳିଆ ଜମିବା, ଡ୍ରେନ୍‌ରେ ବର୍ଷା ଜଳ ପତ୍ତନ କେତେ ଅଛି ଏବଂ ଜଳମଗ୍ନ ପରିସ୍ଥିତି ସୃଷ୍ଟି କରୁଥିବା ୧୦ଟି ସମସ୍ୟା ଆପ୍‌ରେ ଉଲ୍ଲେଖ ରହିବ। କୌଣସି ସମସ୍ୟା ଦେଖାଦେଲେ ଆପ୍ ମାଧ୍ୟମରେ ଜନସାଧାରଣ ବିଏମ୍‌ସିକୁ ବାର୍ତ୍ତା ପ୍ରଦାନ କରିବେ। ଏହି ବାର୍ତ୍ତା ବିଏମ୍‌ସି ପାଖରେ ପହଞ୍ଚିବ। ଆପ୍‌କୁ ଦେଖି ବିଏମ୍‌ସି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟ କରିବେ। ତେବେ ମାର୍ଚ୍ଚ ଶେଷ ସୁଦ୍ଧା ଏହି ଆପ୍ ପୂର୍ଣ୍ଣମାତ୍ରା କାର୍ଯ୍ୟକ୍ଷମ ହେବ ବୋଲି ଜିଆଇଜେଡ ପକ୍ଷରୁ ସୂଚନା ଦିଆଯାଇଛି।

ଆପ୍ ଉଦ୍‌ଘାଟନ ବେଳେ ବିଏମ୍‌ସିର ଅତିରିକ୍ତ କମିସନର ଶ୍ରୀ ମଲ୍ଲିକ୍, ବିଡିଏ ସଚିବ ରବିନାରାୟଣ ମିଶ୍ର, ବିଏମ୍‌ସି ଡ୍ରେନେଜ ଡିଭିଜନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଦୀପ ସାଗର ଦୁରିଆ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.